ଟାଟା ଷ୍ଟିଲ୍‌ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା, ମେ’ରେ ଇସ୍ରୋ ପରିଦର୍ଶନରେ ଯିବେ ୨୦ ପ୍ରତିଭା

ଭୁବନେଶ୍ବର: ଟାଟା ଷ୍ଟିଲ୍‌ର ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ(ୟାଟସ)ର ୧୨ତମ ସ˚ସ୍କରଣର ସମ୍ବର୍ଦ୍ଧନା ଉତ୍ସବ ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ-୨୦ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ପ୍ରତିଭାମାନେ ଆସନ୍ତା ମେ’ ମାସରେ ଇସ୍ରୋ ପରିଦର୍ଶନରେ ଯିବେ। ଟାଟା ଷ୍ଟିଲ ପକ୍ଷରୁ ରାଜ୍ୟର ୩୦ଟି ଜିଲ୍ଲାର ୩୦୦ଟି ସ୍କୁଲ୍‌ରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ପାଖାପାଖି ୬୩ ହଜାର ଛାତ୍ରଛାତ୍ରୀ ଅ˚ଶଗ୍ରହଣ କରିଥିଲେ। ଯାହା ୟାଟସ୍‌ ସ୍ଥାପିତ ହେବାର ୧୨ବର୍ଷ ଇତିହାସ ଭିତରେ ଏକ ରେକର୍ଡ। ପ୍ରତିଯୋଗୀଙ୍କ ପାଇଁ ବିଷୟବସ୍ତୁ ଥିଲା ‘ମହାକାଶ ଅନ୍ବେଷଣର ଭାବନା, ଆଜିଠାରୁ ୫୦ ବର୍ଷ ପରେ।’ ସେହିପରି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ କୁଇଜ୍‌ ଏବଂ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବନ୍ଧ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ମୁମ୍ବାଇ ଭିତ୍ତିକ ସଂସ୍ଥା ଆରଏଡି ଆଟ୍‌ ହୋମ୍‌ର ପ୍ରତିଷ୍ଠାତା ତଥା ନିର୍ଦେଶକ ଡ. ଆନନ୍ଦ ହୋତା ଓ ଆଷ୍ଟ୍ରୋନୋମି କୋଲାବୋରେଟୋରି ଓ ପୁଣେର ବରିଷ୍ଠ ପ୍ରଫେସର ତରୁଣ ସୌରଦୀପଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଯୋଗଦେଇ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ। ଟାଟା ଷ୍ଟିଲ୍‌ର ଚାଣକ୍ୟ ଚୌଧୁରୀ ଓ ଅରୁଣ ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ପଠାଣୀ ସାମନ୍ତ ପ୍ଲାନେଟୋରିୟମ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର