ସଙ୍ଗୀତ ସାଧକ ପରିଷଦ ପକ୍ଷରୁ ‘ଓଡ଼ିଆ ଗୀତିକବିତାର ସୁର ସଙ୍ଗୀତ’

ଭୁବନେଶ୍ୱର: ସଙ୍ଗୀତ ସାଧକ ପରିଷଦ ପକ୍ଷରୁ ‘ଓଡ଼ିଆ ଗୀତିକବିତାର ସୁର ସଙ୍ଗୀତ’ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତ ସଂଚାର ନିଗମ ଲିମିଟେଡ୍‌ର ଚିଫ୍‌ ଜେନେରାଲ ମ୍ୟାନେଜର୍‌ ସତ୍ୟବ୍ରତ ନାୟକ, ସମ୍ମାନିତ ଅତିଥି ଭାବେ ଟେଲିକମ୍‌ ମହିଳା କଲ୍ୟାଣ ସଂଗଠନ ସଭାପତି କଲ୍ୟାଣୀ ନାୟକ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଗୀତିକବି ପ୍ରାଧ୍ୟାପକ ଡ.ସଞ୍ଜୟ ଶତପଥୀ ଓ କଳାଋଷି ପଦ୍ମଶ୍ରୀ ବାବା ଯୋଗେନ୍ଦ୍ର ଜୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଆରମ୍ଭରେ ସାହିତ୍ୟିକ ଡ.ପ୍ରବୀଣା ମହାନ୍ତିଙ୍କ ଲିଖିତ ଗୀତ ‘ବୋଉ’, ସଙ୍ଗୀତଜ୍ଞ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କ ସ୍ୱର ସଂଯୋଜନାରେ ସଙ୍ଗୀତ ସାଧକ ପରିଷଦର ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା। ପରେ ପରେ ଫୁଲରେ ବସିଛି ପରଜାପତି, ବାଜେରେ ବୀଣା, ପ୍ରଭୁ ଶ୍ରୀ ଚରଣେ…ଆଦି ଗୀତିକବିତାରେ ଶ୍ରୋତାମାନେ ବିଭୋରେ ହୋଇଯାଇଥିଲେ। ଏହି ଅବସରରେ ଡ.ସଞ୍ଜୟ କୁମାର ଶତପଥୀଙ୍କ ରଚିତ ୧୦୮ ଭକ୍ତି ସଙ୍ଗୀତ ପୁସ୍ତକ ‘ନୀଳ ପଦୁଅଁ’ ଉନ୍ମୋଚିତ ହୋଇଥିଲା। ସାହିତ୍ୟ ଜଗତ ପ୍ରତି ଥିବା ଅବଦାନ ନିମନ୍ତେ ତାଙ୍କୁ ‘ଦର୍ପଣୀ କବି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରସିଦ୍ଧ ଗୀତିକବି ରସାରାଜ ନାରାୟଣ ପ୍ରସାଦ ସିଂ, ଗୌର ପଟ୍ଟନାୟକ, ସୁବାସ କର, ମନୋରମା ବିଶ୍ୱାଳ ମହାପାତ୍ର, ବାବା ବୈକୁଣ୍ଠ ବ୍ରହ୍ମଚାରୀ, ଅର୍ଚନା ନାୟକ, ବୃନ୍ଦାବନ ଜେନା, ହଂସନାଥ ମୁଦୁଲି ପ୍ରମୁଖ ଗୀତିକବିମାନଙ୍କର ଗୀତ ଗୁଡ଼ିକୁ ଶିଳ୍ପୀମାନେ ପରିବେଷଣ କରିଥିଲେ। ଅନୁଷ୍ଠାନର ସମ୍ପାଦକ କୃଷ୍ଣା ଶତପଥୀ ବିବରଣୀ ପାଠ କରିଥିବା ବେଳେ ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର