ଅଧାରେ ଲଟକିଛି ମନ୍ଦିର କାମ, କାଜୁଆଲ୍‌ ଲେବରଙ୍କୁ କାଢ଼ିବାରୁ କାମ ବନ୍ଦ

ଭୁବନେଶ୍ବର: ମନ୍ଦିର ପରିସର ସଫେଇ ହେଉନାହିଁ କି ଚାଲିଥିବା କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଭଗ୍ନ ମନ୍ଦିର ପରିସରରେ ପଥର ପଡ଼ି ବିକୃତ ସ୍ଥିତି ଉପୁଜିଛି। ଅଥଚ କାମ ସାରିବାକୁ ଉଦ୍ୟମ ହେଉନାହିଁ। ୩ମାସ ହେବ ଏହିଭଳି ସମସ୍ୟା ଲାଗି ରହିଛି। ଯେବେଠୁ ବିନା ନୋଟିସ୍‌ରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା(ଏଏସ୍‌ଆଇ) ୧୨୦ କାଜୁଆଲ ଲେବରଙ୍କୁ କାର୍ଯ୍ୟରୁ ବାହାର କରିଛି, ସେବେଠୁ ଏଇ ସ୍ଥିତି ଉପୁଜିଛି। ଯେସାକୁ ତେସା ନୀତିରେ କର୍ମଚାରୀମାନେ କୌଣସି ମନ୍ଦିରରେ କାମ କରେଇ ଦେଉନାହାନ୍ତି। ହଠାତ୍ ଚାକିରି ହରାଇ ଦୁଃଖରେ କାଳାତିପାତ କରୁଥିବା କର୍ମଚାରୀମାନେ ୩ ମାସ ହେଲା ଏଏସ୍‌ଆଇ ମୁଖ୍ୟ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। ତଥାପି କିଛି ଲାଭ ହୋଇନାହିଁ। ଏନେଇ କର୍ମଚାରୀମାନେ ଶ୍ରମ କମିସନ୍‌‌ରେ ମାମଲା କରିଛନ୍ତି। ହେଲେ ସମସ୍ୟା ତୁଟି ପାରୁନାହିଁ। ଏହାର କୁପରିଣାମ ମନ୍ଦିର ଓ ଐତିହ୍ୟକୁ ଭୋଗିବାକୁ ପଡ଼ିଛି। ନିକଟରେ ଅନୁଷ୍ଠିତ ହୋଇଥିବା ଯମ ଦ୍ବିତୀୟାରେ ଯମେଶ୍ବର ମନ୍ଦିରର ମୁଖ୍ୟ ମଣ୍ଡପ ଭାଙ୍ଗି ଯାଇଥିବାରୁ ଏବଂ କାମ ନ ହୋଇପାରିବାରୁ ଦୀର୍ଘ ଦିନର ପରମ୍ପରାକୁ ବଦଳାଇବାକୁ ପଡ଼ିଥିଲା। ସେହିପରି ଶାରୀ ଦେଉଳରେ କାମ ପାଇଁ ଆସିଥିବା ପଥର ଦୀର୍ଘ ଦିନ ହେବ ପଡ଼ି ରହିଥିଲେ ହେଁ କାମ ହେଉନାହିଁ କି ପଥର ହଟା ଯାଉନାହିଁ। ପଥର ଏଣେତେଣେ ଏଭଳି ବିକ୍ଷିପ୍ତ ଅବସ୍ଥାରେ ପଡ଼ିଛି ଯେ ମନ୍ଦିରକୁ ପ୍ରବେଶ କଲେ ଆଡ଼େଇ ଆଡ଼େଇ ଯିବାକୁ ପଡ଼ୁଛି। ମନ୍ଦିର ପରିସରକୁ ମଧ୍ୟ ଏହା ବିକୃତ କରୁଛି। ଏଏସ୍‌ଆଇ ଅଧୀନରେ ସଂପ୍ରତି ରାଜ୍ୟର ୭୮ଟି ମନ୍ଦିରର ଦାୟିତ୍ବ ରହିଛି। ଯମେଶ୍ବର ମନ୍ଦିର ଭଳି ଅନେକ ମନ୍ଦିରର କାମ ଏଏସ୍‌ଆଇ ପକ୍ଷରୁ ଠିକାରେ ଦିଆଯାଇଛି ଏବଂ କାଜୁଆଲ୍‌ ଲେବରଙ୍କୁ ଏହି ଠିକାଦାରଙ୍କ ଅଧୀନରେ କାମ କରିବାକୁ ଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ତେବେ ଦୀର୍ଘ ୧୫ ବର୍ଷ ଧରି ଏଏସ୍‌ଆଇ ଅଧୀନରେ କାମ କରି ଆସିଥିବାରୁ ଠିକାଦାରଙ୍କ ଅଧୀନରେ କାମ କରିବେ ନାହିଁ ବୋଲି କର୍ମଚାରୀମାନେ କହିଛନ୍ତି। ସେମାନେ ଏକଥା ବି କହିଛନ୍ତି ଯଦି ଏନେଇ କେନ୍ଦ୍ରରୁ ନିର୍ଦ୍ଦେଶ ଜାରି ହୋଇଛି, ତେବେ ଆମକୁ ନୋଟିସ୍‌ ଦେଖାଯାଉ। ଭୁବନେଶ୍ବରରେ ୪୫ ଜଣ କର୍ମୀ ପ୍ରତିଦିନ ଏନେଇ ଏଏସ୍‌ଆଇ କାର୍ଯ୍ୟାଳୟ ସମ୍ମୁଖରେ ବସି ରହୁଥିବା ବେଳେ ଯେପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହୋଇଛି କାମ କରାଇ ଦିଆଯିବ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର