ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ସମ୍ମିଳନୀ

ଭୁବନେଶ୍ୱର: ଓଡ଼ିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର ତ୍ରୟୋଦଶ ବାର୍ଷିକ ସମ୍ମିଳନୀ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ବରିଷ୍ଠ ନାଗରିକଙ୍କ ଉପରେ ରାଜ୍ୟ ସରକାର ବିଚାର କରୁଛନ୍ତି। ଚିକତ୍ସା ଭତ୍ତା ଓ ପେନସନ୍‌ ଉପରେ ବିଚାର କରାଯାଉଛି ବୋଲି କହିଥିଲେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସମ୍ମିଳନୀର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ମଞ୍ଚ ସଭାପତି ଶରତ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ବିଭିନ୍ନ ବିଷୟରେ ମନ୍ତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଭଳି ସ୍ୱତନ୍ତ୍ର ଚିକିତ୍ସା ସୁବିଧା ତଥା ଚିକିତ୍ସା ଭତ୍ତା ଦେବା ଲାଗି ଦାବି ହୋଇଥିଲା। ସପ୍ତମ ବେତନ କମିସନ ଅବିକଳ କେନ୍ଦ୍ର ଭଳି କାର୍ଯ୍ୟକାରୀ କରାଯାଇ ନ ଥିବାରୁ ବିଭିନ୍ନ ଅସଙ୍ଗତି ସୃଷ୍ଟି ହେଉଛି। କେନ୍ଦ୍ର ସରକାର ଗ୍ରାଚ୍ୟୁଇଟି ସୀମା ୨୦ ଲକ୍ଷ ରଖିଥିବା ବେଳେ ରାଜ୍ୟ ସରକାର ୧୫ ଲକ୍ଷ କରିଛନ୍ତି। ସର୍ବନିମ୍ନ ପେନସନ୍‌ କେନ୍ଦ୍ର ସରକାର ୯ ହଜାର ଟଙ୍କା ଧାର୍ଯ୍ୟ କରିଥିବା ବେଳେ ରାଜ୍ୟ ସରକାର ୮,୩୦୦ ଟଙ୍କା କରିଛନ୍ତି। ୨୦ ବର୍ଷିଆ କ୍ୱାଲିଫାଇଂ ସର୍ଭିସ ଲାଗୁ କରାଯାଇ ନାହିଁ। ଏଥିସହ ଦରମା ହାର, ଗ୍ରେଡ୍‌ ପେ’ ଅସଙ୍ଗତିରେ ସଂଶୋଧନ, ଆର୍‌ଏସିପି ଲାଗୁ, ବସ୍‌ ଭଡ଼ାରେ ରିହାତି, ସ୍ୱଚ୍ଛ ସୁଧରେ ଘର ତିଆରି ପାଇଁ ବ୍ୟାଙ୍କ ଋଣ, ଡାକ୍ତରଖାନାରେ ସ୍ୱତନ୍ତ୍ର ସୁବିଧା ପରି ଦାବି ଉପସ୍ଥାପିତ କରାଯାଇଥିଲା। ସମ୍ମିଳନୀରେ ମଞ୍ଚର ସାଧାରଣ ସମ୍ପାଦକ ଲୋକନାଥ ରଥ, ମୁଖ୍ୟ ଉପଦେଷ୍ଟା ଦୁର୍ଗାଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର