ୟୁକେରେ ଚର୍ଚ୍ଚିତ ହେଲା ଓଡ଼ିଆ ଛାତ୍ରଙ୍କ ବାର୍ତା

ଭୁବନେଶ୍ବର: ବ୍ରିଟେନ୍‌(ୟୁକେ)ରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନରତ ଓଡ଼ିଶାର ଜଣେ ଛାତ୍ରଙ୍କ ବାର୍ତା ବ୍ରିଟେନବାସୀଙ୍କ ମଧ୍ୟରେ ଚର୍ଚ୍ଚିତ ହୋଇଛି। ମେ’ ୨୦ ତାରିଖରେ ବ୍ରିଟେନ୍‌ରେ ‘ଜଣେ ଶିକ୍ଷକଙ୍କୁ ଧନ୍ୟବାଦ ଜଣେଇବାର ଦିବସ’ ପାଳନ ବ‌େଳେ ବ୍ରାଡ୍‌ଫୋର୍ଡସ୍ଥିତ ରେନ୍‌ବୋ ପ୍ରାଇମେରି ସ୍କୁଲ୍‌ର ଛାତ୍ର ଆରବ ଅବନିଶ ତାଙ୍କ ଶିକ୍ଷୟିତ୍ରୀଙ୍କ ‌ଉଦ୍ଦେଶ୍ୟରେ ଏକ ବାର୍ତା ପ୍ରେରଣ କରିଥିଲେ। ଶିକ୍ଷୟିତ୍ରୀଙ୍କ ସ୍କେଚ୍‌ ଫଟୋ ସହ ସେ ଦେଇଥିବା ବାର୍ତାଟି ଥିଲା; ‘ମତେ ଶିଖିବାର ସଂସାଧନ ପଠାଇଥିବାରୁ, ଏଭଳି କରୋନା ମହାବିପତ୍ତି ସମୟରେ ମୁଁ ନିଜକୁ ଘରେ ବ୍ୟସ୍ତ ରଖିପାରିଛି। ମିସ୍‌ ଇକବାଲ୍‌, ତୁମେ ଓ ତୁମର ଶିକ୍ଷା ପଦ୍ଧତି ମୋ’ର ବହୁତ ମନେ ପଡ଼ୁଛି’। ‘ଟିଚିଙ୍ଗ ଆୱାର୍ଡସ’ ଓ ‘ୱାର୍‌ ହାଉସ୍‌ ଅଥର’ର ମିଳିତ ଆନୁକୂଲ୍ୟରେ ‘ଜଣେ ଶିକ୍ଷକଙ୍କୁ ଧନ୍ୟବାଦ ଜଣେଇବାର ଦିବସ’ ପାଳନ କରାଯାଇଥିବା ବ‌େଳେ ଆରବଙ୍କ ଏହି ବାର୍ତା ପ୍ରଶଂସା ସାଉଁଟିଛି। ଏହା ବ୍ରିଟେନ୍‌ର ଅଗ୍ରଣୀ ଟାବଲଏଡ୍‌ ସମ୍ବାଦପତ୍ର ‘ଦି ସନ୍‌’ରେ ପ୍ରକାଶିତ ମଧ୍ୟ ହୋଇଛି। ଆରବ ନିଜ ବାପା ତଥା ସଫ୍ଟୱେର ଇଂଜିନିୟର ଦେବାଶିଷ ସାହୁ ଓ ମା’ ପୁଷ୍ପିତା ସାହୁଙ୍କ ସହ ବ୍ରିଟେନ୍‌ରେ ରହି ଆସୁଛନ୍ତି। ଆରବଙ୍କ ଜେଜେବାପା ମଧୁସୂଦନ ସାହୁ ଓ ଜେଜେ ମା’ ଗୋଦାବରୀ ସାହୁ ଖଣ୍ଡଗିରିରେ ରହୁଛନ୍ତି।

ସମ୍ବନ୍ଧିତ ଖବର