ତାମ୍ପଡ଼େଇ ପୀଠରେ ପ୍ରାଚୀନ କୀର୍ତ୍ତି

ବାଲିଅନ୍ତା: ଖୋର୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ୍‌ ଅଧୀନ ବଇଁଚୁଆ ଗ୍ରାମର ତାମ୍ପଡ଼େଇ ପୀଠ ପରିସରରେ ମାଟିତଳେ ବହୁ ପ୍ରାଚୀନ କୀର୍ତ୍ତିରାଜି ଓ ଐତିହ୍ୟ ପୋତିହୋଇ ରହିଥିବା ସୂଚନା ମିଳିଛି। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ ତଥା ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗତ ବୁଧବାର ଅପରାହ୍ଣରେ ଏ ସଂପର୍କରେ ଗବେଷଣା କରାଯାଇଥିଲା। ବିଶ୍ୱ ବିଦ୍ୟାଳୟରେ କାର୍ଯ୍ୟରତ ସହାୟକ ପ୍ରାଧ୍ୟାପକ ଡ. ଅନାମ ବେହେରା, ଉକ୍ତ ଗାଁର ସନ୍ତୋଷ କୁମାର ସାହୁ, ଦୁଇ ପୁରାତନ ଛାତ୍ର ରଂଜନ କୁମାର ସାହୁ ଓ ବିଜୟ କୁମାର ମଲ୍ଲିକଙ୍କୁ ନେଇ ସଂରକ୍ଷିତ ତାମ୍ପଡ଼େଇ ପୀଠରେ ସର୍ବେକ୍ଷଣ କରିଥିଲେ। ସିଦ୍ଧେଶ୍ୱର ପୀଠ ପରିଦର୍ଶନ ସମୟରେ ଲୋକଙ୍କଠାରୁ ଏ ସଂପର୍କରେ ଜାଣିବାକୁ ପାଇ ସେ ଏହାର ଅନୁଧ୍ୟାନ କରିଥିବା କହିଛନ୍ତି। ସିଦ୍ଧେଶ୍ୱର ଦେବଙ୍କ ପୀଠରେ ଏକ ପୁରାତନ ଭୈରବ ମୂର୍ତି ଅଲିଡ଼ ଭଙ୍ଗିରେ ବିରାଜମାନ ହୋଇଥିବା ସଂପର୍କରେ ମଧ୍ୟ ସେ ତଥ୍ୟ ଦେଇଛନ୍ତି। ଏହାର ପ୍ରାୟ ୫୦୦ ମିଟର ଦୂରରେ ତାମ୍ପଡ଼େଇ ପୀଠ ରହିଛି। ଡ. ବେହେରାଙ୍କ ସୂଚନାନୁସାରେ ପୀଠ ପରିସରରେ ମାଟି ତଳେ ଏକ ମନ୍ଦିରର ଭଗ୍ନାବଶେଷ ପୋତିହୋଇ ରହିଥିବା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି। ଦୀର୍ଘବର୍ଷ ତଳେ ମାଟିତଳୁ ଉଦ୍ଧାର ହୋଇ ସେଠାରେ ପଡ଼ିଥିବା ଖୋଦିତ ପଥରଖଣ୍ଡ ବି ଏଭଳି ଐତିହ୍ୟ ସଂପର୍କରେ ସୂଚନା ଦେଉଛି ବୋଲି ସେ ଅନୁମାନ କରିଛନ୍ତି। ଅନ୍ୟପକ୍ଷରେ ଗ୍ରାମବାସୀଙ୍କ କହିବାନୁଯାୟୀ ୧୯୯୯ ମହାବାତ୍ୟା ବେଳେ ଏଠାରେ ଥିବା ଦୁଇଟି ବିଶାଳ ବରଗଛ ଉପୁଡ଼ି ପଡ଼ିଥିଲା। ଆଉ ବରଗଛ ତଳୁ ଉଦ୍ଧାର ହୋଇଥିଲା ମୁଗୁନି ପଥରରେ ନିର୍ମିତ ଏହି କାରୁକାର୍ଯ୍ୟପୂର୍ଣ୍ଣ ପ୍ରତିମୂର୍ତ୍ତି। ଯାହା ଏବେ ଲୋକମୁଖରେ ମା’ ତାମ୍ପଡ଼େଇ ଠାକୁରାଣୀ ନାଁରେ ପୂଜା ପାଉଛନ୍ତି। ଭଙ୍ଗା ପଥରଖଣ୍ଡ ଶକ୍ତିପୀଠ ଉପରେ ଶିବ ଲିଙ୍ଗ ସ୍ଥାପନର ସଂକେତ ମଧ୍ୟ ଦେଉଛି। ଅପରପକ୍ଷରେ ଏହି ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ଗଙ୍ଗ ରାଜବଂଶ ରାଜତ୍ୱ ସମୟର ଆଉ କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ପୁରୀର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସମସାମୟିକ ଏବଂ ପୂଜିତ ମୂର୍ତ୍ତିଟି ବିଷ୍ଣୁଙ୍କ ପ୍ରତିମା ବୋଲି ସେ କହିଛନ୍ତି। ଏଦିଗରେ ପ୍ରତ୍ନତତ୍ତ୍ୱ ବିଭାଗ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

ସମ୍ବନ୍ଧିତ ଖବର