ଲକ୍ଷ୍ମୀସାଗରରେ ବୋମା ଗୁଜବ : ସନ୍ଦିଗ୍ଧ ପ୍ୟାକେଟ୍‌ରେ ଇଂରାଜୀ ନଭେଲ୍‌

ଭୁବନେଶ୍ବର : ସନ୍ଧ୍ୟା ୬ଟା ୨୦। ଝାରପଡ଼ା ଜେଲ୍‌ରୁ ଓସ୍କାର ସିଟି ଆଡ଼େ ଏକ ଅନୁସନ୍ଧାନରେ ବାହାରିଥାନ୍ତି ଲକ୍ଷ୍ମୀସାଗର ଥାନା ଆଇଆଇସି ଦୟାନିଧି ନାୟକ। ସ୍ବାଗତ ହୋଟେଲ କଡ଼ରେ ଥିବା ଡିଏମ୍‌ ସିଷ୍ଟମ୍‌ସ୍‌ରୁ ଫୋନ୍‌ ଆସିଲା, ‘କାଗଜ ପେଟିରେ କିଏ ବୋମା ରଖି ପଳାଇଛି’। ଘଟଣାସ୍ଥଳରେ କୁ ଏକ ପିସିଆର ଭ୍ୟାନ୍‌ତୁରନ୍ତ ପହଞ୍ଚିବାକୁ ନିର୍ଦ୍ଦେଶ ଦେବା ସହ ବମ୍‌ ସ୍କ୍ବାଡ୍‌ ସହ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକ କାଗଜ ପେଟି(ଅମୁଲ ପ୍ୟାକେଟ୍‌) ପ୍ୟାକ୍‌ ହୋଇ ସ୍ବାଗତ ହୋଟେଲ ଗଳିରେ ଥିବା ଡିଏମ୍‌ ସିଷ୍ଟମ୍‌ସ୍‌ ସାମ୍ନାରେ ରଖା ଯାଇଥିଲା। ଲୋକମାନଙ୍କ ଆଖପାଖରୁ ଖାଲି କରିବା ସହ ସମ୍ପୃକ୍ତ ଦୋକାନକୁ ବନ୍ଦ କରାଯାଇଥିଲା। ଏହାକୁ ଡିଫ୍ୟୁଜ୍‌ କରିବା ପାଇଁ ବମ୍‌ ସ୍କ୍ବାଡ୍‌ ସତର୍କତା‌ର ସହଏହି ପ୍ୟାକେଟ୍‌କୁ ଖୋଲିଥିଲା। ହେଲେ ଏହା ଭିତରୁ କେତେକ ଇଂରାଜୀ ନୋଭେଲ୍‌, ଟେଡି ବିଅର, ଗ୍ରିଟିଙ୍ଗ୍‌ସ୍‌ କାର୍ଡ ମିଳିଥିଲା। ସମସ୍ତ ଇଂରାଜୀ ନଭେଲ୍‌ ପ୍ରେମ-ବିରହର ଥିବା ବେଳେ ଟେଡି ବିଅର ମଧ୍ୟ ପ୍ରେମକୁ ସୂଚାଉଥିଲା। ଏଣୁ ଜଣେ ହତାଶ ପ୍ରେମିକର ଏହା ଏକ କାଣ୍ଡ ବୋଲି ପୁଲିସ ଅନୁମାନ କରିଥିଲା। ତେବେ ନିର୍ବାଚନ ଋତୁ ଚାଲିଥିବାରୁ ଏହି ବୋମା ଗୁଜବକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଥିଲା। ମାତ୍ର କେଇ ସେକେଣ୍ଡରେ ଏହି ଖବର ଡିଜିଙ୍କ ପାଖରେ ପହଞ୍ଚି ଯାଇଥିଲା। କେଉଁ ଦଳୀୟ କର୍ମୀର ସମ୍ପୃକ୍ତି ବାହାରିଲେ ସିଧାସଳଖ ମତଦାନ ଉପରେ ପ୍ରଭାବ ପଡ଼ିବା ଆଶଙ୍କା ଥିବାରୁ କେତେକ ନେତା ମଧ୍ୟ ପ୍ରମାଦ ଗଣିଥିଲେ। ପଚରା ଉଚରାରୁ ଜଣାପଡ଼ିଥିଲା କି, ଜଣେ ଯୁବକ ଏକ କାର୍‌ରେ ଆସି ସମ୍ପୃକ୍ତ ଡିଏମ୍‌ ସିଷ୍ଟମ୍‌ସ୍‌ କର୍ମଚାରୀଙ୍କୁ ତାଙ୍କର ମାଲ୍‌ ଆସିଥିବା କହିଥିଲା। କିନ୍ତୁ ତାଙ୍କର କୌଣସି ମାଲ୍‌ ଆସିବାର ନଥିଲା କିମ୍ବା ଏଠାରୁ ଆସି କେହି ନେଇ ଯିବା ପାଇଁ ଯୋଜନା ମଧ୍ୟ ନ ଥିଲା। ଏଣୁ ସନ୍ଦେହରେ ସେ ପୁଲିସକୁ ଖବର ଦେଇଥିଲେ। ତେବେ ଯୁବକ କିଏ, ଏଭଳି କରିବାର ତାଙ୍କର କ’ଣ ଉଦ୍ଦେଶ୍ୟ, ସେ ନେଇ ତଦନ୍ତ ଚାଲିଛି। ସମ୍ପୃକ୍ତ ଅଞ୍ଚଳର ସିସିଟିଭି କ୍ୟାମେରା ଫୁଟେଜ୍‌ ଯାଞ୍ଚ ହେଉଛି। ଗାଡ଼ି ନମ୍ବର ଠାବ କରାଯାଇ ଅଭିଯୁକ୍ତକୁ ଧରାଯିବ ବୋଲି ଇନ୍‌ସ୍‌ପେକ୍ଟର ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର