ରାଜଧାନୀ ରାସ୍ତା କହିବାକୁ ଲାଜ ଲାଗୁଛି

ସବୁ ରାସ୍ତା ଅବସ୍ଥା ଶୋଚନୀୟ, ପୂର୍ତ୍ତ ଓ ବିଏମ୍‌ସି ଅଧିକାରୀ କୁମ୍ଭକର୍ଣ୍ଣ ନିଦରେ

ଭୁବନେଶ୍ୱର: ଯୁଆଡ଼େ ଚାହିଁବ, ସେଠି ଖାଲ। କେଉଁଠି ଫୁଟିକିଆ ତ କେଉଁଠି ତିନି ଫୁଟିଆ। କେତେକ ସ୍ଥାନରେ ତ ପିଚୁ ରାସ୍ତା କି ମାଟି ରାସ୍ତା ଜଣାପଡ଼ୁନି। ଏଭଳି ସ୍ଥିତିରେ ଏବେ ରାଜଧାନୀର ରାସ୍ତା ଅଛି। କୌଣସି ଉପାନ୍ତ ଅଞ୍ଚଳ ହୋଇଥିଲେ ସରକାରୀ ଅଧିକାରୀମାନଙ୍କ ନଜର ପଡ଼ୁନି କି ଅର୍ଥ ଅଭାବରୁ ରାସ୍ତା ହୋଇପାରୁନି ବୋଲି କହି ହୁଅନ୍ତା। କିନ୍ତୁ ଯେଉଁଠି ପୂର୍ତ୍ତ ବିଭାଗ ଓ ବିଏମ୍‌ସି ବର୍ଷକୁ ପ୍ରାୟ ୧୦୦ କୋଟିରୁ ଅଧିକ ଟଙ୍କା କେବଳ ରାସ୍ତା ନିର୍ମାଣ ଓ ମରାମତିରେ ଖର୍ଚ୍ଚ କରୁଛନ୍ତି, ସେଠାରେ ଏହିଭଳି ଦୟନୀୟ ରାସ୍ତା ଆଦୌ ଗ୍ରହଣୀୟ ନୁହେଁ। ଏପରି ଭଙ୍ଗା ଦଦରା ରାସ୍ତା ରାଜଧାନୀରେ ଅଛି ବୋଲି କହିବାକୁ ଏବେ ରାଜଧାନୀବାସୀଙ୍କୁ ଲାଜ ମାଡ଼ିଲାଣି। ରାଜଧାନୀବାସୀ ରାସ୍ତାକୁ ନେଇ ଲଜ୍ଜା ଅନୁଭବ କଲେଣି। କିନ୍ତୁ ପୂର୍ତ୍ତ ବିଭାଗ ଏବଂ ବିଏମ୍‌ସି ଅଧିକାରୀଙ୍କୁ ଏନେଇ ଟିକେ ବି ଲାଜ ଲାଗୁନି। ହକି ବିଶ୍ୱକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ ନୂଆ ରୂପ ପାଇଲାଣି। ପୂରା ସହରର ସୌନ୍ଦର୍ଯ୍ୟକରଣ କରିବାକୁ ଯୋଜନା ଅଛି। ହେଲେ ଏହି ରାସ୍ତା ଅବସ୍ଥା କେବେ ସୁଧୁରିବ ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ରାସ୍ତା ମରାମତି କେବେ ହେବ ତାହା ତ ଜଣାପଡ଼ୁନି ବରଂ ଯେଉଁ ରାସ୍ତା ମରାମତି ହୋଇଥିଲା, ତାହା ପୁଣି ଖୋଳା ହେଲାଣି। ସେପ୍ଟେମ୍ବର ୧୫ସୁଦ୍ଧା ସମସ୍ତ ଖୋଳାଖୋଳି ବନ୍ଦ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ହେଁ ଏହାକୁ ବିଭିନ୍ନ ବିଭାଗ ଫୁ’ କରି ଦେଇଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ତ ପୂରା ବେଫିକର। ଲୋକ ରାସ୍ତାରେ ପଡ଼ି ମରନ୍ତୁ କି ଖଣ୍ଡିଆ ଖାବରା ହୁଅନ୍ତୁ, ସେମାନଙ୍କର କିଛି ଯା’ଆସ ନାହିଁ। ରସୁଲଗଡ଼ରୁ ପଳାସୁଣି ଓ ପଳାସୁଣିରୁ ରସୁଲଗଡ଼କୁ ପଡ଼ିଥିବା ସର୍ଭିସ୍‌ ରୋଡ୍‌ ଦୀର୍ଘ ବର୍ଷ ହେଲା ମରଣଯନ୍ତା ପାଲଟିଥିଲେ ହେଁ କର୍ତ୍ତୃପକ୍ଷ ଏହାର ସମାଧାନ କରିବାରେ ଫେଲ୍‌ ମାରିଛନ୍ତି। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅକ୍ଟୋବର ୧୫ସୁଦ୍ଧା ସମସ୍ତ ରାସ୍ତା ମରାମତି ହେବ। ସେପ୍ଟେମ୍ବର ୩୦ ପରେ ରାଜଧାନୀର ସମସ୍ତ ପ୍ରମୁଖ ରାସ୍ତା ମରାମତି ଆରମ୍ଭ ହେବ। କିନ୍ତୁ ଗଳିକନ୍ଦିରେ କଙ୍କ୍ରିଟ ରାସ୍ତା ଫାଟି ଆଁ କରିଥିବା ବେଳେ ପିଚୁ ରାସ୍ତାରେ ଚାଲିକି ଯିବା ବି ସମ୍ଭବ ହେଉନି।

ସମ୍ବନ୍ଧିତ ଖବର