ଓଡ଼ିଶାରେ ହେବ ‘ସୁପର-୩୦’

ଆଜ୍‌ ରାଜା କା ବେଟା ରାଜା ନେହିଁ ବନେଗା, ରାଜା ୱହି ବନେଗା ଜୋ ହକ୍‌ଦାର ହୋଗା…। ‘ସୁପର-୩୦’ ଚଳଚ୍ଚିତ୍ରର ଏ ସଂଳାପ ଶୁଣିଥିବା ପ୍ରତିଟି ବ୍ୟକ୍ତିର କାନରେ ଓ ମନରେ ନିଶ୍ଚିତ ଏ ଶବ୍ଦଗୁଡ଼ାକ ବାଡ଼େଇ ‌ହେଉଥିବ। ହ୍ରିତିକ୍‌ ‌ରୋସନ୍‌ ଏଥିରେ ନାୟକ ଭୂମିକାରେ ଅଭିନୟ କରିଥିଲେ ହେଁ ଅସଲ ନାୟକ ହେଉଛନ୍ତି ଆନନ୍ଦ କୁମାର। ଦାରିଦ୍ରୢ ତାଙ୍କ ବାଟ ଓଗାଳିଥିଲେ ହେଁ ନିଷ୍ଠା, ପ୍ରତିବଦ୍ଧତା ଓ ଆହ୍ବାନକୁ ମୁକାବିଲା କରିବାର କଳା ତାଙ୍କୁ ଆଣିଦେଇଛି ସ୍ବତନ୍ତ୍ର ପରିଚିତି। ମେଧାବୀ ହୋଇ ମଧ୍ୟ ଦାରିଦ୍ରୢ ଯୋଗୁଁ ନିଜେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ ହେଁ ତାଙ୍କ ଭଳି ଯେ ଅନ୍ୟ ଗରିବ ମେଧାବୀ ପ୍ରତିଭାମାନେ ମଉଳି ନପଡ଼ନ୍ତୁ ସେଇ ଉଦ୍ଦେଶ୍ୟ ନେଇ ଜାରି ରଖିଛନ୍ତି ମିସନ ‘ସୁପର-୩୦’। ତ୍ୟାଗ, ସଂଘର୍ଷ, ସଫଳତାର କାହାଣୀ ପରଦାକୁ ଆସିବା ପରେ ଆହୁରି ଚର୍ଚ୍ଚିତ ପାଲଟିଥିବା ଆନନ୍ଦ କୁମାରଙ୍କ ସୁପର ଥାର୍ଟି ମିସନ୍‌କୁ ନେଇ ସ୍ବତନ୍ତ୍ର ସାକ୍ଷାତକାର…
।‘ସୁପର-୩୦’ର ପରିକଳ୍ପନା କିଭଳି ଥିଲା?
ନାମଲେଖା ସରିଥିଲା। ହେଲେ ଅର୍ଥ ଅଭାବରୁ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା‌ କରିବାକୁ ଯାଇପାରି ନଥିଲି। ସେତେବେଳର ଦୁଃଖ ଏବେ ବି ମୋତେ କଷ୍ଟ ଦିଏ। ବାପାଙ୍କ ଅନୁପସ୍ଥିତିରେ ଭାଇ ମୋତେ ସହଯୋଗର ହାତ ବଢ଼ାଇଥିଲେ। ପ୍ରତିଟି କ୍ଷେତ୍ରରେ ମୋ ସହ ରହିଥିଲେ। ତାଙ୍କ ଉତ୍ସାହ ଓ ଆଗ୍ରହ ଦେଖି ‘ସୁପର-୩୦’କୁ ଆଗକୁ ବଢ଼ାଇଥିଲି। ଅର୍ଥ ଅଭାବରୁ ମୁଁ ସିନା ପଢ଼ିପାରିଲିନି, ହେଲେ ଆଉ କେହି ଗରିବ ମେଧାବୀ ଛାତ୍ରଛାତ୍ରୀ ଯେପରି ପାଠପଢ଼ାରୁ ବଞ୍ଚିତ ନ ହେବେ ସେଥିପାଇଁ ‘ସୁପର-୩୦’ର ପରିକଳ୍ପନା କରିଥିଲି। ଏହା ଏକ ମିସନରେ ପରିଣତ ହୋଇଛି। ପ୍ରତିବର୍ଷ ୩୦ ଜଣ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସେମାନଙ୍କ ଖାଇବା, ରହିବା ଓ ଶିକ୍ଷା ପ୍ରଦାନ ମାଗଣା ଦିଆଯାଉଛି। କେଉଁ ବର୍ଷ ୨୫ ପିଲା ଆଇଆଇଟି ପାଇଁ ଯୋଗ୍ୟତା ଅର୍ଜନ କରୁଛନ୍ତି ତ ଆଉ କେବେ ୩୦ରୁ ୩୦ ଜଣ ସଫଳ ହେଉଛନ୍ତି।
।୩୦ କାହିଁକି, ଆଉ ଅଧିକ ପିଲାଙ୍କୁ ସୁଯୋଗ ମିଳିବ କି?
