ତାରିଣୀ ବସ୍ତିରେ ପ୍ରାଣାନ୍ତକ ଆକ୍ରମଣ ମାମଲା: ଆଖି ବୁଜିଲେ ସନ୍ନ୍ୟାସୀ

ଖଣ୍ଡଗିରି: ସ୍ଥାନୀୟ ଗଣ୍ଡମୁଣ୍ଡା ତାରିଣୀ ବସ୍ତିରେ ଶୋଇଥିବା ଅବସ୍ଥାରେ ପ୍ରାଣାନ୍ତକ ଅକ୍ରମଣର ଶିକାର ହୋଇ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଥିବା ସନ୍ନ୍ୟାସୀ ସ୍ୱାଇଁ(୫୦)ଙ୍କ ଆଜି ସକାଳେ ମୃତ୍ୟୁ ହୋଇଯାଇଛି। ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସାମନ୍ତରା ରତ୍ନପଲ୍ଲୀସ୍ଥିତ ତାଙ୍କ ଗାଁରେ ସନ୍ନ୍ୟାସୀଙ୍କ ଅନ୍ତିମ ସଂସ୍କାର ହୋଇଛି। ଏଣେ ଖଣ୍ଡଗିରି ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅପରାଧୀକୁ ଧରିବା ପାଇଁ ତନାଘନା ଉଦ୍ୟମ ଚଳାଇଛି। ମାତ୍ର ପୁଲିସ ଅପରାଧୀର ପତ୍ତା ପାଇ ନଥିବା ସୂଚନା ମିଳିଛି। ୫ ଦିନ ହେଲା ସନ୍ନ୍ୟାସୀଙ୍କୁ ଆକ୍ରମଣ କରି ଫେରାର୍‌ ହୋଇ ଯାଇଥିବା ଦୁର୍ବୃତ୍ତ କିଏ, ସେ ବାବଦରେ ବି ପୁଲିସକୁ କୌଣସି ଠୋସ୍‌ ସୁରାକ୍‌ ମିଳି ପାରିନାହିଁ। ପୁଲିସ କେବଳ ଅନ୍ଧାରରେ ବାଡ଼ି ବୁଲାଇ ଅପରାଧୀ ନିକଟରେ ପହଞ୍ଚିବାକୁ ଚେଷ୍ଟା ଚଳାଇଛି। ବୁଧବାର ବିଳମ୍ବିତ ରାତି କିମ୍ବା ଭୋର୍‌ ସମୟରେ ସନ୍ନ୍ୟାସୀଙ୍କୁ ତାଙ୍କ ଶୋଇବା ଘରେ ହତ୍ୟା ଉଦ୍ୟମ କରାଯାଇଥିଲା। ତାଙ୍କ ମୁଣ୍ଡର ପଛପାଖରେ ଓ ବେକମୁଣ୍ଡାରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ମୁହଁପାଖରେ ମଧ୍ୟ ଗୋଟିଏ ହଣା ଚିହ୍ନ ଥିଲା। ଦୁର୍ବୃତ୍ତଜଣଙ୍କ ତାଙ୍କୁ ପ୍ରାୟ ୭/୮ ଚୋଟ ମାରିଥିଲା। ଏହି ଆକ୍ରମଣ ଘଟଣାରେ ଅପରାଧୀ ଜଣେ କି ତାଙ୍କ ସହ ଅନ୍ୟ କିଛି ସହଯୋଗୀ ଥିଲେ, ତାହା ସ୍ପଷ୍ଟ ହୋଇନଥିଲେ ବି ଗୋଟିଏ ମାରଣାସ୍ତ୍ରରେ ଚୋଟ ମରାଯାଇଥିବାରୁ କେହି ଜଣେ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଛି ବୋଲି ସନ୍ଦେହ କରାଯାଉଛି। ଘଟଣା ଦିନ ଉକ୍ତ ଘରେ ଅନ୍ୟ କେହି ନଥିଲେ। ସନ୍ନ୍ୟାସୀଙ୍କ ସ୍ତ୍ରୀ ଗୀତାଞ୍ଜଳି ଓ ପୁଅମାନେ ଗାଁକୁ ଚାଲି ଯାଇଥିଲେ। ସନ୍ନ୍ୟାସୀ ଏକୁଟିଆ ଥିବା ଅବସ୍ଥାରେ ତାଙ୍କୁ ହତ୍ୟା କରିବାକୁ କେହି ଯୋଜନା କରି ସଫଳ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ ସନ୍ନ୍ୟାସୀଙ୍କର ଦୁଇ ଝିଅ ଓ ଦୁଇ ପୁଅର ସଂସାର। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଶ୍ରମିକଭାବେ କାମ କରି ସେ ଘର ପରିବାର ଚଳାଉଥିଲେ। ସେ ବେଶ୍‌ ଶାନ୍ତ ସ୍ୱଭାବର ହୋଇଥିବାରୁ ତାଙ୍କର କେହି ଶତୃ ନଥିବା ସ୍ଥାନୀୟ ଲୋକଙ୍କଠାରୁ ପ୍ରକାଶ। ମାତ୍ର ହତ୍ୟାକାଣ୍ଡର ବୀଭତ୍ସତାକୁ ନେଇ ଲୋକେ ନାନା କଥା ଆଲୋଚନା କରୁଛନ୍ତି। ବୁଧବାର ରାତିରେ ଅର୍ଥାତ୍‌ ଅଘଟଣ ଦିନ ରାତିରେ ବସ୍ତିବାସିନ୍ଦାମାନେ ତାଙ୍କୁ ଏକୁଟିଆ ଥିବା ଦେଖିଥିଲେ। ପିଲାଛୁଆ ମାସକ ପୂର୍ବରୁ ଗାଁକୁ ଯାଇଥିବାରୁ ସେ ଏକୁଟିଆ ଥିଲେ। ତେଣୁ ବିଳମ୍ବିତ ରାତିରେ କେହି ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ଫେରାର୍‌ ହୋଇଯାଇଥିବା ବସ୍ତିିବାସିନ୍ଦାମାନେ କହୁଛନ୍ତି। ଏମିତିକି ଆକ୍ରମଣବେଳେ କେହି ତାଙ୍କ ଚିତ୍କାର ଶୁଣି ନଥିବାରୁ ଦୁର୍ବୃତ୍ତ ତାଙ୍କୁ ଶୋଇବା ଅବସ୍ଥାରେ ହାଣି ପକାଇଛି ବୋଲି ସ୍ପଷ୍ଟ ଜଣାପଡ଼ୁଛି।

ଧରମବନ୍ଧୁ ଉପରେ ସନ୍ଦେହ
ପ୍ରଥମରୁ ସନ୍ନ୍ୟାସୀଙ୍କ ପରିବାର ଲୋକଙ୍କ ଉପରେ ସମସ୍ତେ ସନ୍ଦେହ କରୁଥିଲେ। ମାତ୍ର ଗୁରୁବାର ପୁଲିସ ସନ୍ନ୍ୟାସୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିବା ପରେ ଖବର ପାଇ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ଓ ପୁଅମାନେ ଶୁକ୍ରବାର ହସ୍ପିଟାଲରେ ପହଞ୍ଚିଥିଲେ। ତେଣୁ ପୁଲିସ ତଦନ୍ତର ଦିଗ ବଦଳାଇଥିଲା। ଏବେ ଗୀତାଞ୍ଜଳିଙ୍କଠାରୁ ପୁଲିସ କିଛି ସୂଚନା ପାଇଛି। ପୋଖରୀପୁଟରେ ରହୁଥିବା ଜଣେ ଧରମବନ୍ଧୁଙ୍କ ଉପରେ ସନ୍ଦେହଜାତ ହୋଇଛି। ଭଲମନ୍ଦରେ ସବୁବେଳେ ସନ୍ନ୍ୟାସୀଙ୍କ ପାଖେପାଖେ ରହୁଥିବା ସେହି ଧରମବନ୍ଧୁଙ୍କର ଘଟଣା ପରଠାରୁ ଦେଖାମିଳୁନାହିଁ। ହସ୍ପିଟାଲରେ ମରଣ ସହ ଲଢ଼ୁଥିବାବେଳେ ତାଙ୍କ ଦର୍ଶନ ନଥିଲା କି ଆଜି ସନ୍ନ୍ୟାସୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବି ତାଙ୍କ ଖୋଜଖବର ନାହିଁ। ପୁଲିସ ଉକ୍ତ ଧରମବନ୍ଧୁଙ୍କୁ ଠାବ କରିବାକୁ ଉଦ୍ୟମ କରିଥିଲେ ବି ୪/୫ ଦିନ ହେଲାଣି ସେ ପୋଖରୀପୁଟ ଅଞ୍ଚଳରୁ ଅନ୍ତର୍ଧାନ୍‌ ହୋଇଯାଇଥିବା ଜଣାପଡ଼ିଛି। ତେଣୁ ପୁଲିସ ତାଙ୍କୁ ଠାବ କରିବା ପରେ ଏହି ହତ୍ୟାକାଣ୍ଡ ବାବଦରେ କିଛି ସୁରାକ୍‌ ମିଳିବା ଆଶା କରାଯାଉଛି। ଜଣେ ଶାନ୍ତସ୍ୱଭାବର ଲୋକକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବାରୁ ହତ୍ୟାକାରୀର ଉଦ୍ଦେଶ୍ୟକୁ ନେଇ ନାନା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର