ଇଏ ଉପାନ୍ତ ନୁହେଁ, ରାଜଧାନୀ ରାସ୍ତା! ରସୁଲଗଡ଼ରୁ ପଳାସୁଣି ରାସ୍ତା ବିପର୍ଯ୍ୟସ୍ତ

ପୂର୍ତ ବିଭାଗର ନଜର ପଡ଼ୁନି

ଭୁବନେଶ୍ୱର: ରସୁଲଗଡ଼ରୁ ପଳାସୁଣି, ପଳାସୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ପ୍ରାୟ ଅଧ କିମିର ରାସ୍ତା ଏବେ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ରାସ୍ତା ସାରା ଆଣ୍ଠୁଏ ଉଚ୍ଚର ଖାଲ, ନର୍ଦ୍ଦମା ପାଣି ଭାସୁଛି। ଏତିକି ରାସ୍ତା ଅତିକ୍ରମ କରିବାକୁ ଜଣଙ୍କୁ ଅତି ବେଶିରେ ସର୍ବାଧିକ ୫ମିନିଟ୍‌ ଲାଗିପାରେ। କିନ୍ତୁ ରସୁଲଗଡ଼ରୁ ପଳାସୁଣି ପହଞ୍ଚିବାକୁ ହେଲେ ଅଧଘଣ୍ଟାରୁ ଅଧିକ ସମୟ ଲାଗିଯାଉଛି। ତାହା ପୁଣି ବିନା ଖଣ୍ଡିଆ ଖାବରାରେ ପହଞ୍ଚିବ ବୋଲି ଦୃଢତାର ସହ କେହି କହିପାରିବେନି। ଏହିଭଳି ଏକ ରାସ୍ତା କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ରାଜଧାନୀର ଛାତି ଉପରେ ଅଛି ବୋଲି ନ ଦେଖିଥିବା ଲୋକ ବିଶ୍ୱାସ କରିପାରିବେନି। ସଚିବାଳୟରେ ବସି ପୂର୍ତ ମନ୍ତ୍ରୀ, ସଚିବ ସାରା ରାଜ୍ୟର ସଡ଼କପଥ ବିକାଶର ନକ୍ସା ପ୍ରସ୍ତୁତ କରୁଛନ୍ତି। କିନ୍ତୁ ସଚିବାଳୟରୁ ମାତ୍ର ୫କିମି ଦୂରରେ ଥିବା ଏହି ରାସ୍ତା ଉପରେ ତାଙ୍କ ନଜର ପଡ଼ୁନି। ଯିଏ ରାଜଧାନୀର ଏକ ପ୍ରମୁଖ ରାସ୍ତାକୁ ସଜାଡ଼ିବାକୁ ତାଗିଦ୍‌ କରିପାରୁନାହାନ୍ତି ତାଙ୍କ ତତ୍ତ୍ୱାବଧାନରେ ରାଜ୍ୟର ଅନ୍ୟ ଅଞ୍ଚଳର ରାସ୍ତାର ଉନ୍ନତିକରଣ କିପରି ହେଉଥିବ ଏଥିରୁ ସ୍ପଷ୍ଟ ଅନୁମେୟ। ରାଜଧାନୀରେ ପୂର୍ତ୍ତ ବିଭାଗ ପ୍ରତିବର୍ଷ ପ୍ରାୟ ହଜାରେ କୋଟି ଖର୍ଚ୍ଚ କରୁଛି। କିନ୍ତୁ ଏହି ରାସ୍ତାଟିକୁ ସଜାଡ଼ିବାକୁ ଏବଂ ଯାତାୟାତ ଉପଯୋଗୀ କରିବାକୁ କର୍ତୃପକ୍ଷଙ୍କ ମନ ବଳୁନି। ଏହି ଅଞ୍ଚଳଟି ପୂର୍ତ ବିଭାଗର ଭୁବନେଶ୍ୱର ଡିଭିଜନ-୪ ଅଧୀନରେ ଯାଉଥିବାବେଳେ ଏହି ଡିଭିଜନର ଯନ୍ତ୍ରୀମାନଙ୍କ ଅପାରଗତା ଯୋଗୁଁ ଏବେ ଦୈନିକ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସହ ଖେଳାଯାଉଛି। ପ୍ରାୟ ଦୁଇ ବର୍ଷ ହେଲା ଏହି ରାସ୍ତାଟି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିଛି। ଏନେଇ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ଯାତାୟାତ କରୁଥିବା ଲୋକମାନେ ବାରମ୍ବାର ବିକ୍ଷୋଭ ପ୍ରଦର୍ଶନ କଲେଣି, କିନ୍ତୁ କିଛି ଲାଭ ହେଉନି। ନିର୍ବାହୀ ଯନ୍ତ୍ରୀ ପି.କେ ନାୟକଙ୍କୁ ଭେଟିବାକୁ ଗଲେ ସେ ଅଫିସରେ ଥାଇ ବି ଦେଖାଦେଉନାହାନ୍ତି। ଏପରିକି ଅଭିଯୋଗ ରଖୁନାହାନ୍ତି କି ଏହାର ସମାଧାନ କରୁନାହାନ୍ତି ବୋଲି ଲୋକ ଅଭିଯୋଗ କଲେଣି।

ଏବେ ରସୁଲଗଡ଼ରୁ ପଳାସୁଣିକୁ ପଡ଼ିଥିବା ରାସ୍ତାର ମଞ୍ଚଶ୍ୱରକୁ ସଂଯୋଗ କରୁଥିବା ଛକ ନିକଟରେ ଆଣ୍ଠୁଏ ଉଚ୍ଚର ଖାଲ ହୋଇଯାଇଥିବାରୁ କମିସନରେଟ୍‌ ପୁଲିସ ପକ୍ଷରୁ ରାସ୍ତା ମଝିରେ ଏକ ଲୁହା ବ୍ୟାରିକେଡ୍‌ ରଖି ଦିଆଯାଇଛି। ଏହାଦ୍ୱାରା ଏହି ରାସ୍ତାରେ ଯାତାୟାତ ଏକରକମ୍‌ ଠପ୍‌ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ଅଞ୍ଚଳରେ ରାସ୍ତା କାମ ବେଳେ ଉଭୟ ପାର୍ଶ୍ୱରେ ଥିବା ଡ୍ରେନ୍‌ ବନ୍ଦ ହୋଇଯାଇଥିଲା। ଫଳରେ ସବୁ ଡ୍ରେନ ପାଣି ରାସ୍ତାରେ ଜମା ହୋଇ ଖାଲରେ ପଶୁଛି। ପ୍ରାୟ ବର୍ଷେ ତଳେ ଏହି ରାସ୍ତା ମରାମତି ହୋଇଥଇଲେ ହେଁ ଅତ୍ୟନ୍ତ ନିମ୍ନ ମାନର ହୋଇଥିବାରୁ ସପ୍ତାହକ ପରେ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଗଲା। ଏହି ରାସ୍ତାରେ ପ୍ରତିଦିନ ପ୍ରତି ମୁହୂର୍ତରେ ଦୁର୍ଘଟଣା ହେଉଥିଲେ ହେଁ ଏଥିପ୍ରତି କାହାର ନଜର ନାହିଁ।

ସମ୍ବନ୍ଧିତ ଖବର