କର୍ମଚାରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିବା ଉଚିତ ନୁହେଁ

ଶିଳ୍ପ ସୁରକ୍ଷା ସମ୍ମିଳନୀ ଉଦ୍‌ଯାପିତ

ଚନ୍ଦ୍ରଶେଖରପୁର : କାର୍ଯ୍ୟରତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଏବେ ବିଶ୍ୱର ଚିନ୍ତାର ବିଷୟ ପାଲଟିଛି। ହେଲେ ସୁରକ୍ଷା ଅଭାବରୁ ପ୍ରଗତିରେ ବାଧା ଦେଖାଯିବା ଉଚିତନୁହେଁ। ଅତ୍ୟାଧୁନିକ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ ଫଳରେ ବିପଦ କର୍ମଚାରୀଙ୍କ ନିକଟକୁ ଆସିପାରିବ ନାହିଁ। ଫଳରେ ଦେଶରେ କର୍ମଚାରୀଙ୍କ ସୁରକ୍ଷା ନେଇ ଆରମ୍ଭ ହୋଇଥିବା ‘ମିସନ୍‌ ଜିରୋ’ ସଫଳତା ଲାଭ କରିବ। ଶିଳ୍ପ ସୁରକ୍ଷା ସମ୍ମିଳନୀର ଦୁଇ ଦିନିଆ ଅନ୍ତର୍ଜାତୀୟ କର୍ମଶାଳାର ଆଜି ଦ୍ୱିତୀୟ ଦିନରେ ଆଇଏସ୍‌ଏସ୍‌ଏ ସଭାପତି ଜର୍ମାନର ପ୍ରଫସର ଏଚ୍‌.ସି.କାର୍ଲ ହୈଞ୍ଜ ଓ ଡ଼.ଟିକେ ଜୋସି ଅତିଥିଭାବେ ଯୋଗଦେଇ ସମ୍ମିଳନୀକୁ ପରିଚାଳନା କରିଥିଲେ। ଆମ ଦେଶରେ କୃଷି ଓ ନିର୍ମାଣ ଉତ୍ପାଦନ କ୍ଷେତ୍ରରେ ଅର୍ଥନୈତିକ ବୃଦ୍ଧିପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ସୁରକ୍ଷା ବ୍ୟବସ୍ଥା ଏକ ଶୃଙ୍ଖଳା ଭଳି ଯାହାକୁ ମାନିବା ନିତାନ୍ତ ଆବଶ୍ୟକ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଜର୍ମାନ୍‌ର ସୋସିଆଲ୍‌ ଏକ୍ସିନେଣ୍ଟ ଇନ୍‌ସ୍ୟୁରାନ୍ସ ତଥା ରାଜ୍ୟ ଶ୍ରମ ଓ ନିୟୋଜନ ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ଅନେକ ଉପକାର ମିଳିପାରିବ ବୋଲି ଅତିଥିମାନେ ଟେକ୍‌ନିକାଲ୍‌ ରିପୋର୍ଟ ମାଧ୍ୟମରେ ବୁଝାଇଥିଲେ। ଶିଳ୍ପ ସହିତ କର୍ମଚାରୀଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ଅଗ୍ରାଧିକାର ଦେଉଥିବା ବେଳେ ସୁରକ୍ଷାର ବିଭିନ୍ନ ନିୟମ ପାଳନ, ସୁରକ୍ଷା ଉପକରଣ ବ୍ୟବହାର ଓ କର୍ମଚାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ନିତାନ୍ତ ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ। ଏହା ସହିତ ସଂସ୍ଥା ନିଜ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ପ୍ରତି ନିଜ ଦାୟିତ୍ୱ ପୂରଣ କରି ଦୁର୍ଘଟଣା ସଂଖ୍ୟା ହ୍ରାସ କରିବା ଆବଶ୍ୟକ ରହିଛି ବୋଲି ମତ ରଖିଥିଲେ। ଫଳରେ ଦକ୍ଷ ଜ୍ଞାନ ପ୍ରଶିକ୍ଷଣ ଆମକୁ ସୁରକ୍ଷା ଯୋଗାଇବ। ଆଜିର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ କାରଖାନା ଓ ବାଷ୍ପୀୟ ନିର୍ଦେଶାଳୟର ନିର୍ଦେଶକ କମଳେନ୍ଦୁ ମହାପାତ୍ର, ପୂର୍ବତନ ବୀମା କମିସନର୍‌ ବିକେ.ସାହୁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର