ଜିଙ୍ଗ୍‌ସ ସ୍ପାଇସ୍‌ ଓ୍ଵାର୍ଲଡକୁ ୨୫ହଜାର ଟଙ୍କା ଜରିମାନା

କ୍ରିଷ୍ଣା ଗାର୍ଡେନ୍‌ରେ ଭଙ୍ଗା ହେବ ମନ୍ଦିର

ଭୁବନେଶ୍ୱର: ସୌଭାଗ୍ୟ ନଗରସ୍ଥିତ ଜିଙ୍ଗ୍‌ସ ସ୍ପାଇସ୍‌ ଓ୍ଵାର୍ଲଡ ସୋରୁମ୍‌ ରାସ୍ତା ଜବରଦଖଲ କରି ଟ୍ରାନ୍ସଫର୍ମର ବସାଇବା ଏବଂ ରାସ୍ତା ଉପରେ ଆବର୍ଜନା ଗଦାଇବା ମହଙ୍ଗା ପଡ଼ିଛି। ବିଏମ୍‌ସି ପକ୍ଷରୁ ଆଜି ସୋରୁମ୍‌କୁ ୨୫ହଜାର ଟଙ୍କା ଜରିମାନା କରାଯାଇଛି। ସୋ’ ରୁମ୍‌ ଆଜି ବନ୍ଦ ଥିବାରୁ ଏହାର ଘର ମାଲିକଙ୍କୁ ଏହି ଦେୟ ଜମା କରିବା ପାଇଁ ନୋଟିସ୍‌ ହୋଇଛି। ରାସ୍ତା ଅବରୋଧ କରିଥିବା ଜେନେରେଟର୍‌ ଓ ଟ୍ରାନ୍ସଫର୍ମରକୁ ସିଜ୍‌ କରିବା ପାଇଁ ବିଏମ୍‌ସି ଇଲେକ୍ଟ୍ରି ବିଭାଗକୁ କୁହାଯାଇଛି। ସଂସ୍ଥାର ଫଳକକୁ ଆଜି ବିଏମ୍‌ସି ପକ୍ଷରୁ କାଢ଼ି ଦିଆଯାଇଛି। ସେହିପରି କ୍ରିଷ୍ଣା ଗାର୍ଡେନରେ ଦେଖାଯାଉଥିବା ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଏଠାରେ ଥିବା ମନ୍ଦିରକୁ ଭଙ୍ଗାଯିବ ବୋଲି ନିଷ୍ପତ୍ତି ହୋଇଛି। ମନ୍ଦିରଟି ଡ୍ରେନ୍‌କୁ ଅବରୋଧ କରୁଥିବାରୁ ଏହାକୁ ଭଙ୍ଗାଯିବ ବୋଲି ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି। ମନ୍ଦିର ନିକଟରେ ଥିବା ୧୧କେଭି ଇଲେକ୍ଟ୍ରିକ ଖୁଣ୍ଟକୁ ଘୁଞ୍ଚାଇବା ପରେ ମନ୍ଦିରକୁ ଭଙ୍ଗାଯିବ।

ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାର ଦ୍ୱିତୀୟ ଦିନରେ ସୌଭାଗ୍ୟନଗରସ୍ଥିତ ମୁଗ୍‌ଲାଇ ଜାଇକାର ଜବରଦଖଲକୁ ଉଚ୍ଛେଦ କରାଯାଇଛି। ବିଡିଏ ପକ୍ଷରୁ ଓଡ଼ିଶା ସ୍ୱେରେଜ୍‌ ବୋର୍ଡର ବାହାଦଲପୁର ମୌଜାରେ ଥିବା ପ୍ଲଟ୍‌ ନଂ-୨୩୪ ଉପରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଚକେଇସିଆଣିରେ ଦୟାେଓ୍ଵଷ୍ଟ କେନାଲକୁ ଜବରଦଖଲ କରିଥିବା ଲୋକମାନଙ୍କୁ ୭୨ଘଣ୍ଟା ମଧ୍ୟରେ ଜାଗା ଖାଲି କରିବାକୁ କୁହାଯାଇଛି। ସେହିପରି ଓ୍ଵାର୍ଡ ୪୬ରେ ଥିବା ଡିଏଭି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦକ୍ଷିଣ ପଶ୍ଚିମ ଜୋନାଲ ଡେପୁଟି କମିସନର୍‌ ଆଜି କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି। ବିଏମ୍‌ସି ଓ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ୯ଟି ପମ୍ପ ସହାୟତାରେ ବିଭିନ୍ନ ସ୍ଥାନରୁ ଜଳ ନିଷ୍କାସନ କରାଯାଇଛି।

ସମ୍ବନ୍ଧିତ ଖବର