ଜବରଦଖଲ ଉଚ୍ଛେଦ ପାଇଁ ମୁଖ୍ୟ ଡ୍ରେନ୍‌ ଉପରେ ସର୍ଭେ ଆରମ୍ଭ

ଭୁବନେଶ୍ୱର: ରାଜଧାନୀର ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଜବରଦଖଲରେ ଛନ୍ଦି ହୋଇଯାଇଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନି। ଯାହା ରାଜଧାନୀରେ କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ରାଜଧାନୀବାସୀଙ୍କୁ ଜଳବନ୍ଦୀ ସମସ୍ୟାରୁ ମୁକୁଳାଇବା ପାଇଁ ବିଏମ୍‌ସି ଓ ବିଡିଏ ପକ୍ଷରୁ ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଉପରେ କେତେ ଜବରଦଖଲକାରୀ ଅଛନ୍ତି, କେତେ ଜମି ଜବରଦଖଲ ଅଛି, କେଉଁଠି କ’ଣ ନିର୍ମାଣ ହୋଇଛି ତା’ର ସବିଶେଷ ସର୍ଭେ କରାଯିବ। ଏହାପରେ ଏହି ଜବରଦଖଲକୁ ଉଚ୍ଛେଦ କରାଯାଇ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ହେବ ବୋଲି ନିଷ୍ପତ୍ତି ହୋଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଉପରୁ ଜବରଦଖଲ ଉଚ୍ଛେଦ କରି, ଜମି ଅଧିଗ୍ରହଣ ଏବଂ ଦୁଇ କଡ଼ରେ କଙ୍କ୍ରିଟ ପାଚେରି ନିର୍ମାଣ କଲେ ପ୍ରାୟ ୪ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ତେଣୁ ସର୍ଭେ ପରେ ଏହାର ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

୨୦୧୩ ସୁଦ୍ଧା ୭ଟି ମୁଖ୍ୟ ଡ୍ରେନ୍‌ ଉପରେ ୧୩୯ଟି ବେଆଇନ ନିର୍ମାଣ ଥିଲା

ଡ୍ରେନ୍‌ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୪ହଜାର କୋଟି

ରାଜଧାନୀର ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଉପରେ କେତେ ବେଆଇନ ନିର୍ମାଣ ହୋଇଛି ତା’ର ତାଲିକା ନଗର ଉନ୍ନୟନ ବିଭାଗ ପାଖରେ ୨୦୧୩ ମସିହାରୁ ଥିବାବେଳେ ଆଜି ପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇପାରିଲାନି। ଏପଟେ ବିଏମ୍‌ସି ଓ ବିଡିଏ ପକ୍ଷରୁ ହେଉଥିବା ସର୍ଭେ ପରେ ଏହାକୁ କେତେଦୂର କାର୍ଯ୍ୟକାରୀ କରାଯିବ ସେନେଇ ଚର୍ଚ୍ଚା ଆରମ୍ଭ ହେଲାଣି। କେଉଁ ମୁଖ୍ୟ ଡ୍ରେନ୍‌ ଉପରେ କେତେ ଜବରଦଖଲ ଅଛି ସେନେଇ ‘ସମ୍ବାଦ’ରେ ଜୁଲାଇ ୨୫ତାରିଖରେ ରିପୋର୍ଟ ପ୍ରକାଶ ପାଇବା ପରେ ବିଏମ୍‌ସି ଓ ବିଡିଏ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ୨୦୧୩ ସୁଦ୍ଧା ରାଜଧାନୀର ମୋଟ୍‌ ୧୦ଟି ମୁଖ୍ୟ ଡ୍ରେନ୍‌ରୁ ୭ଟି ଉପରେ ୧୩୯ଟି ସ୍ଥାନରେ ବେଆଇନ ନିର୍ମାଣ ହୋଇଥିଲା। ହେଲେ ଏହାପରେ ଡ୍ରେନ୍‌ ଉପରେ ଆହୁରି ଅଧିକ ବେଆଇନ ନିର୍ମାଣ ବଢ଼ିଥିବା ଆଶଙ୍କା ଥିବାରୁ ଆମେ ପୁଣି ଥରେ ସର୍ଭେ କରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବୁ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୨୦୧୩ ସୁଦ୍ଧା ମୁଖ୍ୟ ଡ୍ରେନ୍‌ ୪ ଉପରେ ସବୁଠୁ ଅଧିକ ବେଆଇନ ନିର୍ମାଣ ହୋଇଥିଲା। ଏହି ସମୟ ସୁଦ୍ଧା ୪୭ଜଣ ଏହା ଉପରେ ଘର ନିର୍ମାଣ କରିଥିଲେ। ସେହିପରି ଡ୍ରେନ୍‌ ୮ ଉପରେ ୩୮ଜଣ, ଡ୍ରେନ୍‌ ୭ ଉପରେ ୨୧ଜଣ, ଡ୍ରେନ୍‌ ୧ଉପରେ ୫ଜଣ, ଡ୍ରେନ୍‌ ୧୦ ଉପରେ ୧୩ଜଣ, ଡ୍ରେନ୍‌ ୬ ଉପରେ ୧୦ଜଣ ଏବଂ ଡ୍ରେନ୍‌ ୫ ଉପରେ ୪ଜଣ ଘର ନିର୍ମାଣ କରିଥିଲେ।

