ସ୍ବଦେଶୀ ମେଳା ଉଦ୍‌ଯାପିତ : ବିଦେଶୀ ମାନସିକତା ପରିବର୍ତନ କରିବାକୁ ପଡ଼ିବ

ଚନ୍ଦ୍ରଶେଖରପୁର : ବର୍ତମାନ ସମୟରେ ଲୋକଙ୍କ ଉଚ୍ଚାରଣରେ କେବଳ ସ୍ବଦେଶୀ ରହିଛି। ହେଲେ ଆଚରଣରେ ଆଦୌ ପ୍ରତିଫଳିତ ହେଉ ନାହିଁ। ସବୁ କଥାରେ ଆମେ ବିଦେଶୀକୁ ପସନ୍ଦ କରୁଛୁ। ଏପର୍ଯ୍ୟନ୍ତ ରାଜଧାନୀବାସୀଙ୍କ ଭାଷା ସ୍ବଦେଶୀ ହୋଇପାରିନି। ଭୁବନେଶ୍ବରର ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ାଇବାକୁ ପସନ୍ଦ କରୁଛନ୍ତି। ଓଡ଼ିଆ ମିଡିୟମ୍‌କୁ ପସନ୍ଦ କରୁନାହାନ୍ତି। ଛାତ୍ରଛାତ୍ରୀ ବିଦେଶକୁ ଯିବା, ବିଦେଶରେ ଶିକ୍ଷାଲାଭ କରିବା ଓ ବଡ଼ କଲେ‌ଜରେ ପଢ଼ିବା ପାଇଁ ଚେଷ୍ଟା କରୁଛନ୍ତି। ଗତ ୨୦ରୁ ୨୫ ବର୍ଷ ହେଲା ଏହି ଧାରା ଜାରି ରହିଛି। ଶିକ୍ଷା ବ୍ୟବସ୍ଥାକୁ ଆଜି ପର୍ଯ୍ୟନ୍ତ ସ୍ବଦେଶୀ କରାଯାଇପାରି ନଥିବା ବେଳେ ସ୍ବାସ୍ଥ୍ୟ ବ୍ୟବସ୍ଥା ବି ସ୍ବଦେଶୀ ହୋଇପାରିନି। ସମସ୍ତେ ବିଦେଶୀ ପ୍ରତି ଆକୃଷ୍ଟ ହେଉଛନ୍ତି। ଏବେ ସମୟ ଆସିଛି ବିଦେଶୀ ମାନସିକତାକୁ ପରିବର୍ତନ କରିବାକୁ ପଡ଼ିବ। ନ ହେଲେ ଯେତେ ସ୍ବଦେଶୀ ମେଳା କଲେ ମଧ୍ୟ ସ୍ବଦେଶୀ ହୋଇପାରିବା‌ ନାହିଁ ବୋଲି ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।

ଡମଣା ଛକ ନିକଟ ଟାଉନ୍‌ କ୍ଲବ ପଡ଼ିଆରେ ଚାଲିଥିବା ସ୍ବଦେଶୀ ମେଳାର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଯେକୌଣସି ନୂଆ କାମ କରିବାକୁ ଯିବା ସମୟରେ ବାଧାବିଘ୍ନ ଆସିଥାଏ। ତାହାର ମୁକାବିଲା କରି ଆଗକୁ ଯିବାକୁ ହେବ। ସ୍ବଦେଶୀ ସାମଗ୍ରୀକୁ ଲୋକଙ୍କ ନିକଟରେ ଗ୍ରହଣୀୟ ଓ ଆଦୃତ କରାଯିବାର ଆବଶ୍ୟକତା ରହିଛି। ଗତବର୍ଷ ତୁଳନାରେ ଏଥର ସ୍ବଦେଶୀ‌ ମେଳା ପ୍ରତି ଗ୍ରାହକଙ୍କ ଆଦର ବଢ଼ିଥିବା ପରିଲକ୍ଷିତ ହେଉଛି। ଆଗାମୀ ଦିନରେ ଏହା ଆହୁରି ସଫଳ ହେବ ବୋଲି ସେ ଆଶାପ୍ରକଟ କରିଛନ୍ତି।

ସ୍ବଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ସଙ୍ଗଠକ ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟବକ୍ତାଭା‌ବେ ଯୋଗଦେଇ ସ୍ବାଦେଶୀ ମେଳାର ଆୟୋଜନ ସମ୍ପର୍କରେ ଆଲୋକପାତ କରିଥିଲେ। ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରି କଲେଜର ଅଧ୍ୟକ୍ଷ ତଥା ସ୍ବାଦେଶୀ ମେଳାର ମୁଖ୍ୟ ଉପଦେଷ୍ଟା ପ୍ରଶାନ୍ତ କୁମାର ରାଉତ ଯୋଗଦେଇ ସ୍ବଦେଶୀ ମେଳାର ଆବଶ୍ୟକତା ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବଦେଶୀ ମେଳା ସଂଯୋଜକ ଶିଶିର ମିଶ୍ର, ମଞ୍ଚର ମହାନଗର ସଂଯୋଜକ ବିଜୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହିଥି‌ଲେ। ସ୍ବଦେଶୀ ଜାଗରଣ ମଞ୍ଚ ଓ ସିବିଏମ୍‌ଡିର ମିଳିତ ସହଯୋଗରେ ୧୨ ଦିନ ଧରି ଆୟୋଜିତ ଏହି ମେଳା ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର