ଜଟିଳ ହେଉଛି ବାଲିପାଟଣାରେ ଶିକ୍ଷକଙ୍କ ସମସ୍ୟା

ବାଲିପାଟଣା : ବାଲିପାଟଣା ବ୍ଲକର ପ୍ରାଥମିକ ଶିକ୍ଷକଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେଉଛି। ଶିକ୍ଷକମାନଙ୍କ ସମସ୍ୟାକୁ ବିଭାଗୀୟ ଅଧିକାରୀ ବାରମ୍ବାର ଅଣଦେଖା କରୁଥିବା ଅଭିଯୋଗ ହେଉଛି। ସଦ୍ୟ ସମାପ୍ତ ଖୋର୍ଧା ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଏହି କଥା ଉଠିଛି। ଜୋନ୍‌-୨୦ ଜିଲ୍ଲା ପରିଷଦ ସଭ୍ୟ ତଥା ବାଲିପାଟଣା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶଶିଭୂଷଣ ପାତ୍ର ଶିକ୍ଷକମାନଙ୍କ ବିଭିନ୍ନ ମୌଳିକ ସମସ୍ୟା କଥା ଉଠାଇ ତମ୍ବିତୋଫାନ କରିଛନ୍ତି। ବ୍ଲକ ଶିକ୍ଷାଧିକାରୀ ଶିକ୍ଷକମାନଙ୍କ ସମସ୍ୟା ଅଣଦେଖା କରି ନିଜ ମନ ମୁତାବକ କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ତଦନ୍ତ କରି ତୁରନ୍ତ ସମାଧାନ କରିବାକୁ ଦାୟିତ୍ୱ ଦେଇଥିବା କଥା ଜଣାଯାଇଛି। ଶିକ୍ଷକମାନଙ୍କ ସମାସ୍ୟାର ଯଥାଶୀଘ୍ର ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପାତ୍ରଙ୍କ ବୈଠକରେ କରିଥିବା ଅଭିଯୋଗ ମୁତାବକ ୭ମ ବେତନ କମିସନ ହାରରେ ସମସ୍ତ ଶିକ୍ଷକଙ୍କର ଦରମା ନିର୍ଦ୍ଧାରଣ ପାଇଁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଏପରିକି ଜିଲ୍ଲାର ସମସ୍ତ ବ୍ଲକରେ ଶିକ୍ଷକଙ୍କର ପେ’ ଫିକ୍ସେସନ୍‌ କରାଯାଇ ସାରିଲାଣି। କିନ୍ତୁ କେଉଁ ସ୍ୱାର୍ଥରେ ବାଲିପାଟଣା ବ୍ଲକର ୧୮ଜଣ ଶିକ୍ଷକଙ୍କ ୭ମ ବେତନ କମିସନଙ୍କ ଦରମା ନିର୍ଦ୍ଧାରଣ କରାଯାଉନାହିଁ ତାକୁ ନେଇ ପ୍ରଶ୍ନ କରିଛନ୍ତି। ବାଲିପାଟଣା ବ୍ଲକର ୨୪ ଜଣ ଶିକ୍ଷକ ୪୨୦୦ ଗ୍ରେଡ଼୍‍ ପେ ପାଇଁ ଟ୍ରିବ୍ୟୁନାଲରେ କେଶ କରିଥିଲେ। ଓଡ଼ିଶା ପ୍ରଶାସନିକ ନ୍ୟାୟାଧୀଶଙ୍କ ନିର୍ଦ୍ଦେଶନାମା ବଳରେ ଏହି ଗ୍ରେଡ୍‌ ପେ’ ପ୍ରଦାନ କରିବାକୁ ମାନ୍ୟବର ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବ୍ଲକର ୨୪ଜଣ ଶିକ୍ଷକଙ୍କ ମଧ୍ୟରୁ ୬ଜଣଙ୍କ ନୂତନ ହାରରେ ଦରମା ନିର୍ଦ୍ଧାରଣ କରାଯାଇ କେଉଁ ଉଦ୍ଦେଶ୍ୟରେ ବିଇଓ ୧୮ଜଣଙ୍କୁ ଏଥିରୁ ବଞ୍ଚିତ କରି ରଖିଛନ୍ତି ତାର ଉତ୍ତର ସେ ଚାହିଥିଲେ। ଏଥିସହ ଆଲର୍ଟମେଣ୍ଟ ଥାଇ ମଧ୍ୟ ବ୍ଲକର ଶହଶହ ଶିକ୍ଷକଙ୍କୁ ମାସ ମାସ ଦରମା ପ୍ରଦାନ କରାନଯିବା, ୩ରୁ ୪ମାସର ଇନ୍‌କ୍ରିମେଣ୍ଟ ନଦେବା, ଅବସରପ୍ରାପ୍ତ ଶିକ୍ଷକଙ୍କୁ ସଠିକ୍‌ ସମୟରେ ପ୍ରୋଭିଜିନାଲ ପେନ୍‌ସନ୍‌ ନଦେବା ଆଦି ବହୁ ମୌଳିକ ସମାସ୍ୟା କଥା ଉଠାଇ ଉଚ୍ଚ ପଦାଧିକାରୀଙ୍କଠାରୁ ଉତ୍ତର ଚାହିଥିଲେ। ବୈଠକରେ ଉପସ୍ଥିତ ଥିବା ବାଲିପାଟଣା ବ୍ଲକ ଶିକ୍ଷାଧିକାରୀ ସନ୍ତୋଷଜନକ ଉତ୍ତର ପ୍ରଦାନ କରି ନପାରିବାରୁ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏସବୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏ ସଂପର୍କରେ ଜିଲ୍ଲା ପରିଷଦ ସଭ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଶିକ୍ଷକଙ୍କ ସମାସ୍ୟା ୧୦ଦିନ ମଧ୍ୟରେ ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ଓ ସେଥିପାଇଁ ଜିଲ୍ଲା ଅଧିକାରୀମାନେ ଦାୟୀ ରହିବେ।

ସମ୍ବନ୍ଧିତ ଖବର