ଶିକ୍ଷକଙ୍କ ଧାରଣା ପରେ ବୃତ୍ତି ପରୀକ୍ଷା ଦେବାକୁ ଅନୁମତି

ବେସରକାରୀ ସ୍କୁଲର ଏନ୍‌ଓସି ପ୍ରସଙ୍ଗ

ଭୁବନେଶ୍ୱର: ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ବେସରକାରୀ ସ୍କୁଲର ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସରକାରୀ ବୃତ୍ତି ପରୀକ୍ଷା ଦେବାକୁ ମନା କରିବା ପ୍ରତିବାଦରେ ଆଜି ରାଜଧାନୀ ଏବଂ ଏହା ଉପକଣ୍ଠର ପ୍ରାୟ ୨୫୦ ସ୍କୁଲର ପ୍ରଧାନଶିକ୍ଷକ /ଶିକ୍ଷୟିତ୍ରୀମାନେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଏବଂ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବେସରକାରୀ ସ୍କୁଲଗୁଡ଼ିକର ସାର୍ଟିଫିକେଟ୍‌ ଅଫ୍‌ ରିକୋଗ୍ନାଇଜେସନ୍‌ ତଥା ଏନ୍‌ଓସି ନଥିବାରୁ ସେମାନଙ୍କ ଛାତ୍ରଛାତ୍ରୀ ବୃତ୍ତି ପରୀକ୍ଷା ଦେଇପାରିବେନି ବୋଲି ଶୁକ୍ରବାର କୁହାଯିବା ପରେ ବିଭିନ୍ନ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନେ ଆଜି ଧାରଣା ଦେଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଧାରଣା ଦେବା ପରେ କର୍ତ୍ତୃପକ୍ଷ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଅଣ୍ଡରଟେକିଂ ନେଇ ବୃତ୍ତି ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ବୃତ୍ତି ପରୀକ୍ଷା ହେବ। ଏନେଇ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ସରକାରୀ ପ୍ରାଥମିକ ସ୍କୁଲ ଏବଂ ୨୫୦ରୁ ଅଧିକ ବେସରକାରୀ ସ୍କୁଲର ୫୦୦ ଛାତ୍ରଛାତ୍ରୀଙ୍କୁ ଆଡମିଟ୍‌ କାର୍ଡ ବି ପ୍ରଦାନ କରାଯାଇଥିଲା। କିନ୍ତୁ ପରୀକ୍ଷା ଆରମ୍ଭ ହେବାର ୪୮ଘଣ୍ଟା ପୂର୍ବରୁ ବେସରକାରୀ ସ୍କୁଲକୁ ନିର୍ଦ୍ଦେଶ ଆସିଲା ତୁମ ସ୍କୁଲର ଏନ୍‌ଓସି ନଥିବାରୁ ପିଲାଙ୍କୁ ବୃତ୍ତି ପରୀକ୍ଷା ଦେବାକୁ ଅନୁମତି ମିଳିବନି। ଆଡମିଟ୍‌ କାର୍ଡ ଦେଇ ହଠାତ୍‌ ପରୀକ୍ଷା ଦେବାକୁ ବାରଣ କରିବାରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଧାରଣା ଦେଇଥିଲେ।

ଶିକ୍ଷା ଅଧିକାର ଆଇନରେ ସ୍କୁଲର ଭିତ୍ତିଭୂମି, ଆବଶ୍ୟକୀୟ ସୁବିଧା ସୁଯୋଗ ଏବଂ ଶିକ୍ଷକ ଥିଲେ ସରକାର ଏନ୍‌ଓସି ଦେବେ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ବେସରକାରୀ ସ୍କୁଲଗୁଡ଼ିକ ଆବେଦନ କରିଥିଲେ ହେଁ ମାତ୍ର ୫/୬ଟି ସ୍କୁଲକୁ ଛାଡ଼ି କାହାକୁ ଏନ୍‌ଓସି ମିଳିନି। ଏପରିକି ଯେଉଁମାନଙ୍କୁ ଏନ୍‌ଓସି ମିଳିନି ତାହାର କାରଣ ଦର୍ଶାଯାଇନି। ଏହାବାଦ୍‌ ଆବେଦନକାରୀ ଛାତ୍ରଛାତ୍ରୀଙ୍କୁ ଆଡମିଟ୍‌ କାର୍ଡ ମିଳିବା ପରେ ସରକାର ଏନ୍‌ଓସି ପ୍ରସଙ୍ଗ ଉଠାଇବା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚକିତ କରିଥିଲା। ଶିକ୍ଷକମାନେ ଧାରଣା ଦେବା ପରେ ସେମାନଙ୍କ ଏନ୍‌ଓସି ଆବେଦନ ଉପରେ ବିଚାର କରାଯାଇଥିଲା। ୧୦/୧୨ଟି ସ୍କୁଲ ଭିତ୍ତିଭୂମି ସଜାଡ଼ିଥିବାରୁ ସେମାନଙ୍କୁ ଏନ୍‌ଓସି ମିଳିଥିଲା। ବାକି ସ୍କୁଲ କର୍ତ୍ତୃପକ୍ଷ ଖୁବ୍‌ ଶୀଘ୍ର ଭିତ୍ତିଭୂମି ସଜାଡ଼ିବେ ବୋଲି ଅଣ୍ଡରଟେକିଂ ଦେବା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ବୃତ୍ତି ପରୀକ୍ଷା ଦେବା ଉପରୁ ଅନିଶ୍ଚିତତା ଉଠିଥିଲା। ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ଯେ, ବୃତ୍ତି ପରୀକ୍ଷାରେ ସରକାରୀ ସ୍କୁଲର ରେଜଲ୍ଟ ବହୁତ ଖରାପ ହେଉଥିବାରୁ ସରକାର ଜାଣି ଶୁଣି ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରୁ ଦୂରେଇ ରଖିବାକୁ ଚକ୍ରାନ୍ତ କରୁଛନ୍ତି।

ପରୀକ୍ଷାରୁ ବଞ୍ଚିତ ହେବେ ଘରୋଇ ସ୍କୁଲ୍‌ ଛାତ୍ରଛାତ୍ରୀ
ବାଲିପାଟଣା: ରାତି ପାହିଲେ ତୃତୀୟ ମେଧାବୃତ୍ତି ପରୀକ୍ଷା। ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି ବ୍ଲକର ୧୧୦ଟି ସରକାରୀ ସ୍କୁଲର ମୋଟ ୧୭୮ଜଣ ଛାତ୍ରଛାତ୍ରୀ ବୁଦ୍ଧନାଥ ହାଇସ୍କୁଲରେ ପରୀକ୍ଷା ଦେବାର ଅଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ଓ ପରିତାପର ବିଷୟ ଏହି ପରୀକ୍ଷାରୁ ଘରୋଇ ସ୍କୁଲର ମେଧାବୀ ଛାତ୍ରଛାତ୍ରୀମାନେ ବଞ୍ଚିତ ହେବାକୁ ଯାଉଛନ୍ତି। ଏନେଇ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକ୍‌ରେ କେବଳ ୩ୟ ବୃତ୍ତି ପରୀକ୍ଷା ନୁହେଁ ଘରୋଇ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ପଞ୍ଚମ ବୃତ୍ତି ଦେଇ ପାରିବେ ନାହିଁ ବୋଲି ଏବେଠାରୁ ଜଣାପଡ଼ିଗଲାଣି। ଏ ସଂପର୍କରେ ଏବିଇଓ ଅଜୟ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ସ୍କୁଲଗୁଡ଼ିକର ଏନ୍‌ଓସି ୩୧ ମାର୍ଚ୍ଚ ୨୦୧୭ପର୍ଯ୍ୟନ୍ତ ଥିଲା। ଅପ୍ରେଲ ପହିଲାରୁ ସ୍କୁଲଗୁଡ଼ିକ ସରକାରଙ୍କ ନିକଟରେ ଏନ୍‌ଓସିକୁ ନବୀକରଣ ପାଇଁ ବା ସିଓପି(ସାର୍ଟିଫିକେଟ ଅଫ୍‌ ରିକୋଗ୍ନାଇଜେସନ୍‌)ପାଇଁ ଆବେଦନ କରିଥିଲେ। କିନ୍ତୁ ସ୍କୁଲଗୁଡ଼ିକ ସିଓପି ପାଇ ପାରି ନଥିଲେ। ଫଳରେ ୩ୟ ଓ ୫ମ ଶ୍ରେଣୀ ବୃତ୍ତି ପାଇଁ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ନାମ(ଇଣ୍ଡେନ୍‌)ମଗାଯାଇ ନଥିଲା। ତେଣୁ ଏସବୁ ସ୍କୁଲର ପିଲାମାନେ ବୃତ୍ତି ପରୀକ୍ଷା ଦେଇପାରୁ ନାହାନ୍ତି ବୋଲି ସେ କହିଛନ୍ତି। ଗତବର୍ଷ ବ୍ଲକର ୧୨୯ଟି ସ୍କୁଲର ମୋଟ ୨୧୦ଜଣ ଛାତ୍ରଛାତ୍ରୀ ୩ୟ ବୃତ୍ତି ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୭ଟି ଘରୋଇ ସ୍କୁଲର ୧୫ଜଣ ଛାତ୍ରଛାତ୍ରୀ ୩ୟ ବୃତ୍ତି ପରୀକ୍ଷା ଦେଇ ସଫଳତା ମଧ୍ୟ ହାସଲ କରିଥିଲେ। କିନ୍ତୁ ଚଳିତ ବର୍ଷ ବୃତ୍ତିରୁ ବଞ୍ଚିତ ହେବା ଫଳରେ ମେଧାବୀ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିରାଶ ହୋଇଛନ୍ତି। ସେହିପରି ୫ମ ବୃତ୍ତି ପାଇଁ ବି ୧୧୩ଟି ସରକାରୀ ସ୍କୁଲର ୧୮୬ଜଣ ଛାତ୍ରଛାତ୍ରୀଙ୍କ ଇଣ୍ଡେନ୍‌ ପ୍ରସ୍ତୁତ ହୋଇସାରିଲାଣି। ସେଥିରେ ବି ଘରୋଇ ସ୍କୁଲର ଛାତ୍ରଛାତ୍ରୀ ବଞ୍ଚିତ ହେବାକୁ ଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର