‘ସୁସ୍ଥ ଭାରତ’ ଯାତ୍ରା ବାତିଲ୍

ଭୁବନେଶ୍ବର: ଚଳିତ ମାସ ୧୧ ତାରିଖରେ ରାଜଧାନୀରେ ପହଞ୍ଚିବାକୁ ଥିବା ‘ସୁସ୍ଥ ଭାରତ’ ଯାତ୍ରାକୁ ବାତିଲ୍ କରି ଦିଆଯାଇଛି। ରାଜ୍ୟରେ ଗତ ମାସରେ ହୋଇଥିବା ‘ତିତ୍‌ଲି’ ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ବାତିଲ୍ କରି ଦିଆଯାଇଥିବା ଜଣାପଡ଼ିଛି। ଫଳରେ ରାଜଧାନୀ ସମେତ ରାଜ୍ୟବାସୀ ଲୁଣରେ ଲୌହ ମିଶିବାକୁ ନେଇ ଜାରି ରହିଥିବା ସଚେତନତା ବାର୍ତାରୁ ବଞ୍ଚିତ ହୋଇଛନ୍ତି। ଲୋକଙ୍କ ଦେହରେ ଆୟୋଡିନ୍‌ କମିବାକୁ ନେଇ ଆୟୋଡିନ୍‌ଯୁକ୍ତ ଲୁଣ ବଜାରକୁ ଆସିଥିଲା। ଫଳରେ ଆୟୋଡିନ୍‌ର ଅଭାବ ଯୋଗୁଁ ଦେଖା ଯାଉଥିବା ରୋଗ ନିୟନ୍ତ୍ରଣକୁ ଆସି ପାରିଛି। ଏବେ ବି ରାଜ୍ୟ ତଥା ଦେଶର ଲୋକମାନେ ଆଇରନ୍ ବା ଲୌହର ଅଭାବର ଶିକାର ହେଉଥିବା ଦେଖାଯାଉଛି। ୬୦ଭାଗ ମହିଳା ରକ୍ତହୀନତାର ଶିକାର ହେଉଥିବା ବେଳେ ୩୦/୫୦ଭାଗ ପୁରୁଷ ଓ ୬୦ଭାଗ ଛାତ୍ରଛାତ୍ରୀ ଏହାର ଶିକାର ହେଉଥିବା ଜଣାପଡ଼ିଛି। ଲୌହର ଅଭାବ ଯୋଗୁଁ ଲୋକମାନେ ରକ୍ତହୀନତାର ଶିକାର ହୋଇଥାନ୍ତି। ଫଳରେ କମ୍ ପରିଶ୍ରମରେ ହାଲିଆ ହୋଇଯିବା, ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଦେଇଥାଏ। ତେଣୁ ରକ୍ତହୀନତାକୁ କିଭଳି ଦୂର କରାଯାଇ ପାରିବ, ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗତ ମାସ ୩୦ ତାରିଖରେ ‘ସୁସ୍ଥ ଭାରତ’ ଯାତ୍ରା ବାରିପଦାରେ ପହଞ୍ଚିବ। ପରେ ବିଭିନ୍ନ ଜିଲ୍ଲା ପରିଦର୍ଶନ କରି ରାଜଧାନୀରେ ୧୧ ତାରିଖରେ ପହଞ୍ଚିବ। ରାଜଧାନୀରେ ଏକ ସଚେତନତା କାର୍ଯ୍ୟକ୍ରମ ରହିଥିଲା। ତେବେ ଏହାକୁ ଶେଷ ମୁହୂର୍ତରେ ବାତିଲ୍ କରି ଦିଆଯାଇଛି। ବାତ୍ୟା ସମୟରେ ଏହାର ପ୍ରସ୍ତୁତି କରିବା ସମ୍ଭବ ନ ଥିବାରୁ ଏହାକୁ ବାତିଲ କରାଯାଇଥିବା ଖାଦ୍ୟ ସୁରକ୍ଷା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସାଇକେଲ ସଂଗ୍ରହଠାରୁ ଆରମ୍ଭ କରି ପ୍ରତି ଜିଲ୍ଲାରେ ହେବାକୁ ଥିବା ସଭା ପାଇଁ କର୍ମଚାରୀଙ୍କ ଅଭାବ ଯୋଗୁଁ ଏହାକୁ ଆୟୋଜନ କରିବା ସମ୍ଭବ ନ ଥିଲା। ବାତିଲ କରାଯିବା ନେଇ ଏଫ୍‌ଏସ୍‌ଏସ୍‌ଏଆଇ କର୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି ବୋଲି ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର