ଅଂଶୁଘାତ ପାଇଁ ଆଶୁ ପ୍ରାଥମିକ ଚିକିତ୍ସା ଶିବିର

ଭୁବନେଶ୍ୱର : ବଢ଼ୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଅଂଶୁଘାତ ରୋଗୀଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇବା ସହ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ଉଦ୍ଦେଶ୍ୟରେ ସେଣ୍ଟ ଜନ୍‌ ଆମ୍ବୁଲାନ୍ସ ଓ ସ୍ଥାନୀୟ ମହାଲେଖାକାର ଆମ୍ବୁଲାନ୍ସ ଡିଭିଜନ୍‌ ସହଯୋଗରେ ରାଜଧାନୀରେ ୮ଟି ଅଂଶୁଘାତ ପ୍ରାଥମିକ ଚିକିତ୍ସା ଶିବିର ଖୋଲା ଯାଇଛି। ଏଜି ଛକ, ପିଏମ୍‌ଜି ଛକ, ଖଣ୍ଡଗିରି ଛକ, ପୋଖରୀପୁଟ, ସହିଦନଗର ପୂଜା ମଣ୍ଡପ, ଭିଏସ୍‌ଏସ୍‌ ନଗର, ଭୀମଟାଙ୍ଗି, କାର୍‌ଗିଲ୍‌ ରୋଡ୍‌ ନିକଟରେ ଏହି ବ୍ୟବସ୍ଥା କରାଯାଇଛି। ଆଜି ଏଜି ଛକଠାରେ ଆୟୋଜିତ ଏହି ଶିବିରକୁ ପ୍ରଧାନ ମହାଲେଖାକାର ମଧୁମିତା ବସୁ, ଯଶୋଧାରା ରାୟ ଚୌଧୁରୀ ଓ ସେଣ୍ଟ ଜନ୍‌ ଆମ୍ବୁଲାନ୍ସର ସଂପାଦକ ତଥା କମିସନର ଜଗନ୍ନାଥ ମହାପାତ୍ର ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପ ମହାଲେଖାକାର ମସ୍‌ରୁର୍‌ ଅହମଦ୍‌, କର୍ପୋରେଟର୍‌ ନବ କିଶୋର ବେହେରା, ଅନୁଷ୍ଠାନର ଯୁଗ୍ମ ସଚିବ ଆର୍‌କେ ତ୍ରିପାଠୀ, ପ୍ରାଥମିକ ଚିକିତ୍ସା ତାଲିମ କମିସନର କାଦମ୍ବିନୀ ଦାସ, ସହକାରୀ କମିସନର ପୁରୁଷୋତ୍ତମ ବଳ ଓ ସୁଶାନ୍ତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଶିବିରଗୁଡ଼ିକ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ପ୍ରତି ଶିବିରରେ ୨ଜଣ ସ୍ୱେଚ୍ଛାସେବୀ ରହିବା ସହ ବରଫ, ଗ୍ଲୁକୋଜ୍‌, ଲୁଣ, ଚିନି, ଓଆର୍‌ଏସ୍‌ ପର୍ଯ୍ୟାପ୍ତ ପରିମାଣରେ ରଖାଯିବାର ବ୍ୟବସ୍ଥା ହୋଇଛି। ଏହା ସହ ୨ଟି ଆମ୍ବୁଲାନ୍ସ ମଧ୍ୟ ରହିବ ବୋଲି ଡ. ମହାପାତ୍ର ପ୍ରକାଶ କରିଛନ୍ତି। ସେଣ୍ଟ ଜନ୍‌ ଆମ୍ବୁଲାନ୍ସର ଆର୍‌କେ ଗୋସ୍ୱାମୀ, ଗଣେଶ ବାରିକ, ଅଭିଳାଷ ବଳ ଓ ପ୍ରସନ୍ନ ପଣ୍ଡା ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର