ରଘୁନାଥନଗରରେ ଜଗାବଳିଆ ଆତଙ୍କ

ଖଣ୍ଡଗିରି : ଆକାଶ-ବଳିଆ ଗ୍ୟାଙ୍ଗ୍‌ର ଆତଙ୍କରାଜ୍‌ କଥା ମନରୁ ନ ଲିଭୁଣୁ ସ୍ଥାନୀୟ ଡୁମୁଡୁମା ରଘୁନାଥନଗରରେ ଆଉ ଦୁଇ ଭାଇ ଜଗା ବଳିଆଙ୍କ ଆତଙ୍କ ଚର୍ଚ୍ଚାକୁ ଆସିଛି। ରବିବାର ରାତିରେ ଏହି ଦୁଇ ଭାଇ ଜଣେ ଯୁବକଙ୍କୁ ଆକ୍ରମଣ କରି ଲୁଟ୍‌ କରିଥିବାବେଳେ ଆଜି ସକାଳେ ସେମାନେ ଜଣେ ବ୍ୟବସାୟୀଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି। ଆଜି ସକାଳେ ଦୁଇ ଭାଇ ଜଗା ବଳିଆ ଡୁମୁଡୁମା ରଘୁନାଥନଗରରେ ସିମେଣ୍ଟ ଦୋକାନ କରିଥିବା ଭାଲୁ ପଟ୍ଟନାୟକଙ୍କୁ ଛୁରାମାଡ଼ କରିଥିଲେ। ଛୁରାମାଡ଼ରେ ଭାଲୁଙ୍କ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ଓ ତାଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତି କରାଯାଇଥିଲା। ପୂର୍ବଶତ୍ରୁତାକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା କୁହାଯାଉଛି। ସେହିଭଳି ଗତରାତିରେ ରାଜେନ୍ଦ୍ର ପ୍ରଧାନ ନାମକ ଜଣେ ଯୁବକକୁ ଏହି ଦୁଇ ଭାଇ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ରାଜେନ୍ଦ୍ରଙ୍କ ମା’ ବଙ୍ଗାଳି ପ୍ରଧାନଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଦୁଇ ଭାଇ ତାଙ୍କ ପୁଅକୁ ମାଡ଼ ମାରି ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି ଓ ଆଉ ୭୦ ହଜାର ଟଙ୍କା ଦେବାକୁ ଧମକ ଦେଇଛନ୍ତି। ଏମିତିକି ରାଜେନ୍ଦ୍ରକୁ ମାଡ଼ ମାରୁଥିବାବେଳେ ବଙ୍ଗାଳି ପ୍ରତିରୋଧ କରିବାରୁ ଜଗା ବଳିଆ ତାଙ୍କୁ ମଧ୍ୟ ମାଡ଼ ମାରି ଆହତ କରିଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଦୁଇ ଦୁଇଟି ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ଜଗା ବଳିଆଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ସରକନ୍ତରା-ବାହାଦଲପୁରର ଆକାଶ ଷଡ଼ଙ୍ଗୀ ଓ ବଳିଆ ରାଉତରାୟଙ୍କ ଗ୍ୟାଙ୍ଗ ପାଇଁ ଗତ ମାସରେ ରଘୁନାଥନଗରରେ ତୁମୁଳକାଣ୍ଡ ଘଟିଥିଲା ଓ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଏବେ ସେମାନେ ଝାରପଡ଼ା ଜେଲ୍‌‌ରେ ଅଛନ୍ତି।

ସମ୍ବନ୍ଧିତ ଖବର