ସରିଲା‘ସୁରଭି’ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ସୁଫଳ ପିଲାଏ ଖୁବ୍‌ଶୀଘ୍ର ପାଇବେ

ଭୁବନେଶ୍ୱର : ପିଲାମାନେ ଭଲ ନାଗରିକ ହେଲେ ହିଁ ଦେଶ ଅଗ୍ରଗତି କରିବ। ତେଣୁ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ପିଲାଙ୍କ ପାଇଁ ଘୋଷଣା କରିଥିବା ଶିକ୍ଷା ହିତୈଷୀ ଯୋଜନାଗୁଡ଼ିକୁ ୨୦୧୮-୧୯ ବଜେଟ୍‌ରେ କାର୍ଯ୍ୟକାରୀ କରାଯିବ। ପିଲାମାନେ ଏହି ଯୋଜନାର ଲାଭ ଖୁବ୍‌ଶୀଘ୍ର ପାଇପାରିବେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୯ନଂ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଶିଶୁ ମହୋତ୍ସବ ‘ସୁରଭି’ର ଉଦ୍‌ଯାପନୀ ଉତ୍ସବରେ ଏଭିଳ ମତ ରଖିଛନ୍ତି ଅତିଥିବୃନ୍ଦ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ନିଜ ଅଭିଭାଷଣରେ ଶିକ୍ଷା ଓ ଶିକ୍ଷାର୍ଥୀଙ୍କ ସାମଗ୍ରିକ ବିକାଶ ହିଁ ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇପାରିବ ବୋଲି କହିଥିଲେ। ଏଥିସହିତ ସେ ପୁରାଣର ପ୍ରହଲ୍ଲାଦ, ବାଜିରାଉତ, ଧର୍ମପଦ ଭଳି ଆଦର୍ଶ ଶିଶୁମାନଙ୍କ ବ୍ୟକ୍ତିତ୍ୱ ବାବଦରେ ବକ୍ତବ୍ୟ ରଖି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବିଜୟ ମହାନ୍ତି ଏବଂ ପ୍ରିୟଦର୍ଶୀ ମିଶ୍ର ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କ ଶିଶୁ ଦିବସର ଘୋଷଣା ସମ୍ପର୍କରେ ଦୋହରାଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ମିଶ୍ର କହିଥିଲେ, ଯେ ଆମେ ପଢ଼ିବୁ, ଗଢ଼ିବୁ, ଶ୍ରେଷ୍ଠ ହେବୁ’ ସଂକଳ୍ପ ନେଇ ଆଗକୁ ବଢ଼ିବା ସହ ଭଲ ମଣିଷ ହେବା ପାଇଁ ପ୍ରାଥମିକତା ଦେବା ଆବଶ୍ୟକ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାରମ୍ଭରେ ଓପେପାର ନିର୍ଦେଶକ ମହେନ୍ଦ୍ର କୁମାର ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱତନ୍ତ୍ର ଶାସନ ସଚିବ ତଥା ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୩ ଦିନ ମଧ୍ୟରେ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତତା, ପ୍ରଶ୍ନୋତ୍ତର, ଚିତ୍ରାଙ୍କନ, ସଂଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ପାଟିରୁ ସ୍ଲିପ୍‌ ହେଇଗଲା…

ସୁରଭି ମଞ୍ଚରେ ଆଜି ସମସ୍ତ ଅତିଥିଙ୍କ ଭାଷଣରେ ଥିଲା ଗତ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ବାର୍ତା। ମନ୍ତ୍ରୀ, ବିଧାୟକ, ସଚିବ, ନିର୍ଦେଶକ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ସେଦିନର ଘୋଷଣାକୁ ନେଇ ଗଦଗଦ ହୋଇଯାଇଥିଲେ। ତେବେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କର ଭାବାବେଗ ଏତେ ବଢ଼ି ଯାଇଥିଲା ଯେ ସେ କୋଣାର୍କ ସୂର୍ଯ୍ୟମନ୍ଦିର କଥା କହୁକହୁ ଭୁଲ୍‌ରେ ୧୨ଶହ ବଢ଼େଇ ଜାଗାରେ ୧୨ ହଜାର ବୋଲି କହିଦେଇଥିଲେ। ଖାଲି ସେତିକି ନୁହେଁ ଗତ ୧୪ ତାରିଖରେ ହୋଇଥିବା ଶିଶୁ ଦିବସ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ହୋଇଥିଲା ବୋଲି ବାଉଳାରେ କହିଦେଇଥିଲେ। ଦୁଇଟି ତଥ୍ୟ ଯେ ତାଙ୍କୁ ମାଲୁମ୍‌ ନଥିଲା ସେକଥା ନୁହେଁ, କିନ୍ତୁ କହୁକହୁ ପାଟିରୁ ଟିକେ ସ୍ଲିପ୍‌ ହେଇଗଲା…।

ସମ୍ବନ୍ଧିତ ଖବର