ସୁଇମିଂ ପୁଲ୍‌

ଭୁବନେଶ୍ବର : ପ୍ରଚଣ୍ଡ ଖରା ଓ ଗରମ ଅସ୍ତବ୍ୟସ୍ତ କଲାଣି। ସହରିଆ ବି ଥଣ୍ଡା ଖାଦ୍ୟ/ପାନୀୟ ସହ ଜଳକ୍ରୀଡ଼ା ଓ ସନ୍ତରଣର ମଜା ପାଇଁ ପ୍ରସ୍ତୁତ ହେଲେଣି। ଖରା ଯେତେ ଯେତେ ଉଗ୍ର ହେବ ସନ୍ତରଣ ଓ ଜଳକ୍ରୀଡ଼ାର ମସ୍ତି ସେତିକି ଜମିବ। ଏଥିପାଇଁ ହୋଟେଲଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତେ ପ୍ରସ୍ତୁତି ଆରମ୍ଭ କଲେଣି। କେବଳ ଗ୍ରୀଷ୍ମ ଛୁଟିକୁ ଅପେକ୍ଷା। ଛୁଟିରେ ଆଉ ଘରେ ବସି ଗରମର ଜ୍ବାଳା ସହିବାକୁ ନଥିବ, ଥିବ ସଫା ସୁନ୍ଦର ପାଣି ଭରା ସୁଇମିଂ ପୁଲ୍‌, ଷ୍ଟାଇଲିଷ୍ଟ ସୁଇମିଂ ପୋଷାକ ଓ ସୁଇମିଂ ପ୍ରଶିକ୍ଷକ। ପାଣିରେ ବୁଡ଼ ଦେଇ ସନ୍ତରଣ କରି ସୂର୍ଯ୍ୟଙ୍କୁ ଆହ୍ବାନ ଦିଆଯିବ। ଏଥିପାଇଁ କିଛି ହୋଟେଲ ସେମାନଙ୍କ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବା ସହ ପ୍ରଶିକ୍ଷକଙ୍କୁ ଡକାଇ ସାରିଲେଣି। ରାଜଧାନୀର ବହୁ ନାମୀଦାମୀ ହୋଟେଲରେ ସୁଇମିଂ ପୁଲ ଥିଲେ ମଧ୍ୟ ଅଧିକାଂଶ ‌ହୋଟେଲ ଏହି ପୁଲଗୁଡ଼ିକୁ ନିଜ ଅତିଥିଙ୍କ ପାଇଁ ହିଁ ସଂରକ୍ଷିତ ରଖିଛନ୍ତି। କିନ୍ତୁ କିଛି ହୋଟେଲ ଜନସାଧାରଣ ତଥା ଛୋଟ ଛୁଆମାନଙ୍କୁ ସୁଇମିଂର ମଜା ଦେବାକୁ ସୁଇମିଂ କ୍ଲାସ୍‌ ଆରମ୍ଭ କରିଛନ୍ତି। ଗତ ୧୫ ଦିନ ହେଲା ଏହା ଖୋଲିଯାଇଥିଲେ ବି ଗ୍ରୀଷ୍ମ ଛୁଟି ପରେ ହିଁ ଏଠାରେ ବହୁତ ଭିଡ଼ ଜମେ। କଳିଙ୍ଗ ଷ୍ଟାଡିୟମ୍‌ରେ ଥିବା ସୁଇମିଂ ପୁଲ କିନ୍ତୁ ବର୍ଷ ତମାମ୍‌ ଖୋଲା ଥାଏ। ଏଠାରେ ୨ଟି ପୁଲ ରହିଛି। ଗୋଟିଏ ନୂଆ କରି ଶିଖୁଥିବା ‌ବର୍ଗଙ୍କ ପାଇଁ ଓ ଅନ୍ୟଟି ଗଭୀର ପୁଲ ଯାହାକି ପେସାଦାରଙ୍କ ପାଇଁ।

ସମ୍ବନ୍ଧିତ ଖବର