ହତ୍ୟା ମାମଲା ରୁଜୁ, ୪ ଅଟକ

ଟଙ୍କପାଣି ଗ୍ରାମର ଜାପାନୀ ମୃତ୍ୟୁ ଘଟଣା

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଯଶୁଆପୁର ଗ୍ରାମ ସ୍କୁଲ ନିକଟରେ ଗତ ୨୧ ତାରିଖ ଦିନ ସାଢ଼େ ୧୧ଟା ସମୟରେ ଘଟିଥିବା ଟଙ୍କପାଣି ଗ୍ରାମର ଜାପାନୀ ଓରଫ ଲିଙ୍ଗରାଜ ସାହୁଙ୍କ (୧୮) ମୃତ୍ୟୁ ଘଟଣା ଏବେ ନୂଆମୋଡ଼ ନେଇଛି। ଜାପାନୀର ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି। ଜାପାନୀଙ୍କ ମାଆ ସୁଷମାଙ୍କ ଅଭିଯୋଗକୁ ଆଧାର କରି ପୁଲିସ କେସ୍‌ ନଂ ୯୪/୧୮ ରେ ସଂପୃକ୍ତ ୪ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ପୁଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟେଣ୍ଟ ମାଲିକ ତଥା ଗାଡ଼ି ଚାଳକ ହୃଦାନନ୍ଦ ମହାପାତ୍ର ସମେତ ଅନ୍ୟମାନଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି। ସୁଷମାଙ୍କ ଅଭିଯୋଗ ମୁତାବକ ଜାପାନୀଙ୍କ ସହ ଆହାତ ରାହୁଲ ଓରଫ ନନ୍ଦୁ ଆଉ ଜଣେ ଟେଣ୍ଟ ଓ ଟିଭି କେବୁଲ ସଂଯୋଗ କରୁଥିବା ମାଲିକଙ୍କ ପାଖରେ ରହି କାମ କରନ୍ତି। ପୂର୍ବରୁ ସେମାନଙ୍କ ମଧ୍ୟରେ ଅନେକ ଥର କେବୁଲ କାଟିବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଘଟଣା ଦିନ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଉପରୋକ୍ତ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହାର ମାତ୍ର କିଛି ସମୟ ପରେ ଜାପାନୀ ଓ ତାଙ୍କ ଗ୍ରାମର ନନ୍ଦୁ ବାଇକ୍‌ ନେଇ ଯାଉଥିବା ବେଳେ ବିପରୀତ ଦିଗରୁ ଟାଟାଏସି ନେଇ ଆସୁଥିବା ହୃଦାନନ୍ଦଙ୍କ ଗାଡ଼ି ଧକ୍କାରେ ଜାପାନୀର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ନନ୍ଦୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛି। ଏନେଇ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକ ଟାୟାର ଜାଳି ଦୀର୍ଘ ୪ ଘଣ୍ଟା କାଳ ଟଙ୍କପାଣି ବ୍ରିଜ୍‌ ରାସ୍ତା ଅବରୋଧ କରିଥିଲେ। ଏ ସଂପର୍କରେ ଖବର ପାଇ ଉପ ଜିଲ୍ଲାପାଳ ମାନସ ରଂଜନ ସାମଲ ସେଠାରେ ପହଞ୍ଚି ମୃତକ ଜାପାନୀଙ୍କ ପରିବାରକୁ ରେଡକ୍ରସ୍‌ ଫାଣ୍ଠିରୁ ୨୦ ହଜାର ଓ ଆହତ ନନ୍ଦୁର ଚିକିତ୍ସା ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର