ତପସ୍ୟା ଫାଉଣ୍ଡେସନ୍‌ ସାହିତ୍ୟ ପୁରସ୍କାର ଘୋଷିତ

ଭୁବନେଶ୍ୱର: ଭୁବନେଶ୍ୱରର ତପସ୍ୟା ଫାଉଣ୍ଡେସନ୍‌ ପକ୍ଷରୁ ପ୍ରଥମ ଥର ପାଇଁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତିନିଟି ପୁରସ୍କାର ପ୍ରବର୍ତ୍ତନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ସାହିତ୍ୟର ପ୍ରତିଷ୍ଠିତ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଥମ ‘ତପସ୍ୟା ସୃଜନ ପୁରସ୍କାର’, ପରଲୋକଗତ ବିଖ୍ୟାତ ସାହିତ୍ୟିକ ବିଭୂତି ଭୂଷଣ ପ୍ରଧାନଙ୍କୁ ମରଣୋତ୍ତର ଭାବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’ ଏବଂ ଯୁବକବି ନିଖିଳେଶ ମିଶ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ରେ ସମ୍ମାନିତ କରାଯିବ। ପୁରସ୍କାର ସ୍ୱରୂପ ଏହି ତିନି ଲେଖକଙ୍କ ଗୋଟିଏ ଲେଖାଏଁ ପୁସ୍ତକକୁ ରାଜ୍ୟର ଅଗ୍ରଣୀ ପ୍ରକାଶନୀ ସଂସ୍ଥା ପଶ୍ଚିମା ପବ୍ଲିକେସନ୍‌ସ୍‌ ଜରିଆରେ ପ୍ରକାଶ କରାଯାଇଛି, ଯାହା ଆସନ୍ତା ୧୫ ତାରିଖ ଦିନ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଉନ୍ମୋଚନ କରାଯିବ। ଉତ୍ସବରେ ଦେଶର ଜଣାଶୁଣା ଯୁବଲେଖକ କିଶଳୟ ଭଟ୍ଟାଚାର୍ଯ୍ୟ ଯୋଗଦେଇ ‘ଡାକ୍ତର ବୈଦ୍ୟନାଥ ମିଶ୍ର ସ୍ମାରକୀ ବକ୍ତତା’ ପ୍ରଦାନ କରିବେ।

ତପସ୍ୟା ଫାଉଣ୍ଡେସନ୍‌ ପକ୍ଷରୁ ଏହାର ଅଧ୍ୟକ୍ଷ ତପନ ପଣ୍ଡା ଏବଂ ପଶ୍ଚିମା ପବ୍ଲିକେସନ୍‌ସ୍‌ ପକ୍ଷରୁ ଅଶୋକ ମହାନ୍ତି ଏକ ମିଳିତ ବିବୃତିରେ ପ୍ରକାଶ କରିଛନ୍ତି ଯେ ‘ତପସ୍ୟା ଶାଶ୍ୱତ ପୁରସ୍କାର’ ଭାବେ ବିଭୂତି ଭୂଷଣ ପ୍ରଧାନଙ୍କ ସମସ୍ତ ଗଳ୍ପକୁ ନେଇ ‘ଗଳ୍ପ ସମଗ୍ର’ ପ୍ରକାଶ କରାଯାଇଥିବା ବେଳେ ‘ତପସ୍ୟା ସୃଜନ ପୁରସ୍କାର’ ଭାବେ ଭୀମ ପୃଷ୍ଟିଙ୍କର ଉପନ୍ୟାସ ‘ଜମ୍ବୁଲୋକ’ ଏବଂ ‘ତପସ୍ୟା ସମ୍ଭାବନା ପୁରସ୍କାର’ ଭାବେ ନିଖିଳେଶ ମିଶ୍ରଙ୍କ ପ୍ରଥମ କବିତା ପୁସ୍ତକ ‘କେହି ଜଣେ କେଜାଣି କୋଉଠି’ ପ୍ରକାଶ କରାଯାଇଛି। ଆସନ୍ତା ୧୫ ତାରିଖ ପୂର୍ବାହ୍ନ ୧୦ଟାରେ ବାଣୀବିହାର ନିକଟ ଶୀତଲ ହୋଟେଲ୍‌ ପରିସରରେ ଆୟୋଜିତ ହେଉଥିବା ଉତ୍ସବରେ ପୁସ୍ତକ ତିନିଟିର ଲୋକାର୍ପଣ କରାଯିବା ସହ ଲେଖକମାନଙ୍କୁ ସମ୍ବର୍ଧିତ କରାଯିବ। ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନ, ‘କଥା’ର ସମ୍ପାଦକ ଗୌରହରି ଦାସ ଏବଂ ଯୁବ ଲେଖକ ଶକ୍ତି ମହାନ୍ତି ଅତିଥି ରୂପେ ଯୋଗଦେଇ ପୁସ୍ତକଗୁଡ଼ିକ ସମ୍ପର୍କରେ ଆଲୋଚନା କରିବେ।

ସମ୍ବନ୍ଧିତ ଖବର