କାହିଁକି ନା ‘ସୁପର-୩୦’ଙ୍କ ପାଇଁ ଆମେ କାହାଠାରୁ କିଛି ବି ଚାନ୍ଦା ନେଉନାହୁଁ। ସେମାନଙ୍କ ରହିବା, ଖାଇବା ପାଇଁ କେବେ କାହା ପାଖେ ହାତ ପତେଇନୁ। ଯେତିକି ସମ୍ବଳ ରହିଛି ସେଥିରେ କିଭଳି ଅଧିକ ଗରିବ ମେଧାବୀଙ୍କୁ ଆଇଆଇଟି ପାଇଁ ପ୍ରସ୍ତୁତ କରାଯାଇପାରିବ ସେଥିପ୍ରତି ଗୁରୁତ୍ବ ଦେଉଛି। ପ୍ରାରମ୍ଭରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସବୁ ସୁବିଧା ଉପଲବ୍ଧ କରାଇବା ବହୁତ କଷ୍ଟକର ଥିଲା। ‌ପରବର୍ତୀ ସମୟରେ ବିଭିନ୍ନ ଆଡ଼ୁ ସହଯୋଗର ହାତ ବଢ଼ିଥିଲା। ୪ ମାସ ପରେ ଏହାକୁ ଆହୁରି ବଢ଼ାଇବାକୁ ଯୋଜନା ରହିଛି। ଓଡ଼ିଶାରେ ମଧ୍ୟ ‘ସୁପର-୩୦’ ଛାତ୍ରଛାତ୍ରୀଙ୍କୁ ଚୟନ କରି ମାଗଣା ଶିକ୍ଷା ଦେବା ଲାଗି ବିଚାରବିମର୍ଶ କରାଯାଉଛି।
।ଚଳଚ୍ଚିତ୍ର ‘ସୁପର-୩୦’ରେ ଆପଣଙ୍କ ଚରିତ୍ରଙ୍କୁ ଠିକ୍‌ ଭାବେ ଉପସ୍ଥାପିତ କରାଯାଇଛି କି?
ଚଳଚ୍ଚିତ୍ରରେ ମୋ ପରିବାରର ପ୍ରତିଟି ଚରିତ୍ରଙ୍କୁ ସୁନ୍ଦର ଭାବେ ଉପସ୍ଥାପିତ କରାଯାଇଛି। କଳାକାରଙ୍କ ଅଭିନୟ ମଧ୍ୟ ଉଚ୍ଚକୋଟିର ହୋଇଛି। ଫଳରେ ଏତେ ସୁନ୍ଦର ମୌଳିକଧର୍ମୀ ଚଳଚ୍ଚିତ୍ର ନିର୍ମିତ ହୋଇପାରିଛି। ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ ସହ ସଚେତନତା ବାର୍ତ୍ତା ଦିଆଯାଇଛି। ଓଡ଼ିଶାରେ ବି ଦର୍ଶକ ବେଶ ଆଗ୍ରହର ସହ ଫିଲ୍ମକୁ ଗ୍ରହଣ କରୁଛନ୍ତି। ପ୍ରଥମ ସପ୍ତାହରେ ହିଁ ବକ୍ସ ଅଫିସ୍‌ରେ ଲୋକଙ୍କ ମନ ଜିଣିଛି। ଯୁଆଡ଼େ ଯାଉଛି ସେଠାରେ ଆନନ୍ଦ କୁମାର କମ୍‌ ‘ସୁପର-୩୦’ ଭାବେ ଅଧିକ ପରିଚିତ ହେଉଛି।
।ଆପଣଙ୍କ ଚରିତ୍ରରେ ହ୍ରିତିକ୍‌ଙ୍କ ଅଭିନୟକୁ କିଭଳି ଦେଖୁଛନ୍ତି?
ହ୍ରିତିକ୍‌ଙ୍କ ଅଭିନୟ ବହୁତ ଭଲ ହୋଇଛି। ଏହି ଫିଲ୍ମକୁ ବାରମ୍ବାର ଦେଖିବା ପରେ ଲାଗୁଛି ସତେ ଯେମିତି ମୁଁ ମୋ ନିଜକୁ ପରଦାରେ ଦେଖୁଛି। ଏଥିପାଇଁ ହ୍ରିତିକ୍‌କୁ ଗୋଟେ ବର୍ଷ କଷ୍ଟ ସହିବାକୁ ପଡ଼ିଛି। ମୋ ଭଳି କଥା କହିବା ଲାଗି ସେ ଜଣେ ପ୍ରଶିକ୍ଷକ ରଖିଥିଲେ। ନିଜ ଶରୀରରକୁ ପରିବର୍ତନ କରାଇଥିଲେ। ଅଭିନୟ ପୂର୍ବରୁ ମୋ ସହ ଘଣ୍ଟା ଘଣ୍ଟା ଆଲୋଚନା କରୁଥିଲେ।
।ଆଗାମୀ ଯୋଜନା ସମ୍ପର୍କରେ କ’ଣ କହିବେ?
‘ସୁପର-୩୦’କୁ ଆହୁରି ବଡ଼ କରିବି। ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ‌ଯେମିତି ଏକ ହଜାର ଛାତ୍ରଛାତ୍ରୀ ଉପକୃତ ହୋଇପାରି‌ବେ ସେଥିପ୍ରତି ଗୁରୁତ୍ବ ଦେବି। ଏକ ସ୍କୁଲ ଖୋଲିବାର ବି ଯୋଜନା ରହିଛି। ଯେଉଁଠାରେ ୬ଷ୍ଠ ଶ୍ରେଣୀରୁ ‌ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ।
।ଆପଣ ଆଇଆଇଟିରେ ପଢ଼ିବା ପାଇଁ ପିଲାଙ୍କୁ ପ୍ରସ୍ତୁତ କରୁଥିଲେ ହେଁ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ କମୁଛି, ଏନେଇ କ’ଣ କହିବେ?
ଇଞ୍ଜିନିୟରିଂରେ ନିଯୁକ୍ତି ସୁଯୋଗ କିଛିଟା କମିଛି। ଆଗକୁ ସବୁ ଠିକ୍‌ ହେବ ବୋଲି ଆଶା କରୁଛି। ଦେଶର ବିକାଶ ହେଉଥିବାରୁ ଭିତ୍ତିଭୂମିର ଉନ୍ନତି ପାଇଁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପଡ଼ିବ। ଯେଉଁମାନଙ୍କ ପାଖରେ ଜ୍ଞାନ ରହିଛି ସେମାନଙ୍କ ପାଇଁ ସବୁବେଳେ ନିଯୁକ୍ତି ଦ୍ବାର ଉନ୍ମୁକ୍ତ।
।ଓଡ଼ିଶାର ଛାତ୍ରଛାତ୍ରୀଙ୍କ ବାବଦରେ କ’ଣ କହିବେ?
ଓଡ଼ିଶାରେ ବହୁ ମେଧାବୀ ରହିଛନ୍ତି। ଚିତ୍ରକଳାଠୁ ଆରମ୍ଭ କରି କବିତା ଲେଖି ଏଠାକାର ଯୁବପିଢ଼ି ସମଗ୍ର ବିଶ୍ବରେ ପରିଚିତି ହାସଲ କରିପାରିଛନ୍ତି। ମେଧାବୀଙ୍କୁ ଉପଯୁକ୍ତ ସୁଯୋଗ ମିଳିବା ଦରକାର। ରାଜ୍ୟ ସରକାର ମଧ୍ୟ ଭଲ କାମ କରୁଛନ୍ତି। କିଛି ଦିନ ପୂର୍ବରୁ ବାତ୍ୟା ଦ୍ବାରା ଓଡ଼ିଶା ପ୍ରଭାବିତ ହୋଇଥିଲା। ଏବେ ଏମିତି ଲାଗୁଛି ଯେମିତି କିଛି ବି ହୋଇ ନଥିଲା। ସରକାରଙ୍କ ପକ୍ଷରୁ ଆମକୁ ଯଦି କିଛି ପ୍ରସ୍ତାବ ଆସେ ତେବେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବି।
ସାକ୍ଷାତକାର: କେଶବ ପାଣି

ସମ୍ବନ୍ଧିତ ଖବର