ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ, କ୍ୟାମ୍ପସରେ ଉତ୍ତେଜନା

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଅଶାନ୍ତ ବିଜେବି କଲେଜ

ପୁରୁଣା ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଅଶାନ୍ତ ହୋଇପଡ଼ିଛି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ। ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। କଲେଜ କର୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ କ୍ୟାମ୍ପସ ଶାନ୍ତ ପଡ଼ିଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗି ରହିଛି।

ଛାତ୍ର ସଂସଦ ନିର୍ବାଚନଠାରୁ ଏଠାରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବିଭିନ୍ନ ସମୟରେ ଛକାପଞ୍ଝା ଜାରି ରହିଥିବା ବେଳେ ଏବେ ପୁଣିଥରେ ତାହା ଉଗ୍ରରୂପ ନେଇଛି। ଦୁଇଦିନ ତଳେ ଗୋଟିଏ ଗୋଷ୍ଠୀର ଜଣେ ଛାତ୍ରଙ୍କୁ ଅନ୍ୟ ଏକ ଗୋଷ୍ଠୀର କେତେକ ଛାତ୍ର ଟଙ୍କପାଣି ରୋଡ୍‌ ନିକଟରେ ଆକ୍ରମଣ କରିଥିଲେ। ଅନ୍ୟ ଜଣେ ଛାତ୍ରଙ୍କୁ ମଧ୍ୟ ସମ୍ପୃକ୍ତ ଗୋଷ୍ଠୀର ଛାତ୍ରମାନେ ଗତକାଲି ଖୋଜୁଥିଲେ। ମାଡ଼ ଖାଇଥିବା ଛାତ୍ରଙ୍କ ସହଯୋଗୀମାନେ ଅନ୍ୟ ଗୋଷ୍ଠୀର ଛାତ୍ରମାନଙ୍କୁ ପଚରାଉଚରା କରିବା ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁଇ ଗୋଷ୍ଠୀର ଛାତ୍ରମାନେ ହାତାହାତି ହୋଇଥିଲେ। କ୍ୟାମ୍ପସ ନିକଟରେ ଲାଗିଥିବା ବ୍ୟାନର୍‌ ଚିରା ହୋଇଥିଲା। ପରିସ୍ଥିତି ବିଗିଡ଼ିବାରୁ କଲେଜ କର୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। କଲେଜ ଅଧ୍ୟକ୍ଷ ଓ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଉଭୟ ଗୋଷ୍ଠୀର ଛାତ୍ର ଶାନ୍ତ ପଡ଼ିଥିଲେ। ଚାପା ଉତ୍ତେଜନା ଲାଗି ରହିଥିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁଲିସ ମୁତୟନ ହୋଇ ରହିଥିଲେ।

ସମ୍ବନ୍ଧିତ ଖବର