ଭୁବନେଶ୍ୱର : ସ୍ୱଦେଶୀ ଦ୍ରବ୍ୟର ଲୋକଙ୍କ ମଧ୍ୟରେ ଚାହିଦା ବଢ଼ାଇବା ନେଇ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ସ୍ୱଦେଶୀ ମେଳା ଆଜି ସ୍ଥାନୀୟ ରସୁଲଗଡ଼ ଦୁର୍ଗା ପୂଜା ମଣ୍ଡପ ପଡ଼ିଆରେ ଉଦ୍ଘାଟିତ ହୋଇଛି। ଏଥିରେ ଓଡ଼ଶା ସମେତ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ ଆଦି ରାଜ୍ୟର ବ୍ୟବସାୟୀମାନେ ୨୦୦ଟି ସ୍ୱଦେଶୀ ଦ୍ରବ୍ୟର ଷ୍ଟଲ ଖୋଲିଛନ୍ତି। ଏହିସବୁ ରାଜ୍ୟର ହସ୍ତତନ୍ତ ସାମଗ୍ରୀ, ପେଷାକପତ୍ର, ଖାଦ୍ୟ ଦ୍ରବ୍ୟ, ଜଡ଼ିବୁଟି ଆଦି ସୁଲଭ ମୂଲ୍ୟରେ ମିଳୁଛି। ମେଳା ଆରମ୍ଭରୁ ବିଭିନ୍ନ ସ୍ୱଦେଶୀ ସାମଗ୍ରୀ କ୍ରୟ କରିବା ନେଇ ଗ୍ରାହକଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ଏହି ମେଳାକୁ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଅନୁଷ୍ଠାନର ପ୍ରାନ୍ତ ସଂଗଠକ ନିର୍ମଳ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ଡ. ସୁଧାକର ପଣ୍ଡା ଯୋଗ ଦେଇଥିଲେ। ଚାଇନା ଦ୍ରବ୍ୟକୁ ବର୍ଜନ କରି ସ୍ୱଦେଶୀ ଦ୍ରବ୍ୟକୁ ଆପଣାଇବାକୁ ଅତିଥିମାନେ ଆହ୍ଵାନ ଦେଇଥିଲେ। ମେଳାର ଆୟୋଜନ କିମିଟି ସହ ସଂଯୋଜକ ପ୍ରଶାନ୍ତ ରାଉତ ଉଦ୍ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଶେଷରେ ମଞ୍ଚର ମହାନଗର ସଂଯୋଜକ ବିଜୟ ରାଉତରାୟ ଧନ୍ୟବାଦ ଦେଇଥିଲେ।
ଏହି ମେଳା ପ୍ରତ୍ୟେକ ଦିନ ଅପରାହ୍ଣ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଖୋଲା ରହିବ। ପ୍ରତି ସନ୍ଧ୍ୟାରେ ମେଳା ପରିସରରେ ଥିବା ମଞ୍ଚରେ ଅର୍ଥନୀତି ସଂପର୍କିତ ଆଲୋଚନା ସହ ଭାରତୀୟ ସଂସ୍କୃତି ଆଧାରିତ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମେଳା ପରିସରରେ ଓଡ଼ିଆ ଖାଦ୍ୟର ଏକ ଷ୍ଟଲ ରହିଛି। ଯେଉଁଠି ଗ୍ରାହକମାନେ ସଂପୂର୍ଣ୍ଣ ଓଡ଼ିଆ ଖାଦ୍ୟର ମଜା ନେଇପାରିବେ। ଆସନ୍ତା ୧୬ ତାରିଖରେ ମେଳା ଉଦ୍ଯାପିତ ହେବ। ଉଦ୍ଯାପନୀ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯକ୍ରମ ରହିଛି ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।