ଆରମ୍ଭ ହେଲା ଦି ପ୍ରାଇଡ୍‌ ଆଣ୍ତ ଗ୍ଲୋରି ଅଫ୍‌ ବାଲିଯାତ୍ରା

ଭୁବନେଶ୍ବର : ‘ଇଣ୍ତୋନେସିଆ ଦୂତାବାସ’ ଓ ‘ମେଫେୟାର ହୋଟେଲ ଆଣ୍ତ ରିସୋର୍ଟସ୍‌’ର ମିଳିତ ଆନୁକୂଲ୍ୟରେ ଆଜିଠାରୁ ହୋଟେଲ ପରିସରରେ ‘ଦି ପ୍ରାଇଡ୍‌ ଆଣ୍ତ ଗ୍ଲୋରି ଅଫ୍‌ ବାଲିଯାତ୍ରା’ ଓ ‘ବାଲିନିଜ୍‌ ଖାଦ୍ୟ ମେଳା’ ଆରମ୍ଭ ହୋଇଯାଇଛି। ଏହାଦ୍ବାରା ଜନସାଧାରଣ ଓଡ଼ିଶା ଓ ଇଣ୍ତୋନେସିଆର ନୌବାଣିଜ୍ୟ ଇତିହାସ ସମ୍ପର୍କରେ ଜାଣିବାର ସୁଯୋଗ ପାଇବା ସହ ବାଲି ଓ ଇଣ୍ଡୋନେସିଆ ସଂସ୍କୃତିରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରଭାବ ଜାଣିପାରିବେ। କାର୍ତ୍ତିକ ମାସରେ ଉଭୟ ଦେଶରେ କରାଯାଉଥିବା ବୋଇତ ବନ୍ଦାଣ ଉତ୍ସବକୁ ମଧ୍ୟ ଏଥିରେ ଦେଖିହେବ। ଦକ୍ଷିଣ ଏସିଆରେ ନୌବାଣିଜ୍ୟ ପ୍ରଥା ଓ ଭାରତୀୟ ସ˚ସ୍କୃତିର ପ୍ରଭାବ ବିଷୟରେ ଓଡ଼ିଶାବାସୀ ଜାଣିବାକୁ ପାଇବେ।

ଆସନ୍ତା ୩ ତାରିଖ ଯାଏ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଇଣ୍ତୋନେସିଆ ଏବ˚ ଇଣ୍ତୋନେସିଆର ବାଲି ଦ୍ବୀପରେ ଓଡ଼ିଆ ସ˚ସ୍କୃତି ଓ ପରମ୍ପରାର ପ୍ରଭାବ ଉପରେ ଆଲୋକପାତ କରାଯିବ। ବିଶେଷ କରି ଓଡ଼ିଶାରେ ଇଣ୍ତୋନେସିଆ ପର୍ଯ୍ୟଟନର ପ୍ରଚାର/ପ୍ରସାର ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଏହି ଅବସରରେ ଆଜି ଏକ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହାବ୍ୟତୀତ କଫି ଟେବୁଲ୍‌ ପୁସ୍ତକ ଉନ୍ମୋଚନ, ପ୍ରମାଣିକ ଚଳଚ୍ଚିତ୍ର ଆଦି ପ୍ରଦର୍ଶିତ କରି ଇଣ୍ତୋନେସିଆ ପର୍ଯ୍ୟଟନ ପ୍ରତି ଲୋକଙ୍କୁ ଆକର୍ଷଣ କରାଯିବାର ପ୍ରୟାସ କରାଯାଇଛି। ରିସୋର୍ସ ଇଣ୍ତିକାର ନିର୍ଦ୍ଦେଶକ ସୁଦୀପ୍‌ ସେନ୍‌ ଏସବୁ ପ୍ରସ୍ତୁତ କରିଛନ୍ତି। ଏହାସହ ପାରମ୍ପରିକ ବାଲିନିଜ୍‌ ନୃତ୍ୟ ପ୍ରଦର୍ଶନ ସାଙ୍ଗକୁ ଶେଷରେ ବାଲିନିଜ୍‌ ଖାଦ୍ୟ ମେଳା ଓଡ଼ିଆମାନଙ୍କୁ ଭିନ୍ନ ଏକ ସଂସ୍କୃତିର ସ୍ବାଦ ଦେଇଥିଲା।

କାର୍ଯ୍ୟକ୍ରମରେ ଇଣ୍ତୋନେସିଆର ପର୍ଯ୍ୟଟନ ମନ୍ତ୍ରଣାଳୟର ଉପନିର୍ଦ୍ଦେଶକ କୋମଙ୍ଗ ମହାବୀରା ଅତିଥି ଭାବେ ଉପସ୍ଥିତ ରହି କହିଲେ, ଇଣ୍ତୋନେସିଆର ନାଗରିକ ହିସାବରେ ମୋ ଦେଶକୁ ଓଡ଼ିଶାରେ ପ୍ରତିନିଧିତ୍ବ କରି ମୁଁ ଗର୍ବିତ। ଓଡ଼ିଶାରୁ ଅଧିକା˚ଶ ସ˚ସ୍କୃତି ଓ ପରମ୍ପରା ଆମ ଦେଶକୁ ଆସିଛି ବୋଲି ଆମର ବିଶ୍ବାସ ରହିଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ବାଲି ପର୍ଯ୍ୟଟନ ବୋର୍ଡର ନିର୍ଦ୍ଦେଶକ ଆୟୁ ଲକ୍ଷ୍ମୀଆଦି ଜନପ୍ରିଆତି ଓ ମେ’ ଫେୟାରର ସହକାରୀ ଉପାଧ୍ୟକ୍ଷ ପ୍ରଦୀପ୍ତ ମହାରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରିସୋର୍ସ ଇଣ୍ତିକାର ନିର୍ଦ୍ଦେଶକ ଶ୍ରୀ ସେନ କହିଲେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର