ଥାଇଲାଣ୍ଡ୍‌ରେ ଓଡ଼ିଆ ଯୋଗ ପ୍ରଫେସର ପ୍ରଶଂସିତ

ଭୁବନେଶ୍ୱର: ଯୋଗ ବିଜ୍ଞାନର କୁଶଳତାକୁ ଥାଇଲାଣ୍ଡ୍‌ରେ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଦୁଇ ଓଡ଼ିଆ ଯୋଗ ପ୍ରଫେସର। ଥାଇଲାଣ୍ଡ୍‌ର ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଲାଙ୍ଗୁଏଜ୍‌ସ ଆଣ୍ଡ୍‌ କଲ୍‌ଚର୍ସ ଅଫ୍‌ ଏସିଆ (ଆର୍‌ଆଇଏଲ୍‌ସିଏ) ପକ୍ଷରୁ ଆୟୋଜିତ ‘ଯୋଗ ବିଜ୍ଞାନ ଓ ଆୟୁର୍ବେଦ’ କାର୍ଯ୍ୟକ୍ରମରେ ଭାଗ ନେଇ ଯୋଗର ଦର୍ଶନ ସମ୍ପର୍କରେ ବକ୍ତତା ପ୍ରଦାନ କରିବା ସହ ଯୋଗ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଧ୍ୟାନ ଓ ଯୋଗ ଆସନ ସମ୍ପର୍କରେ ତାଲିମ୍‌ ଦେଇଥିଲେ। ଚୀନ୍‌, ଭିଏତନାମ, ଥାଇଲାଣ୍ଡ ଓ ଭାରତରୁ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ଦୁଇ ପ୍ରଫେସରଙ୍କ ଯୋଗ ଶିକ୍ଷା କୌଶଳକୁ ବେଶ୍‌ ପ୍ରଶଂସା କରିଥିଲେ। ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ଡ. ଦିନେଶ ପ୍ରସାଦ ସ୍ୱାଇଁ ଏବଂ ଡ. ପ୍ରତିଭାଶ୍ରୀ ଓଡ଼ିଶା ପାଇଁ ଏହି ଗୌରବ ଆଣି ପାରିଛନ୍ତି। ଦୁଇ ପ୍ରତିଭା ଯୋଗରେ ଡକ୍ଟରାଲ୍‌ ଡିଗ୍ରି ହାସଲ କରିଥିବା ବେଳେ ଉଭୟଙ୍କୁ ଓଡ଼ିଶା ସରକାର ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କ ପାଇଁ ଯୋଗ ଉପରେ ଏକ ବହି ଲେଖିବା ପାଇଁ ସୁଯୋଗ ଦେଇଛନ୍ତି। ଦୁହେଁ ପୂର୍ବରୁ ମାଧ୍ୟମିକ ଶିକ୍ଷା ବୋର୍ଡ ପାଇଁ ‘ଯୋଗ ଓ ଯୋଗ ବିଜ୍ଞାନ’ ଭଳି ପୁସ୍ତକ ରଚନା କରିଥିବା ବେଳେ ୩୦ଟି ଜିଲ୍ଲାର ଖେଳ ଶିକ୍ଷକଙ୍କୁ ତାଲିମ୍‌ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର