ପୁଲିସ ହୋଇ ପାରିଲାନି ବୋଲି… ଟାର୍ଗେଟ୍‌ରେ ଥିଲା ପୁଲିସ ଗାଡ଼ି, ମୋବାଇଲ ଫୋନ

ଯୁବକ ଗିରଫ, ୫ ବାଇକ୍‌ ଓ ୧୫ ମୋବାଇଲ୍‌ ଜବତ

ଭୁବନେଶ୍ବର: ପିଲାଟି ବେଳୁ ଇଚ୍ଛା ଥିଲା ପୁଲିସ ଚାକିରି କରିବ। କିନ୍ତୁ କେତେକ କାରଣରୁ ପୁଲିସ ଚାକିରି କରି ପାରି ନ ଥିଲା। ତେଣୁ ପୁଲିସ୍‌ବାଲାଙ୍କୁ ପାନେ ଦେବ ବୋଲି ଚିନ୍ତା କରି ଗତ ଦୁଇ ମାସ ହେବ ପୁଲିସକୁ ନାକେଦମ କରୁଥିଲା। କେଉଁଠି ପୁଲିସ ବାଇକ ଚୋରି କରୁଥିଲା ତ ଆଉ କେଉଁଠି ପୁଲିସବାବୁଙ୍କ ମୋବାଇଲ ଫୋନ୍‌ ଗାଏବ କରି ଦେଉଥିଲା। ଏପରିକି କେତେକ ପୁଲିସର କାର ଓ ବାଇକ ସିଟ୍‌କୁ ମଧ୍ୟ କାଟି ପକାଉଥିଲା। ଆଜି ଏଭଳି ଏକ ଅଦ୍ଭୁତ ମାନସିକତାର ଯୁବକକୁ ଗିରଫ କରିଛି ସହିଦନଗର ଥାନା ପୁଲିସ। ତା ନିକଟରୁ ୫ ବାଇକ୍‌ ଓ ୧୫ ମ‌ୋବାଇଲ୍‌ ଫୋନ୍‌ ଜବତ କରାଯାଇଛି। ସେ ହେଲା ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ସୁନୀଲ କୁମାର ଦଳେଇ(୨୫)। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ଆବଶ୍ୟକ ହେଲେ ତାକୁ ରିମାଣ୍ଡରେ ଆଣି ପଚରା ଉଚରା କରାଯିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି। ସହିଦନଗର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତିଙ୍କ ସୂଚନା ମୁତାବକ, ଗତ ଦୁଇ ମାସ ହେବ ପୁଲିସର ରିଜର୍ଭ କଲୋନି ଭିତରୁ ବାଇକ ଓ ମୋବାଇଲ ଫୋନ୍‌ ଚୋରି ନେଇ ଅଭିଯୋଗ ହୋଇ ଆସୁଥିଲା। ଅଭିଯୋଗ ପାଇବା ପରେ ପୁଲିସ ରିଜର୍ଭରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା। ଯାଞ୍ଚବେଳେ ଜଣାପଡ଼ିଥିଲା କି ସୁନୀଲ ବିଭିନ୍ନ ସମୟରେ ବାରାକ ଭିତରକୁ ପଶି ଏଭଳି ଚୋରି କରୁଛି। ସେହିପରି ରିଜର୍ଭରେ ରହୁଥିବା ଯବାନଙ୍କ ମୋବାଇଲ ଫୋନ୍‌କୁ ଝରକା ବାଟେ ଚୋରାଇ ନେଉଛି। ଚୋରି ଯାଇଥିବା ମୋବାଇଲ୍‌ ଫୋନ୍‌ ଟ୍ରାକ୍‌ କରି ପୁଲିସ ସୁନୀଲ ନିକଟରେ ପହଞ୍ଚିଥିଲା। ପୁଲିସ ତାକୁ ପଚରାଉଚରା କରିବାବେଳେ ସେ ଖୋର୍ଧା ରିଜର୍ଭ ଓ କଟକ ରିଜର୍ଭରୁ ମଧ୍ୟ ସମାନ ଢଙ୍ଗରେ ଚୋରି କରିଥିବା ମାନି ଥିଲା। ସହିଦନଗର ଥାନା ପୁଲିସ କଟକ ଓ ଖୋର୍ଧା ପୁଲିସ ସହିତ ଯୋଗାଯୋଗ କରି ଘଟଣାର ସତ୍ୟାସତ୍ୟ ଜାଣିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବାଇକ ଓ ମୋବାଇଲ୍ ଫୋନ ଜବତ କରିଛି।

ଅନ୍ୟପକ୍ଷରେ ପୁଲିସ ବାରାକ ଭିତରେ ପଶି ବାଇକ ଓ ମୋବାଇଲ ଫୋନ୍ ଚୋରାଇ ନେବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟ ଭଳି ଲାଗୁଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ବାରାକ ଓ ପୁଲିସ ଥାନା ଭିତରୁ ଚୋରି ହେବା ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

ସମ୍ବନ୍ଧିତ ଖବର