ଟାର୍ଗେଟ୍‌ରେ ୨ଲକ୍ଷ ବସ୍ତି ଭୋଟର୍‌

ପ୍ରଚାର ଆରମ୍ଭ ହେଉଛି ବସ୍ତିରୁ ଶେଷ ହେଉଛି ବସ୍ତିରେ, ବସ୍ତି ଭୋଟରଙ୍କ ମତଦାନ ହାର ୮୦%ରୁ ଅଧିକ ରହୁଛି, ୨୦୧୪ରେ ୪୩.୦୭%, ୨୦୦୯ରେ ୩୫.୦୯% ମତଦାନ ହୋଇଛି

ଭୁବନେଶ୍ବର (ବିଶ୍ବଜିତ ଦାଶ): ନିଜ ସପକ୍ଷରେ ଭୋଟ୍‌ ହାତେଇବା ପାଇଁ ପ୍ରାର୍ଥୀମାନେ ଏବେ ଦିନରାତି ଏକ କରିଦେଇଛନ୍ତି। ଏପରିକି ଦିନକୁ ୧୦ରୁ ୧୨ଘଣ୍ଟା ପ୍ରଚାରରେ କଟୁଛି। ପ୍ରାର୍ଥୀମାନେ କେଉଁ ଅଞ୍ଚଳରେ କେତେ ଭୋଟର ଅଛନ୍ତି, କେଉଁ ବର୍ଗର ଅଛନ୍ତି ତାହାର ତାଲିକା ଧରି ପ୍ରଚାର କରୁଛନ୍ତି। ଭୁବନେଶ୍ବରରେ ମତଦାନ ହାର କମ୍‌ ରହୁଥିବାରୁ ପ୍ରାର୍ଥୀଙ୍କ ଟାର୍ଗେଟରେ ଏବେ ବସ୍ତି ଭୋଟର ରହିଛନ୍ତି। ତିନିଟି ଯାକ ନିର୍ବାଚନମଣ୍ଡଳୀରେ ପ୍ରାୟ ୨ଲକ୍ଷ ବସ୍ତି ଭୋଟର ଥିବାରୁ ସବୁ ପ୍ରାର୍ଥୀଙ୍କର ଏହା ଉପରେ ନଜର।

ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ମଧ୍ୟ ଓ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଚଳିତବର୍ଷ ୮ଲକ୍ଷ ୧୭ହଜାର ୫୪୫ଜଣ ଭୋଟର ଥିବାବେଳେ ଏଥିରୁ ୨ଲକ୍ଷ ଭୋଟର ବସ୍ତିରେ ଅଛନ୍ତି। ଏମିତିରେ ଭୁବନେଶ୍ବରରେ ମତଦାନ ହାର ଗତବର୍ଷ ୪୩.୦୭% ଥିବାବେଳେ ୨୦୦୯ରେ ଏହା ୩୫.୦୯% ଥିଲା। ରାଜଧାନୀରେ ବହୁ ଶିକ୍ଷିତ ଭୋଟର ମତଦାନଠାରୁ ଦୂରେଇ ରହୁଥିବାରୁ ଏବଂ ବସ୍ତିଭୋଟରଙ୍କ ମତଦାନ ହାର ୮୦%ରୁ ଅଧିକ ରହୁଥିବାରୁ ଏବେ ପ୍ରାର୍ଥୀମାନେ ବସ୍ତିକୁ ଅଧିକ ଫୋକସ୍‌ କରୁଛନ୍ତି। ଦିନକୁ ଯେତୋଟି ଶୋଭାଯାତ୍ରା, ସାଧାରଣ ସଭା ହେ‌ଉଛି ସେଥିରୁ ଦୁଇରୁ ତିନିଟି ବସ୍ତି ଅଞ୍ଚଳରେ କରୁଛନ୍ତି। କେମିତି ବସ୍ତି ଭୋଟରଙ୍କୁ ହାତେଇବେ ସେଥିପାଇଁ ପ୍ରାର୍ଥୀମାନେ ବିଭିନ୍ନ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି।

ସବୁ ଦଳର ପ୍ରାର୍ଥୀ ବସ୍ତି ବାସିନ୍ଦାଙ୍କୁ ପକ୍କା ଘର, ଜମି ପଟ୍ଟା, ବିଦ୍ୟୁତ ସଂଯୋଗ, ବିଶୁଦ୍ଧ ପିଇବା ପାଣି, ଚକାଚକ୍ ରାସ୍ତା, ସରକାରୀ ଭତ୍ତା ଯୋଗାଇବାକୁ ପ୍ରତିଶ୍ରୁତି ଦେଉଛନ୍ତି। ଏପରିକି ପ୍ରାର୍ଥୀମାନେ ବସ୍ତିବାସିନ୍ଦାଙ୍କ ଘରେ ବସି ସରବତ୍‌ ପିଇ ତାଙ୍କ ସୁଖଦୁଃଖର ସାଥୀ ବୋଲି ପ୍ରମାଣ ଦେବାକୁ ପଛାଉନାହାନ୍ତି।

ଭୁବନେଶ୍ବରରେ ପଞ୍ଜୀକୃତ ୪୩୬ବସ୍ତି ସମେତ ଅଣପଞ୍ଜୀକୃତ ପ୍ରାୟ ୬୦ବସ୍ତିକୁ ମିଶାଇଲେ ପ୍ରାୟ ୫୦୦ ବସ୍ତି ରହିଛି। ଏଠାରେ ପ୍ରାୟ ୩ଲକ୍ଷ ଲୋକ ରହୁଥିବାବେଳେ ପ୍ରାୟ ୭୦% ହେଉଛନ୍ତି ମତଦାତା। ଏହି ହିସାବରେ ୨ଲକ୍ଷ ୫ହଜାରରୁ ୨ଲକ୍ଷ ୧୦ହଜାର ଭୋଟର କେବଳ ବସ୍ତିରେ ଅଛନ୍ତି। ଏଥିରୁ ଭୁବନେଶ୍ବର ଉତ୍ତରରେ ସର୍ବାଧିକ ବସ୍ତିରେ ରହୁଥିବା ‌େଭାଟର ଅଛନ୍ତି। ଭୁବନେଶ୍ବର ଉତ୍ତରରେ ପ୍ରାୟ ୧ଲକ୍ଷ ୨୦ହଜାର ବସ୍ତି ଭୋଟର ଥିବାବେଳେ, ମଧ୍ୟରେ ୪୫ହଜାରରୁ ଅଧିକ ବସ୍ତି ଭୋଟର ଅଛନ୍ତି। ଭୁବନେଶ୍ବର ଏକାମ୍ରରେ ପ୍ରାୟ ୩୦ହଜାର ବସ୍ତି ଭୋଟର ଥିବା ପ୍ରାର୍ଥୀମାନେ ହିସାବ କରିଛନ୍ତି। ଏହାକୁ ନଜରରେ ରଖି ପ୍ରଚାର କରିବା ସହ ସେହି ଅନୁଯାୟୀ ପ୍ରତିଶ୍ରୁତି ‌ବି ଦେଉଛନ୍ତି।

ବିଜେଡିର ତିନି ବିଧାୟକ ପ୍ରାର୍ଥୀ ପ୍ରଚାର ସମୟରେ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ସହ ଯାଉଥିବାବେଳେ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ କହୁଛନ୍ତି। ପ୍ରଚାର ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇବା ସହ ଅଧା ରହିଯାଇଥିବା କାର୍ଯ୍ୟକୁ ସମ୍ପନ୍ନ କରିବାକୁ ସେମାନଙ୍କୁ ଭୋଟ୍‌ ଦେଇ ଜିତାଇବାକୁ କହୁଛନ୍ତି। ବିଜେପିର ତିନି ପ୍ରାର୍ଥୀ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ପ୍ରଚାରରେ ଯାଉଛନ୍ତି। ସେମାନଙ୍କ ପ୍ରଚାରର ପ୍ରଥମ କଥା ୧୯ବର୍ଷ‌ର ସରକାର ଆପଣମାନଙ୍କୁ ମୌଳିକ ସୁବିଧାସୁଯୋଗ ଦେଇପାରିଲାନି, ଆଉ କେତେଦିନ ଅପେକ୍ଷା କରିବ। ଏଥର ପରିବର୍ତ୍ତନ ହେବା ଦରକାର।

ସମ୍ବନ୍ଧିତ ଖବର