ଏନେଇ ବିଡିଏର ଅତିରିକ୍ତ କମିସନର ଭବାନୀ ଶଙ୍କର ଚଇନି କହିଛନ୍ତି ଯେ, ଆମେ ମୁଖ୍ୟ ଡ୍ରେନ୍‌ ୪, ୭ ଏବଂ ୧୦ ଉପରେ ସର୍ଭେ କାର୍ଯ୍ୟ ଶେଷ କରିବା ପରେ ଏହା ଉପରୁ ଉଚ୍ଛେଦ ଆରମ୍ଭ କରିବୁ। ପ୍ରାରମ୍ଭିକ ସର୍ଭେରୁ ଜଣାପଡ଼ିଛି ଯେ, ଏହି ତିନିଟି ଡ୍ରେନ୍‌ ଉପରେ ଅଧିକ ବେଆଇନ ନିର୍ମାଣ ହୋଇଛି। ସେହିପରି ମୁଖ୍ୟ ଡ୍ରେନ୍‌ ୫,୬,୮ ଓ ୧ ଉପରେ ବି ବହୁ ବେଆଇନ ନିର୍ମାଣ ହୋଇଛି। ଯେଉଁଗୁଡ଼ିକ ବେଆଇନ ଭାବେ ନିର୍ମାଣ ହୋଇଥିବ ସେଗୁଡ଼ିକୁ ଉଚ୍ଛେଦ କରାଯିବ। ସରକାରୀ ଜମିରେ ବେଆଇନ ନିର୍ମାଣ ହୋଇଥିଲେ ତାହାକୁ ତୁରନ୍ତ ଭଙ୍ଗାଯିବ। ଘରୋଇ ଜମିରେ ନିର୍ମାଣ ହୋଇଥିଲେ ଓଡ଼ିଶା ମହାନଗର ନିଗମ ଆଇନ,୨୦୦୩ର ଧାରା ୨୮୮ ଅନୁଯାୟୀ ଉଚ୍ଛେଦ କରାଯିବ। ମୁଖ୍ୟ ଡ୍ରେନ୍‌ ଉପରେ ଥିବା ଜବରଦଖଲ ସର୍ଭେ କରିବା ପାଇଁ ବିଏମ୍‌ସି ଡ୍ରେନେଜ୍‌ ଡିଭିଜନ୍‌, ରାଜସ୍ୱ ବିଭାଗ କର୍ମଚାରୀ, ଜୋନାଲ ଡେପୁଟି କମିସନର୍‌ମାନେ ନିୟୋଜିତ ହେବେ। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏଣିକି ଲୋକମାନେ ରାଜଧାନୀରେ ଜମି କିଣିବା ପୂର୍ବରୁ ଯାଞ୍ଚ କରିନିଅନ୍ତୁ ଉକ୍ତ ଜମି ମୁଖ୍ୟ ଡ୍ରେନ୍‌ ନିକଟରେ ଅଛି କି ନାହିଁ। ଏହାଦ୍ୱାରା ଡ୍ରେନ୍‌ରେ ଜଳ ପ୍ରବାହ ବାଧାପ୍ରାପ୍ତ ହେଉଛି କି ନାହିଁ। ଏହାଦ୍ୱାରା ସେମାନେ ସାରା ଜୀବନ ପାଇଁ ବିନା ଟେନସନ୍‌ରେ ଘର କରି ରହିପାରିବେ।

ସମ୍ବନ୍ଧିତ ଖବର