ପଥର ଖସିଲେ ମନେପଡ଼ିବ

ଭୁବନେଶ୍ୱର : ଆମ ମନ୍ଦିରର କାରିଗରୀ ଚମକ ଦେଖୁଦେଖୁ ଆଖି ଲାଖିଯାଏ। ହଜାର ହଜାର ବର୍ଷ ଧରି ମନ୍ଦିରଗୁଡ଼ିକ ତିଷ୍ଠି ରହିଥିବା ଭାବିଲେ ମନ ଚକିତ ହୁଏ। ମାତ୍ର ଏହି ମନ୍ଦିରଗୁଡ଼ିକ କେତେ ସୁରକ୍ଷିତ ତାହା ଏବେ ପ୍ରଶ୍ନବାଚୀ। ବର୍ଷା ଋତୁ ଆସୁଥିବାରୁ ବଜ୍ରପାତ ଜନିତ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି। ମାତ୍ର ଏକାମ୍ର କ୍ଷେତ୍ରରେ ଅନେକ ମନ୍ଦିରରେ ଏବେ ବି ବଜ୍ରପାତ ନିରୋଧକ ଲଗାଯାଇ ନାହିଁ। ଦୁଇ ବର୍ଷ ତଳେ ବଜ୍ରପାତ ଯୋଗୁଁ ଯମେଶ୍ୱର ମନ୍ଦିରରେ ବଡ଼ ଧରଣର କ୍ଷତି ହୋଇଥିଲା। ପରେ ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ତତ୍ପର ହୋଇଥିଲା। ଏଇ କିଛି ମାସ ତଳେ ସେଠାରେ ଆର୍ଥିଂ ବ୍ୟବସ୍ଥା କରାଯାଇଛି। ମାତ୍ର ଏବେ ବି ଅନେକ ମନ୍ଦିର ବଜ୍ରପାତ ଭୟରୁ ବର୍ତି ପାରିନି। ପଥର ଖସିଲେ ହିଁ ମନ୍ଦିର ସୁରକ୍ଷା କଥା ମନେ ପଡ଼ିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅଧୀନରେ ୭୯ କୀର୍ତିରାଜି ଥିବା ବେଳେ ଭୁବନେଶ୍ୱରରେ ରହିଛି ୨୩ଟି। ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ୨୧୮ଟି କୀର୍ତିରାଜି ରହିଥିବା ବେଳେ ଭୁବନେଶ୍ୱରରେ ରହିଛି ୧୧ଟି। ଭୁବନେଶ୍ୱରର ୩୪ଟି ମନ୍ଦିରର ସଂରକ୍ଷଣ ଦାୟିତ୍ୱ କେନ୍ଦ୍ର ଓ ରାଜ୍ୟ ସରକାର ନିଜନିଜ ଭିତରେ ବାଣ୍ଟି ନେଇଥିଲେ ମଧ୍ୟ ଏବେ ବି ହଜାର ହଜାର ବର୍ଷ ତଳର ମନ୍ଦିରରେ ଆର୍ଥିଂ ବ୍ୟବସ୍ଥା ନାହିଁ। ପର୍ଶୁରାମେଶ୍ୱର, ଚିତ୍ରକାରିଣୀ ମନ୍ଦିର, ଭବାନୀ ଶଙ୍କର ମନ୍ଦିର ଭଳି ସଂରକ୍ଷିତ ମନ୍ଦିରରେ ଏବେ ସୁଦ୍ଧା ଆର୍ଥିଂ ବ୍ୟବସ୍ଥା ହୋଇନାହିଁ। ସପ୍ତମରୁ ଏକାଦଶ ଖ୍ରୀଷ୍ଟାବ୍ଦର ଏହି ମନ୍ଦିରଗୁଡ଼ିକ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା। ବର୍ତମାନ ଏଗୁଡ଼ିକ ପ୍ରତି ଆଖି ବୁଜିଦେଇଛି ପ୍ରତ୍ନତତ୍ତ୍ୱ ବିଭାଗ। ଏଏସ୍‌ଆଇ ଭୁବନେଶ୍ୱର ସର୍କଲ୍‌ ରାଜ୍ୟର ୧୧ଟି ମନ୍ଦିରରେ ଏବିବି ଟେକ୍ନୋଲୋଜି ପ୍ରୟୋଗ କରିବା ପାଇଁ ୨୦୧୭ରୁ ଅଭିଯାନ ଆରମ୍ଭ କରିଛି। ଯେଉଁ ଟେକ୍ନୋଲୋଜି ପ୍ରୟୋଗ ଦ୍ୱାରା ୧୨୦ ମିଟର ପର୍ଯ୍ୟନ୍ତ କୌଣସି କ୍ଷତି ହେବନାହିଁ। କିନ୍ତୁ ଏହାବାଦ ଅନେକ ଅସଂରକ୍ଷିତ ମନ୍ଦିରକୁ ବଜ୍ରପାତ ଭୟ ଲାଗି ରହିଛି।

ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗ ୫୦ ମିଟର ଉଚ୍ଚ ବିଶିଷ୍ଟ ମନ୍ଦିରରେ ଆର୍ଥିଂ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେଉଛି। ତେବେ ବଜ୍ରପାତ ପ୍ରବଣ ଅଞ୍ଚଳରେ ଆହୁରି କମ ଉଚ୍ଚତା ବିଶିଷ୍ଟ ମନ୍ଦିର ବଜ୍ରପାତରୁ ବର୍ତୁ ନଥିବା ବେଳେ ଏନେଇ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ବଜ୍ରପାତ ସମ୍ବନ୍ଧୀୟ ପ୍ରୋଟୋକଲ୍‌ ଉପରେ ପୁନଃ ବିଚାର କରିବ ବୋଲି ୨ ବର୍ଷ ତଳେ କହିଥିଲା। କିନ୍ତୁ ଏଯାଏଁ ତାହା କାର୍ଯ୍ୟକାରୀ ହୋଇନାହିଁ। ମୋଟାମୋଟି ଭାବେ ଏଇ ବର୍ଷେ ମଧ୍ୟରେ ଓଡ଼ିଶା ପ୍ରତ୍ନତତ୍ତ୍ୱ ବିଭାଗ କୌଣସି ମନ୍ଦିରରେ ବଜ୍ରପାତ ନିରୋଧକ ବ୍ୟବସ୍ଥା କରିନାହିଁ।

ମନ୍ଦିରରେ ଉଠିଗଲାଣି ଗଛ
ଅନନ୍ତ ବାସୁଦେବ ମନ୍ଦିର ସଂଲଗ୍ନ ଏକ ମନ୍ଦିର ଉପରେ ଏବେ ବରଗଛ ଓ ଓସ୍ତଗଛ ଆଦି ଶାଖା ପ୍ରଶାଖା ମେଲାଇଲେଣି। ପ୍ରତ୍ନତତ୍ତ୍ୱ ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ ଖରା, ବର୍ଷା, ଶୀତର ପ୍ରକୋପ ସହୁଥିବା ମନ୍ଦିରରେ ବେଳେବେଳେ ଛୋଟଛୋଟ ଗଛ ଉଠିଯାଏ। ଏଥିରୁ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ରାସାୟନିକ ପ୍ରଲେପ ଦିଆଯାଏ। କିନ୍ତୁ ଏମିତି ଅନେକ ସଂରକ୍ଷିତ ହୋଇ ନଥିବା ମନ୍ଦିର ଅଛି ଯାହା ଏହି ରାସାୟନିକ ପ୍ରଲେପ ଅଭାବରୁ ଧୀରେଧୀରେ ମନ୍ଦିରରୁ ପଥର ଚୂନା ହୋଇ ଖସୁଛି।

ଜବରଦଖଲରେ ମନ୍ଦିର
କେଉଁଠି ରାସ୍ତା ନିର୍ମାଣ ଆଳରେ ତ କେଉଁଠି ଘର ନିର୍ମାଣ ଆଳରେ ବିଲୁପ୍ତ ହୋଇଯାଉଛି ଏକାମ୍ର କ୍ଷେତ୍ରର ଅନେକ ମନ୍ଦିର। ଐତିହାସିକ ବିଜୟ କୁମାର ରଥଙ୍କ କହିବା ମୁତାବକ, ସଂରକ୍ଷିତ କୀର୍ତିରାଜିର ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କାମ ହୋଇପାରିବନି ବୋଲି ନିୟମ ରହିଛି। ମାତ୍ର ଏହି ନିୟମ ଆସିବା ପୂର୍ବରୁ ପୁରୁଣା ଭୁବନେଶ୍ୱରରେ ମନ୍ଦିରକୁ ସଂଲଗ୍ନ କରି ଘର ଓ ଅନ୍ୟ କ୍ଷେତ୍ରଗୁଡ଼ିକ ଗଢ଼ି ଉଠିଥିବାରୁ ଏବେ ସଂରକ୍ଷିତ କୀର୍ତିରାଜିଗୁଡ଼ିକ ଜବରଦଖଲମୁକ୍ତ ହୋଇପାରିବ କି ନାହିଁ ତାହା ପ୍ରଶ୍ନବାଚୀ।

ସମ୍ବନ୍ଧିତ ଖବର