କେନ୍ଦ୍ରୀୟ ଟିମ୍‌ ଡକ୍ୟୁମେଣ୍ଟ ଯାଞ୍ଚ କଲା : ୪୬୫ମାର୍କ କଟିବା ନିଶ୍ଚିତ

ସ୍ୱଚ୍ଛ ସର୍ବେକ୍ଷଣ ୨୦୧୮

ଭୁବନେଶ୍ୱର : ଜାନୁଆରି ୩ରୁ ସ୍ୱଚ୍ଛ ସର୍ବେକ୍ଷଣ ଆରମ୍ଭ ହୋଇଥିବାବେଳେ ଭୁବନେଶ୍ୱର ଯେପରି ଶ୍ରେଷ୍ଠ ୧୦୦ ମଧ୍ୟରେ ରହିବ ସେନେଇ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ କରିଛି। ମୋଟ୍‌ ୪୦୦୦ମାର୍କରୁ ଯଥାସମ୍ଭବ ଅଧିକ ମାର୍କ ରଖିବାକୁ ଯୋଜନା କରିଥିଲେ ହେଁ ମାର୍କ କମିଯିବା ଆଶଙ୍କା ସୃଷ୍ଟି ହୋଇଛି।

ଆଜିଠାରୁ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ୱର ଗସ୍ତରେ ଆସିଥିବାବେଳେ ବିଏମ୍‌ସିରେ ସ୍ୱଚ୍ଛ ସର୍ବେକ୍ଷଣ ନେଇ ପ୍ରସ୍ତୁତ ହୋଇଥିବା ଡକୁମେଣ୍ଟ ଯାଞ୍ଚ କରିଛି। ତିନି ଦିନିଆ ଗସ୍ତରେ କେନ୍ଦ୍ରୀୟ ଟିମ୍‌ ବିଭିନ୍ନ ସର୍ବସାଧାରଣ ସ୍ଥାନ, ମାର୍କେଟ ଅଞ୍ଚଳ, ଧାର୍ମିକ ପୀଠ, ପ୍ରମୁଖ ରାସ୍ତା, ପବ୍ଲିକ ଟଏଲେଟ୍‌ ଆଦି ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି। ବିଏମ୍‌ସି ଦେଇଥିବା ଡକୁମେଣ୍ଟରୁ ୧୪୦୦ମାର୍କ ଉପରେ ମାର୍କିଂ ହେବ। ଏତିକି ତଥ୍ୟରେ ବିଏମ୍‌ସି ପ୍ରାୟ ୪୬୫ମାର୍କ ହରାଇବା ଏକରକମ ନିଶ୍ଚିତ। ଏହାବାଦ୍‌ ଆଉ ନମ୍ବର କଟିପାରେ। ମିଳିଥିବା ସୂଚନା ଅନୁଯାୟୀ, ଆବର୍ଜନା ସଂଗ୍ରହ ବେଳେ ଓଦା ଏବଂ ଶୁଖିଲା ଆବର୍ଜନା ପୃଥକ କରାଯାଉନଥିବାରୁ ଏଥିରେ ୪୮ମାର୍କ ହରାଇବ। ସେହିପରି ଆବର୍ଜନାକୁ ବିଶୋଧନ କରାଯାଉନଥିବାରୁ ୪୮ମାର୍କ, ରାତିରେ ବିଭିନ୍ନ ମାର୍କେଟ ଅଞ୍ଚଳରେ ସଫେଇ ପାଇଁ ୩୪ମାର୍କ ଥିବାବେଳେ ଏଥିରେ ପ୍ରାୟ ୨୬ମାର୍କ, ଟୁଇନ୍‌ ବିନ୍‌ ପ୍ରତି ୫୦୦ମିଟରରେ ଲଗାଇବା ସହ ଏହାର ବ୍ୟବହାର ପାଇଁ ୩୦ମାର୍କ ଥିବାବେଳେ ଏଥିରେ ୧୨ମାର୍କ, ଓଦା ଆବର୍ଜନା ଏକତ୍ର ବା ପୃଥକ ପୃଥକ ଭାବେ ବିଶୋଧନ ନ କରିବା ପାଇଁ ୫୦ମାର୍କ କଟିବ। ଏହାସହ ଶୁଖିଲା ଆବର୍ଜନା ବିଶୋଧନ କ୍ଷେତ୍ରରେ ୫୦ମାର୍କ, ଆବର୍ଜନାରୁ ବାହାରୁଥିବା ଖତକୁ ବିକ୍ରି ନ କରିପାରିବା ଯୋଗୁଁ ୩୦ମାର୍କ, ମାନ୍ୟତାପ୍ରାପ୍ତ କମ୍ପୋଷ୍ଟ ଉତ୍ପାଦନକାରୀ ସଂସ୍ଥା ନ ଥିବାରୁ ୨୦ମାର୍କ, ଓଡିଏଫ୍‌ ସହର ହୋଇପାରିନଥିବାରୁ ୧୧୦ମାର୍କ, ସ୍ୱେରେଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ନଥିବାରୁ ୪୨ମାର୍କ, ସବୁ ପେଟ୍ରୋଲ ପମ୍ପରେ ଶୌଚାଳୟ ନଥିବାରୁ ୯ମାର୍କ, ସ୍ୱଚ୍ଛ ହୋଟେଲ, ସ୍ୱଚ୍ଛ ସ୍କୁଲ, ସ୍ୱଚ୍ଛ ମାର୍କେଟ୍‌ ପ୍ରତିଯୋଗିତା ହେଉନଥିବାରୁ ୨୦ମାର୍କ ହରାଇବ। ଏହିଭଳି ପ୍ରାୟ ୪୬୫ ମାର୍କ ହରାଇବା ନିଶ୍ଚିତ। ଯଦି ବିଏମ୍‌ସି କର୍ତ୍ତୃପକ୍ଷ ଡକୁମେଣ୍ଟରେ ଏ ସବୁ ଅଛି ବୋଲି ଚଞ୍ଚକତା କରି ଦର୍ଶାଇଥିବେ ତେବେ କିଛି ମାର୍କ କଟିବାରୁ ରକ୍ଷା ପାଇଯିବେ।

ଏହାପରେ କେନ୍ଦ୍ରୀୟ ଟିମ୍‌ ବିଭିନ୍ନ ସ୍ଥାନ ବୁଲି ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରିବେ ବୋଲି କହିଛନ୍ତି। ନାଗରିକ ମତାମତରେ ମୋଟ୍‌ ୧୪୦୦ ମାର୍କ ଥିବାବେଳେ କେନ୍ଦ୍ରୀୟ ଟିମ୍‌ ଏଥିରୁ ୪୦୦ମାର୍କ ଉପରେ ମାର୍କିଂ କରିବେ ବୋଲି କହିଛନ୍ତି। କେନ୍ଦ୍ରୀୟ ଟିମ୍‌ ଆବଶ୍ୟକସ୍ଥଳେ ତିନି ଦିନ ପରେ ଅଧିକ ଦିନ ମଧ୍ୟ ରହିପାରନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର