ବ୍ୟାଙ୍କ ଅଧିକାରୀଙ୍କ ଘରୁ ଚୋରି

ଖଣ୍ଡଗିରି: ଗତ କିଛି ଦିନ ହେଲା ଖଣ୍ଡଗିରି ଅଞ୍ଚଳରେ ମାତିଥିବା ସିନ୍ଧିଚୋର ପୁଣି ଏକ କାଣ୍ଡ ଘଟାଇଛନ୍ତି। ମଙ୍ଗଳବାର ଅପରାହ୍ଣରେ ଜଣେ ବ୍ୟାଙ୍କ ଅଧିକାରୀଙ୍କ ଘରେ କଳାକନା ବୁଲାଇଛନ୍ତି। ଘଟଣାଟି ଘଟିଛି ପାତ୍ରପଡ଼ାସ୍ଥିତ ଉଦୟଗିରି ବିହାରରେ। ଚୋରି ଶିକାର ହୋଇଛନ୍ତି ଖୋର୍ଧା ସୁନାଖଳା ଷ୍ଟେଟ୍‌ ବ୍ୟାଙ୍କର ଅଧିକାରୀ ମଙ୍ଗୁଳି ଚରଣ ବେହେରା। ଚୋରମାନେ ତାଙ୍କ ଘରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଏ ନେଇ ଖଣ୍ଡଗିରି ଥାନାରେ ବିଧିବଦ୍ଧଭାବେ ଅଭିଯୋଗ ହୋଇ ନଥିବାରୁ ପ୍ରକୃତରେ କେତେ ସୁନା ଅଳଙ୍କାର ଓ ଟଙ୍କା ଚୋରି ହେଇଛି ଜଣାପଡ଼ିନାହିଁ। କିନ୍ତୁ ପ୍ରାୟ ୨୦ଭରି ଓଜନରୁ ଅଧିକ ସୁନାଗହଣା ଚୋରି ଯାଇଥିବା ସୂଚନା ମିଳିଛି।

ସୂଚନାନୁସାରେ ଶ୍ରୀ ବେହେରା ଏମ୍‌ଆଇଜି-୬୩ରେ ରହୁଛନ୍ତି। ଗତ ଦୁଇ ଦିନ ହେଲା ତାଙ୍କ ପରିବାର ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ। ଘରେ ଏକାକୀ ରହୁଥିଲେ ଶ୍ରୀ ବେହେରା। ଆଜି ସକାଳୁ ସେ ଘରେ ତାଲା ପକାଇ ବ୍ୟାଙ୍କ ଚାଲି ଯାଇଥିଲେ। ଅପରାହ୍‌ଣରେ ତାଙ୍କ ଘରର କବାଟ ଖୋଲା ରହିଛି ଓ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଘରେ ପଶିଛି ବୋଲି ଖବର ପାଇ ସେ ତୁରନ୍ତ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌କୁ ଖବର ଦେଇଥିଲେ। ପରେ ପରେ ସେ ସୁନାଖଳାରୁ ଆସି ଘରେ ପହଞ୍ଚିଥିଲେ। ଘରର ମୁଖ୍ୟଗ୍ରିଲ୍‌ କଟା ଯାଇଥିଲା ଓ କବାଟର ତାଲା ବି ଭଙ୍ଗା ଯାଇଥିଲା। ଭିତରେ ଆଲ୍‌ମିରା ତଡ଼ି ଲକର ଭିତରୁ ଚାରିଟି ଗହଣା ବକ୍‌ସରୁ ପ୍ରାୟ ୨/୩ଟି ହାର, ଚୁଡ଼ି, ମୁଦି, ମଙ୍ଗଳସୂତ୍ର ଆଦି ଚୋରି ହୋଇଛି। ସେହିଭଳି ଗୋଟିଏ ଲାପଟପ୍‌ ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି। ତେବେ ଶ୍ରୀ ବେହେରାଙ୍କ ସ୍ତ୍ରୀ ଘରେ ପହଞ୍ଚି ନଥିବାରୁ ପ୍ରକୃତରେ କେତେ ଗହଣା ଚୋରି ହୋଇଛି, ତାହା ଶ୍ରୀ ବେହେରା କହି ପାର ନଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତ ମାସ ୭ ତାରିଖରେ ଆଇଗିଣିଆ ମଧୁସୂଦନନଗରରୁ ଅନୁରୂପଭାବେ ସିନ୍ଧିଚୋରମାନେ ଶେଷଦେବ ସାହୁ ନାମକ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଘରୁ ସୁନାଗହଣା ସମେତ ଲାପଟପ୍‌ ଓ ଟିଭି ଆଦି ଲୁଟି ନେଇଥିଲେ। ସେହିଭଳି ସେହି ମାସ ୫ ତାରିଖରେ କଳିଙ୍ଗଷ୍ଟୁଡିଓ ଛକ ନିକଟରୁ ବିକେ ଆର୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ବଳଦେବ ମହାରଥାଙ୍କ ଘରୁ ବି ଚୋରି ହୋଇଥିଲା। ଏହା ଗୋଟିଏ ଗ୍ୟାଙ୍ଗ୍‌ର କାମ ବୋଲି ଜଣାପଡ଼ୁଥିଲେ ବି ପୁଲିସ ସେମାନଙ୍କ ପତ୍ତା ପାଇନାହିଁ।

ସମ୍ବନ୍ଧିତ ଖବର