ତମାଣ୍ଡୋରେ ସରିଜ୍‌ ଦୁର୍ଘଟଣା: ୭ ଗୁରୁତର, ୨ କାର୍‌ ଚୂର୍‌ମାର୍‌

ଖଣ୍ଡଗିରି: ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ତମାଣ୍ଡୋରେ ଘଟିଥିବା ଏକ ସିରିଜ୍‌ ଦୁର୍ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଥିବାବେଳେ ୨ଟି କାର୍‌ ଚୂର୍‌ମାର୍‌ ହୋଇଯାଇଛି। ସୌଭାଗ୍ୟବଶତଃ ଗୋଟିଏ କାର୍‌ ଭିତରେ ୧୫ ଦିନର ଶିଶୁକନ୍ୟା ସୁରକ୍ଷିତ ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିମାନେ ହେଲେ ତମାଣ୍ଡୋ ନିକଟସ୍ଥ ଏକ ଘରୋଇ ଇଂଜିନିୟରିଂ କଲେଜର ମେକାନିକାଲ୍‌ ବିଭାଗ ଛାତ୍ର ଜ୍ୟୋତିପ୍ରକାଶ ରାଉତରାୟ(କେନ୍ଦ୍ରାପଡ଼ା ଆଳି) ଓ ଛାତ୍ରୀ ଶୁଭଶ୍ରୀ ବର୍ଧନ(କଟକ ଚୌଦ୍ୱାର) ଏବଂ ଖୋର୍ଧା ହଳଦିଆ ଅଞ୍ଚଳର ସୁଶାନ୍ତ ଭଂଜଦେଓ, ତାଙ୍କ ପତ୍ନୀ ଅଂଶୁପ୍ରଭା ଭଂଜଦେଓ ଓ ମା ଶାନ୍ତିଲତା ଭଂଜଦେଓ ଏବଂ କାର୍‌ ଡ୍ରାଇଭର୍‌ ସଂଜୟ ଦାସ। ପ୍ରାୟ ସମସ୍ତେ ଗୁରୁତର ଆହତ ହୋଇଥିବାବେଳେ ସୁଶାନ୍ତଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସେହିଭଳି ଇଂଜିନିୟରିଂ ଛାତ୍ର ଜ୍ୟୋତି ଓ ଶୁଭଶ୍ରୀ ମଧ୍ୟ ଗୁରୁତର ଅଛନ୍ତି। ଏହି ୩ ଜଣ ସଂଜ୍ଞାହୀନ ଥିବା ଜଣାପଡ଼ିଛି। ଭୁବନେଶ୍ୱର ଏମ୍‌ସରେ ସମସ୍ତଙ୍କୁ ଚିକିତ୍ସା କରାଯାଉଛି।

ସୂଚନାନୁସାରେ ଇଂଜିନିୟରିଂ ଛାତ୍ର ଜ୍ୟୋତିପ୍ରକାଶ ଓ ତାଙ୍କ ସହପାଠିନୀ ଶୁଭଶ୍ରୀ ଏକ ମାରୁତି ସିଆଜ୍‌ କାର୍‌(ଓଡି୩୩ଡି-୦୧୧୧) ଯୋଗେ ଗୋହିରା ଛକରୁ ଭୁବନେଶ୍ୱର ଦିଗରେ ଯାଉଥିଲେ। କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏମାନେ ଗୋହିରା ଛକରେ ଗାଡ଼ି ବୁଲାଇବା ପରେ ହଠାତ୍‌ ସମ୍ମୁଖରେ ଏକ ବାଇକ୍‌ ଦେଖି ହଡ଼ବଡ଼େଇ ଯାଇଥିଲେ। କିନ୍ତୁ ଦୁର୍ଘଟଣା ଘଟିବା ପୂର୍ବରୁ ଅଳ୍ପକେ ବାଇକ୍‌ଟି ଖସିଗଲା ଓ କାର୍‌ ଚଳାଉଥିବା ଜ୍ୟୋତିପ୍ରକାଶ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ସେ କାର୍‌ଟିକୁ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ଏପଟସେପଟ କରି ନେବା ପରେ ଆଉ ସମ୍ଭାଳି ପାରି ନଥିଲେ ଓ ଏନ୍‌ଏଚ୍‌ ଡିଭାଇଡରରେ ପିଟି ଦେଇଥିଲେ। ମାତ୍ର କାର୍‌ର ବେଗ ଅଧିକ ଥିବାରୁ ତାହା ଡିଭାଇଡର୍‌ ଡେଇଁ ଆରପଟକୁ ଛିଟିକି ପଡ଼ିଥିଲା। କାର୍‌ଟି ଗୋଟିଏ ଥର ଏନ୍‌ଏଚ୍‌ ଉପରେ ପଲଟିବା ପରେ ପୁଣି ଉପରକୁ ଉଠିଥିଲା। ଏହି ସମୟରେ ଭୁବନେଶ୍ୱରରୁ ଖୋର୍ଧା ଦିଗରେ ଯାଉଥିବା ଏକ ଇଣ୍ଡିଗୋ କାର୍‌(ଓଡି୩୩-୩୫୩୪) ଉପରେ ସିଆଜ୍‌ କାର୍‌ଟି ପଡ଼ିଥିଲା। ଏହି ଦୁଇ କାର୍‌ ମଧ୍ୟରେ ଧକ୍କା ଲାଗିବା ପରେ ଉପରେ ଥିବା ସିଆଜ୍‌ କାର୍‌ଟି ଇଣ୍ଡିଗୋ କାର ଓ ରାଜପଥ କଡ଼ରେ ଥିବା ଏକ ଟାଟା ମାଲବାହୀ ଅଟୋରେ ପିଟି ହୋଇ ରହିଥିଲା। ଇଣ୍ଡିଗୋରେ ଥିବା ସୁଶାନ୍ତଙ୍କ ପରିବାର ଗୁରୁତର ଆହତ ହୋଇଥିଲେ। ଗାଡ଼ି ପଛରୁ ଶାନ୍ତିଲତା, ଅଂଶୁପ୍ରଭା ଓ ୧୫ ଦିନର ଶିଶୁକନ୍ୟାକୁ ଲୋକେ ତୁରନ୍ତ ବାହାରି କରିବାରେ ସକ୍ଷମ ହୋଇଥିଲେ ବି ଡ୍ରାଇଭର ସଂଜୟ ଓ ସୁଶାନ୍ତ କାର୍‌ ଭିତରେ ଚାପି ହୋଇଯାଇଥିଲେ। ସଂଜୟଙ୍କୁ କଷ୍ଟେମଷ୍ଟେ ବାହାର କରାଯାଇଥିଲା, କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ସୁଶାନ୍ତ ଚାପି ହୋଇ ରହିଥିଲେ। ପରେ କଟର୍‌ ଦ୍ୱାରା କାର୍‌ର ସମ୍ମୁଖ ଭଗ୍ନ ଅଂଶ କାଟି ତାଙ୍କୁ ଉଦ୍ଧାର କରାଯାଇଥିଲା। ଫଳରେ ସେ ଅଧିକ ଗୁରୁତର ହୋଇପଡ଼ିଥିଲେ। ତମାଣ୍ଡୋ ଥାନା ପୁଲିସ ସେମାନଙ୍କୁ ଆମ୍ବୁଲାନ୍‌ସ ଯୋଗେ ଭୁବନେଶ୍ୱର ଏମ୍‌ସରେ ଭର୍ତି କରାଇଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ସମସ୍ତ ଗାଡ଼ିଗୁଡ଼ିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

ଦୁର୍ଘଟଣା ହେଲା ଜନ୍ମଦିନର ସର୍‌ପ୍ରାଇଜ୍‌
ସୂଚନାନୁସାରେ ଶୁଭଶ୍ରୀ ଓ ଜ୍ୟୋତିପ୍ରକାଶଙ୍କ ଜଣେ ସହପାଠୀଙ୍କର ଆଜି ଜନ୍ମଦିନ ଥିଲା। କିନ୍ତୁ ଜ୍ୟୋତି ଓ ଶୁଭଶ୍ରୀଙ୍କୁ ଏହା ଜଣା ନଥିଲା। ଆଜି ସେମାନେ ହଠାତ୍‌ ଜାଣିବା ପରେ ଏକ ସର୍‌ପ୍ରାଇଜ୍‌ ଭେଟି ଦେବା ପାଇଁ ସ୍ଥିର କରିନେଲେ। ତେଣୁ କାହାକୁ କିଛି ନକହି ଏହି ଦୁଇ ଜଣ ଏକ ଜନ୍ମଦିନ ଉପହାର କିଣିବା ପାଇଁ ଭୁବନେଶ୍ୱର ବାହାରିଥିଲେ। ବଡ଼ ଖୁସିରେ କଲେଜରୁ ବାହାରିଥିଲେ। ମାତ୍ର ଉପହାର କିଣିବେ କ’ଣ ସେମାନଙ୍କ ଦୁର୍ଘଟଣା ହିଁ ଉକ୍ତ ବନ୍ଧୁଙ୍କ ପାଇଁ ସର୍‌ପ୍ରାଇଜ୍‌ ହୋଇଗଲା। ଉଭୟ ଗୁରୁତର ଆହତ ହୋଇଛନ୍ତି। ଅପରପକ୍ଷେ ସୁଶାନ୍ତଙ୍କ ପରିବାର ନବଜାତ ଶିଶୁକନ୍ୟାକୁ ମେଡିକାଲ ଯାଞ୍ଚ ପାଇଁ ଭୁବନେଶ୍ୱର ଯାଇଥିଲେ ଓ ସେତିକିବେଳେ ଘରକୁ ଫେରୁଥିଲେ।

ସମ୍ବନ୍ଧିତ ଖବର