ଗର୍ଭସ୍ଥ ଶିଶୁର ମୃତ୍ୟୁକୁ ନେଇ ହସ୍‌ପିଟାଲ‌ରେ ଉତ୍ତେଜନା

ଭୁବନେଶ୍ବର : ପ୍ରସବ ବେଦନାରେ ଦୀର୍ଘ ୬ ଘଣ୍ଟା କାଳ ଛଟପଟ ହୋଇ ୩ଟି ଡାକ୍ତରଖାନା ବୁଲିବା ପରେ ଜଣେ ଗର୍ଭବତୀଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଛି। ରାଜଧାନୀ‌ରେ ଘଟିଥିବା ଏହି ଅଭାବନୀୟ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହେବା ପରେ ଫାୟାର ଷ୍ଟେସନ୍‌ ଛକରେ ଥିବା‌ ଏକ ଘରୋଇ ହସ୍‌ପିଟାଲରେ ଆଜି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ‘ପ୍ରଥମେ ୫ ହଜାର ନେଇ ଆଡ୍‌ମିସନ କଲେ। ଡାକ୍ତର ୩ ଘଣ୍ଟା ପରେ ଆସି ଗର୍ଭସ୍ଥ ଶିଶୁ ମୃତ୍ୟୁ ବରଣ କରିଥିବା ଘୋଷଣା କଲେ। କହିଲେ, ଆଗରୁ ମରି ଯାଇଛି। ଯଦି ମରିଯାଇଥିଲା କାହିଁକି ଆଡ୍‌ମିସନ କଲେ? ପୁଣି ଲ‌େକ୍ଷ ଟଙ୍କା ମାଗିଲେ’ ବୋଲି ମୃତକର ପରିବାରବର୍ଗ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ନୂଆପଲ୍ଲୀ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣାଧୀନ କରିଥିଲେ ମଧ୍ୟ ଲିଖିତ ଅଭିଯୋଗ ହୋଇନଥିବାରୁ ରାତି ସୁଦ୍ଧା ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ସମ୍ପୃକ୍ତ ଗର୍ଭବତୀ ଆଉ ଏକ ଘରୋଇ କ୍ଳିନିକ୍‌ରେ ମୃତ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।

ପ୍ରସୂତିଙ୍କ ସ୍ବାମୀଙ୍କ ଅଭିଯୋଗ ମୁତାବକ, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ଗୁଆଚୁଙ୍ଗା ଗ୍ରାମର ସୈକତ ଅଲ୍ଲୀ ସାହାଙ୍କ ପତ୍ନୀ ସନିମା ବେଗମ୍‌ ଗତ ରାତି ୧୧ଟା ବେଳେ ପ୍ରସବ ବେଦନା ଅନୁଭବ କରିଥିଲେ। ତାଙ୍କୁ ଡେଲାଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ ରେଫର୍‌ କରିଦେଲେ। କ୍ୟାପିଟାଲ ହସ୍‌ପିଟାଲରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା‌ ପରେ ଗର୍ଭସ୍ଥ ଶିଶୁର ହାର୍ଟବିଟ୍‌ ସ୍ଥିର ରହୁନଥିବାରୁ କଟକ ନେବାକୁ କହିଥିଲେ। ସମୟ ଅଭାବରୁ ପରିବାରବର୍ଗ ତାଙ୍କୁ ଖଣ୍ଡଗିରି ନିକଟ ଏକ ଘରୋଇ ହସ୍‌ପିଟାଲ ନେଇଯାଇଥିଲେ। ସେଠାରେ ମଧ୍ୟ ସମସ୍ୟା ଅନୁଭବ କରିବାରୁ ପରିବାରବର୍ଗ ଫାୟାର ଷ୍ଟେସନ୍‌ ଛକରେ ଥିବା ହସ୍‌ପିଟାଲକୁ ନେଇ ଆସିଥିଲେ। ସେତେବେଳେକୁ ଭୋର୍‌ ୫ଟା ବାଜିଥିଲା। ସେଠାରେ ନର୍ସ ତାଙ୍କର ଯାଞ୍ଚ କରିଥିଲେ। ଗର୍ଭସ୍ଥ ଶିଶୁ ଭଲ ଅଛି, ଆଡ୍‌ମିସନ କରିଦିଅ ବୋଲି କହିଥିଲେ। ୫ହଜାର ଦେଇ ଆଡ୍‌ମିସନ କରିବା ସହ ଆଇସିୟୁ ଦିଆଯିବ ସେ ନେଇ ଲକ୍ଷେ ଜମା କର ବୋଲି କହିଥିଲେ। ହେଲେ ଆଡ୍‌ମିସନ ହେବାର ପାଖାପାଖି ସାଢ଼େ ୩ ଘଣ୍ଟା ପରେ (ସାଢ଼େ ୮ଟା ବେଳେ) ଡାକ୍ତର ଆସିଥିଲେ। ସେତେବେଳକୁ ବିଳମ୍ବ ହୋଇସାରିଥିଲା। ପ୍ରସୂତିଙ୍କ ଅବସ୍ଥା ଖରାପ ହୋଇଯାଇଥିବା ବେଳେ ଗର୍ଭସ୍ଥ ଶିଶୁ ମୃତ୍ୟୁ ବରଣ କରିଥିବା ଡାକ୍ତର ଘୋଷଣା କରିଥିଲେ। ପୂର୍ବରୁ ହୋଇଥିବା ସମସ୍ତ ପରୀକ୍ଷାନିରୀକ୍ଷା ରିପୋର୍ଟ ଓ ସମ୍ପୃକ୍ତ ଡାକ୍ତରଖାନାରେ ଆଡ୍‌ମିସନ ବେଳେ ଗର୍ଭସ୍ଥ ଶିଶୁ ସୁସ୍ଥ ରହିଥିବା ବେଳେ ଉପଯୁକ୍ତ ସମୟରେ ଚିକିତ୍ସା ନ ମିଳିବାରୁ ମା’ ପେଟରେ ଶିଶୁର ମୃତ୍ୟୁ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଥିଲେ। ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇ ପାରିନଥିଲା।

ସମ୍ବନ୍ଧିତ ଖବର