ଶିକ୍ଷୟିତ୍ରୀଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ଭୁବନେଶ୍ୱର ବ୍ଲକ ପ୍ରାଥମିକ ଶିକ୍ଷକ ସମନ୍ଵୟ ସମିତି ସଭାନେତ୍ରୀ ସଙ୍ଗୀତା ଦାଶଙ୍କ ନେତୃତ୍ୱରେ ଖାରବେଳ ନଗରସ୍ଥିତ ପ୍ରାଥମିକ ଶିକ୍ଷକ ଭବନଠାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଶିକ୍ଷୟିତ୍ରୀ ଅଞ୍ଜଳି ଦେହୁରୀଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନିନ୍ଦା କରାଯିବା ସହ ସିବିଆଇ ତଦନ୍ତ ଦାବି କରାଯାଇଛି। ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ଦାବି ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଯଦି ତୁରନ୍ତ ନ୍ୟାୟ ପ୍ରଦାନ କରା ନ ଯାଏ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସମିତିର ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି ପ୍ରଭାତ କୁମାର ସେନାପତି ପ୍ରମୁଖ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତି ସାବତ, ରଙ୍କନିଧି ଗୁମାନସିଂହ, ପ୍ରମୋଦ କୁମାର ବେହେରା, ଅଭିମନ୍ୟୁ ସାହୁ, ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର