ପୋଖରୀରେ ବୁଡ଼ି ନାବାଳକ ମୃତ

ଖଣ୍ଡଗିରି: ଶନିବାର ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଗଙ୍ଗପଡ଼ାରେ ଗାଧୋଉଥିବାବେଳେ ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ଷୟ କୁମାର ସାମନ୍ତରାୟ ଓରଫ୍‌ ନାଲୁ ପଶ୍ଚିମକବାଟଙ୍କ ବଡ଼ ପୁଅ ଆଦିତ୍ୟ ନାରାୟଣ(୧୫)। ସେ ଗଙ୍ଗପଡ଼ା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଥିଲେ। ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଘଟିଥିବା ଏହି ଅଘଟଣ ଗଙ୍ଗପଡ଼ାରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନାନୁସାରେ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାବେଳେ ଆଦିତ୍ୟ ଓ ତା’ର କିଛି ଗାଁ ସାଙ୍ଗ ମିଶି ଝାର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସେମାନେ ପାଣିରେ ଡିଅାଁମାରି ବଡ଼ ମଜା କରୁଥିଲେ। ସେତେବେଳେ ସେହି ତୁଠରେ ବି ଗାଁର କିଛି ବୟସ୍କ ଲୋକମାନେ ଗାଧୋଉଥିଲେ। କିନ୍ତୁ ଆଦିତ୍ୟ ଓ ତା’ର ସାଙ୍ଗମାନେ ତୁଠରୁ ଟିକେ ଅଧିକ ଭିତରକୁ ଯାଇ ପାଣିରେ ବୁଡ଼ ପକାଇ ମଜା କରୁଥିଲେ। ହଠାତ୍‌ ଆଦିତ୍ୟ ପାଣିରେ ବୁଡ଼ ପକାଉଥିବାବେଳେ ଆଉ ଉପରକୁ ଉଠିପାରି ନଥିଲେ। ସେ ବୁଡ଼ିଗଲା ବୋଲି ସନ୍ଦେହ କରି ସାଙ୍ଗମାନେ ପାଟି କରି ସେଠାରେ ଗାଧୋଉଥିବା ବଡ଼ ଲୋକମାନଙ୍କୁ ଡାକ ପକାଇଥିଲେ। ଲୋକମାନେ ତାକୁ ଉଦ୍ଧାର କରି ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେତେବେଳକୁ ଆଦିତ୍ୟର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର