ବିଳମ୍ବିତ ରାତିରେ ଅରବିନ୍ଦ ନଗର ବସ୍ତିରେ ଉତ୍ତେଜନା

ଥାନାରେ ଏତଲା ଦେଲେ ୪୦ରୁ ଉର୍ଧ୍ୱ ମହିଳା

ଚନ୍ଦ୍ରଶେଖରପୁର : ଡମଣା ଅରବିନ୍ଦ ନଗର ବସ୍ତିରେ ଆଜି ବିଳମ୍ବିତ ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଗୋଟିଏ ଗୋଷ୍ଠୀର ଲୋକ ଆଉ ଏକ ଗୋଷ୍ଠୀକୁ ଆକ୍ରମଣ କରିବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି। ଏନେଇ ଆକ୍ରମଣ ଆଶଙ୍କାରେ ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ମଧ୍ୟ ହୋଇଛି। ୪୦ରୁ ଊର୍ଧ୍ୱ ମହିଳା ଓ ପୁରୁଷ ଏନେଇ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚି ସୁରକ୍ଷା ଦାବି କରିବା ସହିତ ଏତଲା ମଧ୍ୟ ଦେଇଛନ୍ତି। ପ୍ରକାଶ ଯେ ଏହି ବସ୍ତିରେ ରହୁଥିବା କିଛି ଲୋକ ଚଞ୍ଚକତା କରି ବିଏସ୍‌ୟୁପି ଯୋଜନାରେ ଘର ହାତେଇଥିବା ଅଭିଯୋଗରେ ଏହି ବସ୍ତିର ପ୍ରକୃତ ହିତାଧିକାରୀ କୁହାଯାଉଥିବା ପରିବାରଗୁଡ଼ିକ ବିରୋଧ କରୁଥିଲେ। ଏନେଇ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ ହୋଇଥିଲା।

ଚଞ୍ଚକତା କରି ଘର ହାତେଇଥିବା ବ୍ୟକ୍ତିମାନେ ଆଜି ସେମାନଙ୍କୁ ବିରୋଧ କରୁଥିବା ପରିବାର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ସୂଚନା ମିଳିଥିଲା। ଏପରିକି ମାଡ଼ମାରି କେସ୍‌ ବାବଦରେ ଖର୍ଚ୍ଚ କରିବା ନିମନ୍ତେ ଉକ୍ତ ବ୍ୟକ୍ତିମାନେ ୫୦୦ଟଙ୍କା ଲେଖାଏଁ ଆଦାୟ ମଧ୍ୟ କରିଥିବା ସୂଚନା ମିଳିଛି। ତେବେ ଆକ୍ରମଣର ଯୋଜନା କରିଥିବା ବ୍ୟକ୍ତିମାନେ ଅପର ଗୋଷ୍ଠୀଙ୍କୁ ବିଳମ୍ବିତ ରାତିରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ ନିମନ୍ତେ ପ୍ରସ୍ତୁତ ହୋଇଥିଲେ। ଆକ୍ରମଣର ଆଶଙ୍କା କରି ୪୦ରୁ ଊର୍ଧ୍ୱ ମହିଳା ଓ ପୁରୁଷ ରାତି ଅଧରେ ଥାନାରେ ପହଞ୍ଚିଥିଲେ। ପରେ ପୁଲିସ୍‌ ପିସିଆର୍‌ ଗାଡ଼ି ବସ୍ତିରେ ପହଞ୍ଚି ବୁଝାସୁଝା କରିଥିଲା। ମାତ୍ର ପରିସ୍ଥିତି ଶାନ୍ତ ନହେବାରୁ ଆଉ ଦୁଇଟି ପିସିଆର୍‌ ଭ୍ୟାନ୍‌ ଅରବିନ୍ଦ ନଗର ବସ୍ତିକୁ ଯାଇଥିଲା। ଖବର ଲେଖା ହେବା ପର୍ଯ୍ୟନ୍ତ ଉକ୍ତ ମହିଳାମାନେ ଥାନାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର