ଘରେ ପଶିଲା ସ୍ବେରେଜ୍ ପାଣି, କଲୋନିବାସୀ ହନ୍ତସନ୍ତ

ଚନ୍ଦ୍ରଶେଖରପୁର: ସ୍ବେରେଜ୍ ଚାମ୍ବର ପୂର୍ଣ୍ଣ ହୋଇ ଉଛୁଳିବା ଫଳରେ ମଞ୍ଚେଶ୍ବର ରେଲୱେ ଆଦିମାତା କଲୋନିରେ ମଇଳା ପାଣି ଭାସୁଛି। ଫଳରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଘରୁ ପଦା‌କୁ ବାହାରିଲେ ମଇଳା ପାଣିରେ ପଶିବାକୁ ପଡ଼ୁଛି। ଏନେଇ ସ୍ଥାନୀୟ ଲୋକ ସ୍ବେରେଜ ଏଜେନ୍ସି ନିୟନ୍ତ୍ରଣ ଦାୟିତ୍ବରେ ଥିବା ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ ବିଭାଗୀୟ ମନ୍ତ୍ରୀଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଗତ ୪/୫ଦିନ ହେବ ଆଦିମାତା କଲୋନିରେ ଥିବା ସବୁ ସ୍ବେରେଜ୍ ଚାମ୍ବର ଉଛୁଳି ମଇଳା ପାଣି ରାସ୍ତାରେ ଭାସୁଛି। ଅନେକ ଲୋକଙ୍କ ଘରେ ମଧ୍ୟ ମଇଳା ପାଣି ପଶିଯାଇଛି। ଉକ୍ତ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଥିବା ବେଳେ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡ଼ିଛି। ସ୍ଥାନୀୟ ମୁରବୀ ବୁଲୁ ପତି ଓ ପ୍ରସନ୍ନ ସିଂ କଲୋନିବାସୀଙ୍କ ଦସ୍ତଖତ ସଂଗ୍ରହ କରି ବିଭାଗୀୟ ମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି। ଅପରପକ୍ଷରେ ବର୍ଷା ଯୋଗୁଁ କଲୋନିରେ ବର୍ଷାପାଣି ସହ ସ୍ବେରେଜ୍ ପାଣି ମିଶି ଉକ୍ତ ଅଞ୍ଚଳରେ ଶୋଚନୀୟ ପରିସ୍ଥିତି ସୃଷ୍ଟି କରିଛି। ତୁରନ୍ତ ଏହାର ସମାଧାନ କରାନଗଲେ ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରିବା ସହ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର