ଜାନୁଆରି ୧୧ରୁ ୧୩ ଭୁବନେଶ୍ୱରରେ ସାହିତ୍ୟ ମହାମେଳା: ଟାଟା ଷ୍ଟିଲ୍‌ ସାହିତ୍ୟ ଉତ୍ସବ

ଭୁବନେଶ୍ୱର: ଟାଟା ଷ୍ଟିଲ୍‌ ପକ୍ଷରୁ ‘ସମ୍ବାଦ’ ସହଯୋଗରେ ଏଇ ଜାନୁଆରି ୧୧ରୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ସାହିତ୍ୟର ମହାମେଳା ତୃତୀୟ ‘ଟାଟା ଷ୍ଟିଲ୍‌ ଭୁବନେଶ୍ୱର ସାହିତ୍ୟ ସମାବେଶ’। ସ୍ଥାନୀୟ ଟ୍ରାଇଡେଣ୍ଟ୍‌ ହୋଟେଲ୍‌ରେ ଏହି ଉତ୍ସବଟି ତିନିଦିନ ଧରି, ଅର୍ଥାତ୍‌ ଜାନୁଆରି ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସାରସ୍ୱତ ମହା ସମାବେଶରେ ଓଡ଼ିଶାର ବହୁ ପ୍ରତିଷ୍ଠିତ କଥାକାର ଓ କବିଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ ଲେଖକ ଲେଖିକା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ବରଖା ଦତ୍ତ

୧୧ ତାରିଖ ଅପରାହ୍ନ ୪ଟା ବେଳେ ପ୍ରଖ୍ୟାତ ଓଡ଼ିଆ ଲେଖକ ମନୋଜ ଦାସ ଓ ପରିଚିତ ଇଂରାଜି ଲେଖକ ରସ୍କିନ୍‌ ବଣ୍ଡ୍‌ ଉତ୍ସବକୁ ଉଦ୍‌ଘାଟନ କରିବେ। ତିନି ଦିନିଆ ସମାରୋହର ବିଭିନ୍ନ ଅଧିବେଶନରେ ଏହି ଦୁଇ ମହାନ ସାରସ୍ୱତ ସ୍ରଷ୍ଟାଙ୍କ ସହିତ ମାର୍କ ତୁଲି, କିରଣ ନାଗରକର, ପ୍ରୟାଗ ଆକବର, ରବି ସୁବ୍ରମନିଅନ୍‌ ଓ ବର୍ଖା ଦତ୍ତ ତଥା ଓଡ଼ିଶାର ପ୍ରତିଭା ଶତପଥୀ, ଦେବୀପ୍ରସନ୍ନ ପଟ୍ଟନାୟକ, ପାରମିତା ଶତପଥୀ, ପଞ୍ଚାନନ ମହାନ୍ତି, ତନୟା ପଟ୍ଟନାୟକ ଓ ଗୌରହରି ଦାସଙ୍କ ଭଳି ପ୍ରସିଦ୍ଧ ଲେଖକ ଓ ବ୍ୟକ୍ତିତ୍ୱମାନେ ଆଲୋଚନାରେ ଅଂଶ ଗ୍ରହଣ କରିବେ।  ବିଖ୍ୟାତ ଅଭିନେତ୍ରୀ ଓ ଫିଲ୍ମ ନିର୍ଦ୍ଦେଶିକା ନନ୍ଦିତା ଦାସ ଏହି ଉତ୍ସବରେ ତାଙ୍କର ନୂଆ ଫିଲ୍ମ ‘ମଣ୍ଟୋ’ ଉନ୍ମୋଚନ କରିବେ। ଉତ୍ସବର ସର୍ଟ ଫିଲ୍ମ ମାଟିନିରେ ‘ରୟାଲ୍‌ ଷ୍ଟାଗ୍‌ ବାରେଲ୍‌ ସିଲେକ୍ଟ୍‌ ଲାର୍ଜ ସର୍ଟ ଫିଲ୍ମସ୍‌’ର ପ୍ରଶଂସିତ ଫିଲ୍ମଗୁଡ଼ିକ ପ୍ରଦର୍ଶିତ ହେବ। ଏହା ସହିତ ବିଖ୍ୟାତ ନୃତ୍ୟାଙ୍ଗନା ଅନିତା ରତ୍ନମ୍‌ ପ୍ରସ୍ତୁତ କରିବେ ‘ଏ ମିଲିୟନ୍‌ ସୀତାସ୍‌’। ଅନ୍ୟଏକ ଅଧ୍ୟାୟରେ ଗାୟିକା ବିଭା ଶାହଙ୍କ ଗୀତ ସହିତ ନିଜର ଚର୍ଚ୍ଚିତ ବହି ‘ଦି ଲାଷ୍ଟ୍‍ ମୋଗଲ୍‌’ର କିଛି ପୃଷ୍ଠା ପାଠ କରିବେ ବିଖ୍ୟାତ ଲେଖକ ଓ୍ଵାଲିୟମ୍‌ ଡାଲ୍‌ରିଂପଲ୍‌। ପ୍ରସିଦ୍ଧ ନାଟ୍ୟ ବ୍ୟକ୍ତିତ୍ୱ ଅନନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଏକ କ୍ଷୁଦ୍ରଗଳ୍ପର ନାଟ୍ୟ ରୂପାନ୍ତର ମଧ୍ୟ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି।

ନନ୍ଦିତା ଦାସ

ଉଲ୍ଲେଖଯୋଗ୍ୟ ଯେ ‘ସମ୍ବାଦ’ର ସହଯୋଗରେ ଗତବର୍ଷ ମଧ୍ୟ ଭୁବନେଶ୍ୱରରେ ଟାଟା ଷ୍ଟିଲ୍‌ ସାହିତ୍ୟ ସମାବେଶ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା। ଏ ସଂପର୍କରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ‘ଗଣମାଧ୍ୟମର କର୍ତ୍ତବ୍ୟ ହେଉଛି ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼ିବା। ଲୋକଙ୍କ ଜୀବନର ପ୍ରତିଟି ବିଭାଗକୁ ସ୍ପର୍ଶ କରିବାପାଇଁ ‘ସମ୍ବାଦ’ ସବୁ ସମୟରେ ସାହିତ୍ୟ, କଳା ଓ ସଂସ୍କୃତିକୁ ଉତ୍ସାହିତ କରି ଆସିଛି। ଏହି ସାହିତ୍ୟ ଉତ୍ସବ ଆମର ସେହି ଆଭିମୁଖ୍ୟର ଗୋଟିଏ ଦିଗ।’

ସେହିପରି ଟାଟା ଷ୍ଟିଲ୍‌ର କୋର୍ପୋରେଟ୍‌ କମ୍ୟୁନିକେସନ୍‌ ଆଣ୍ଡ୍‌ ରେଗ୍ୟୁଲେଟରି ଆଫାୟାର୍ସର ଗ୍ରୁପ୍‌ ଡାଇରେକ୍ଟର୍‌ ଚାଣକ୍ୟ ଚୌଧୁରି କହିଛନ୍ତି, ‘ଭୁବନେଶ୍ୱରରେ ଆମେ ସାହିତ୍ୟ ଉତ୍ସବ ୨୦୧୬ରୁ ହିଁ ଆରମ୍ଭ କରିଛୁ, କିନ୍ତୁ ଏହି ସ୍ୱଳ୍ପ ସମୟ ଭିତରେ ଏହା ଭୁବନେଶ୍ୱରର ସାଂସ୍କୃତିକ କ୍ୟାଲେଣ୍ଡର୍‌ରେ ଏକ ପ୍ରତୀକ୍ଷିତ ଘଟଣା ହୋଇ ଯାଇଛି। ଏହି ଉତ୍ସବର ଲକ୍ଷ୍ୟ କେବଳ ଲେଖକମାନେ ନୁହନ୍ତି, ଆମେ ସମାଜର ଯୁବପିଢ଼ିଙ୍କୁ ମଧ୍ୟ ସାମିଲ କରିବାର ଲକ୍ଷ୍ୟ ରଖି ଆସିଛୁ।’ ଟାଟା ଷ୍ଟିଲ୍‌ ଗୋପାଳପୁର ପ୍ରୋଜେକ୍ଟସ୍‌ର ଉପାଧ୍ୟକ୍ଷ ଅରୁଣ ମିଶ୍ର କହିଛନ୍ତି, ‘ସ୍ଥାନୀୟ ଭାଷା ଓ ସାହିତ୍ୟକୁ ଉତ୍ସାହିତ କରିବା ସବୁ ସମୟରେ ଆମର ଲକ୍ଷ୍ୟ ରହି ଆସିଛି।’ ସେହିପରି ଟାଟା ଷ୍ଟିଲ୍‌ ଭୁବନେଶ୍ୱର ସାହିତ୍ୟ ସମାବେଶର ଇଭେଣ୍ଟ୍‌ ପାର୍ଟନର୍‌ ଗେମ୍‌ପ୍ଲାନ୍‌ର ନିର୍ଦ୍ଦେଶିକା ମାଳବିକା ବାନାର୍ଜୀ କହନ୍ତି, ‘ଆମ ସାହିତ୍ୟ ଉତ୍ସବ ସାହିତ୍ୟ ସମେତ ସଙ୍ଗୀତ, ନୃତ୍ୟ, ମଞ୍ଚ ଓ ସିନେମା ଭଳି ଅନେକ ଦିଗକୁ ସ୍ପର୍ଶ କରେ। ଏହାଦ୍ୱାରା ବିଭିନ୍ନ କଳା ଭିତରେ ଏକ ଯୋଗସୂତ୍ର ତିଆରି କରିହୁଏ।’

ସମ୍ବନ୍ଧିତ ଖବର