ସେମାନଙ୍କ ମୁହଁରୁ….

ବିକାଶମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବ

୨୦୦୯ରେ ନିର୍ବାଚନରେ ଜିତିବା ପରେ ଏହି ଅଞ୍ଚଳରେ ପିଇବା ପାଣି, ରାସ୍ତାଘାଟ, ବସ୍ତି, ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଧ୍ୟାନ ଦେଇ ଆସିଛି। ପର୍ଯ୍ୟାୟକ୍ରମେ ଏହିସବୁ କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହୋଇଛି। ପୁଣି ଧଉଳି, ଖଣ୍ଡଗିରି ପରି ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ କୀର୍ତ୍ତିରାଜିର ବିକାଶ ପାଇଁ ବହୁ ପଦକ୍ଷେପ ନିଆଯାଇଛି। ସେସବୁକୁ କିପରି ନିର୍ଦ୍ଦିଷ୍ଟ ସମୟସୀମ‌ା ମଧ୍ୟରେ ଶେଷ କରାଯିବ, ତାହା ଉପରେ ଗୁରୁତ୍ବ ଦେବି। ଗଙ୍ଗୁଆ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତି କରି ତାହାର କାର୍ଯ୍ୟକାରିତା ପାଇଁ ପ୍ରାଥମିକତା ଦିଆଯିବ। ସହରର ମୌଳିକ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଛି ଓ ଆଗକୁ ତାହା ଜାରି ରହିବ।
ଅଶୋକ ପଣ୍ଡା, ଏକାମ୍ର-ଭୁବନେଶ୍ବର

ସହରର ପୁନଃନିର୍ମାଣକୁ ପ୍ରାଥମିକତା

‘ଫନି’ ବାତ୍ୟା ପରେ ସହର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାର ପୁନଃନିର୍ମାଣ ସହ ଏହାକୁ ନମ୍ବର ୱାନ୍ ସ୍ମାର୍ଟ ସିଟିରେ ପରିଣତ କରିବାକୁ ଉଦ୍ୟମ କରିବି। ବସ୍ତିବାସିନ୍ଦାଙ୍କୁ କିପରି ଥଇଥାନ କରାଯିବ ଓ ସେମାନଙ୍କ ମୌଳିକ ସମସ୍ୟା ସମାଧାନ ହେବ, ସେ ଦିଗରେ ପଦକ୍ଷେପ ନିଆଯିବ। ସହରର ଡ୍ରେନେଜ୍ ଓ ସମନ୍ବିତ ସ୍ବେରେଜ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ଓ ବିଏମ୍‌ସି ମଧ୍ୟରେ ସମନ୍ବୟ ରଖି ଆବଶ୍ୟକ ପଦକ୍ଷେପ ନିଆଯିବ। ସହରବାସୀ ମୋ ଉପରେ ଯେଉଁ ଆସ୍ଥା ସ୍ଥାପନ କରିଛନ୍ତି, ତାହାକୁ ସମ୍ମାନ ଜଣାଇ ମୁଁ ସହରର ବିକାଶ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିବି।
ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର-ମଧ୍ୟ

ଦେଇଥିବା ପ୍ରତିଶ୍ରୁତି ପୂରଣ କରିବି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ଆସ୍ଥା, ବିଶ୍ବାସ ଓ ଆଶୀର୍ବାଦ ଏବଂ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ଭୋଟର ଭାଇଭଉଣୀଙ୍କ ସ୍ନେହ, ଭଲପାଇବା ଲାଗି ଆଜି ବିଜୟୀ ହୋଇପାରିଛି। ‌୫ ବର୍ଷ ସେମାନଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ ସହ ନିର୍ବାଚନମଣ୍ଡଳୀରେ ଥିବା ସମସ୍ୟାଗୁଡ଼ିକର ସମାଧାନ କରିବା‌ ଦିଗରେ ଆପ୍ରାଣ ଉଦ୍ୟମ କରିବି। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ୫ଟି ପଞ୍ଚାୟତ ରହିଛି। ସେଠାକାର ଲୋକଙ୍କ ପାନୀୟ ଜଳ ସମସ୍ୟା ସମାଧାନ କରିବାକୁ ପ୍ରାଥମିକତା ଦେବି। ଏଥିସହ ସହରାଞ୍ଚଳର ବସ୍ତିବାସିନ୍ଦାଙ୍କ ଥଇଥାନ, ଉଠାଦୋକାନୀଙ୍କ ସମସ୍ୟାର ସମା‌ଧାନ କରିବା ଦିଗରେ ବି କାର୍ଯ୍ୟ କରିବି। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଲାଗି ପଦକ୍ଷେପ ନେବି।
ସୁଶାନ୍ତ କୁମାର ରାଉତ, ଉତ୍ତର ଭୁବନେଶ୍ବର

କୃଷିର ବିକାଶକୁ ପ୍ରାଥମିକତା ଦେବି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଓ ଜୟଦେବ ନିର୍ବାଚନମଣ୍ଡଳୀ ଲୋକଙ୍କ ଭଲ ପାଇବା ଯୋଗୁଁ ଦ୍ବିତୀୟ ଥର ଲାଗି ଏଠାରୁ ସେବା କରିବାର ସୁଯୋଗ ପାଇଛି। ଯେଉଁ ସବୁ କାର୍ଯ୍ୟ ଅଧୁରା ରହିଯାଇଛି ତାହାକୁ ପୂରଣ କରିବା ଦିଗରେ ପ୍ରାଥମକିତା ଦେବି। ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ ଓ ବିକାଶଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବି। ନିର୍ବାଚନମଣ୍ଡଳୀରେ ପାନୀୟ ଜଳ, ରାସ୍ତାଘାଟ, ବ୍ରିଜ୍‌ ନିର୍ମାଣ ଉପରେ ଗୁରୁତ୍ବ ଦେବି। କୃଷିର ବିକାଶକୁ ପ୍ରାଥମିକତା ଦେବି। ‘ଫନି’ ପ୍ରଭାବରେ ନିର୍ବାଚନମଣ୍ଡଳୀରେ ବହୁ କ୍ଷତି ହୋଇଛି। ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ କାର୍ଯ୍ୟ କରିବି।
ଅରବିନ୍ଦ ଢାଲି, ଜୟଦେବ

ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତରକୁ ଗୁରୁତ୍ବ ଦେବି

ଜଟଣୀବାସୀଙ୍କ ସ୍ନେହ ଶ୍ରଦ୍ଧା ଯୋଗୁଁ ସେମାନଙ୍କ ସେବା କରିବାର ସୁଯୋଗ ମିଳିଛି। ଜଟଣୀର ସର୍ବାଙ୍ଗୀନ ଉନ୍ନତି ସହ ଫ୍ଲାଏ ଓଭର ନିର୍ମାଣ, ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ବୋର୍ଡକୁ ଚାଲିଯାଇଥିବା ଜଟଣୀର ସ୍ଥିତିବାନ ସମ୍ପତ୍ତିକୁ ପୁଣିଥରେ ‌ଫେରାଇ ଆଣିବା, ସ୍ବାସ୍ଥ୍ୟ ଓ ଗମନାଗମନର ବିକାଶ, ଦାରୁଠେଙ୍ଗ ଡମ୍ପିୟାର୍ଡକୁ ସ୍ଥାନାନ୍ତର ଆଦି କାର୍ଯ୍ୟକୁ ପ୍ରାଥମିକତା ଦେବି। ବେକାରିମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରୟାସ କରିବି। ଜଳସେଚନ ଓ କୃଷିର ବିକାଶକୁ ପ୍ରାଧାନ୍ୟ ଦେବି। ଜଟଣୀକୁ ସିଟି ବସ୍‌ ଚଳାଚଳ, ଚନ୍ଦକା ଅଭୟାରଣ୍ୟର ବିକାଶ ମୋର ଲକ୍ଷ୍ୟ। ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ମୋଦୀ ସରକାର ଥିବାରୁ ବିକାଶରେ ବାଧା ଉପୁଜିପାରେ। ତଥାପି ସମସ୍ୟାର ସମାଧାନ ଲାଗି ପ୍ରଥମେ ଅଫିସରମାନଙ୍କୁ ଅନୁରୋଧ କରି‌ବି। ନ ହେଲେ ପ୍ରତିବାଦ କରିବି। ଯେମିତି ହେଲେ ବି ଲୋକଙ୍କ ସମସ୍ୟାର ସମାଧାନ କରିବି।
ସୁରେଶ କୁମାର ରାଉତରାୟ, ଜଟଣୀ

ସମ୍ବନ୍ଧିତ ଖବର