ଏମିତି ଚାଲିଛି ସରକାରୀ ବିଦ୍ୟାଳୟ: ଭିତ୍ତିଭୂମି ଅଛି ପିଲା ଆସୁନାହାନ୍ତି

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ହେଉଛି। ପିଲାଙ୍କୁ ବିଦ୍ୟାଳୟକୁ ଆଣିବା ପାଇଁ ମାଗଣା ବହିଠାରୁ ଆରମ୍ଭ କରି ମାଗଣା ପୋଷାକ, ମଧ୍ୟାହ୍ନଭୋଜନ ଦିଆଯାଉଛି। ଏତେ ସବୁ ଯୋଜନା ପରେ ବି ସରକାରୀ ବିଦ୍ୟାଳୟକୁ ପିଲା ଆସୁନାହାନ୍ତି। ଉପସ୍ଥାନ ଖାତାରେ ପିଲାଙ୍କ ନାମ ରହିଥିଲେ ମଧ୍ୟ ବିଦ୍ୟାଳୟରେ ଦେଖା ମିଳୁନି। ଏଭଳି ସ୍ଥିତି ଆଉ କେଉଁଠି ନୁହେଁ; ଖୋଦ୍‌ ରାଜ୍ୟ ସଚିବାଳୟଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ୟୁନିଟ୍‌-୪ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳୁଛି ଏଭଳି ବିଚିତ୍ର ସ୍ଥିତି। ୭ଟି ଶ୍ରେଣୀ ପାଇଁ ଆବଶ୍ୟକୀୟ ଶ୍ରେଣୀଗୃହ ରହିଛି। ୪ ଜଣ ଶିକ୍ଷକ ବି ରହିଛନ୍ତି। କିନ୍ତୁ ପିଲା ଆସୁନାହାନ୍ତି। ଏହାକୁ ନେଇ ଶିକ୍ଷକମାନେ ମଧ୍ୟ ହାତ ଟେକିଦେଲେଣି। ବାରମ୍ବାର ପିଲାଙ୍କ ଘରକୁ ଯାଇ ଅଭିଭାବକଙ୍କୁ ଭେଟୁଥିଲେ ମଧ୍ୟ ତାହାର କୌଣସି ବି ପ୍ରଭାବ ପଡ଼ିପାରୁନି। ବିଦ୍ୟାଳୟର ୭ଟି ଶ୍ରେଣୀ ପାଇଁ ୪ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ରହିଛନ୍ତି। ଏହି ବିଦ୍ୟାଳୟରେ ୬୦ରୁ କମ୍‌ ଛାତ୍ରଛାତ୍ରୀ ରହିଛନ୍ତି, ତାହା କେବଳ କାଗଜ କଲମରେ ସୀମିତ। ଯେତିକି ଶ୍ରେଣୀ ରହିଛି ସେହି ଅନୁଯାୟୀ ଶିକ୍ଷକ ନ ଥିବାରୁ ପିଲାଙ୍କ ପାଠପଢ଼ା ବି ବ୍ୟାହତ ହେଉଛି। ଆଉ କିଛି ଦିନ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅବସର ଗ୍ରହଣ କରିବେ। ତାଙ୍କ ପରେ ଏହି ବିଦ୍ୟାଳୟ ୩ ଜଣ ଶିକ୍ଷକଙ୍କୁ ନେଇ ଚାଲିବ। ଏବେ ପ୍ରଧାନ ଶିକ୍ଷକଙ୍କ ସମେତ ୪ ଜଣ ଶିକ୍ଷକ ୪ଟି କ୍ଲାସ ନେବା ବେଳେ ବାକି ୩ଟି ଶ୍ରେଣୀର ପିଲାଙ୍କ ପାଠପଢ଼ା ବନ୍ଦ ହୋଇଯାଉଛି। ପ୍ରଧାନ ଶିକ୍ଷକଙ୍କ ଅବସର ପରେ କ’ଣ ହେବ ସ୍ଥିତି ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ସପ୍ତାହର ୬ ଦିନରୁ ୪ ଦିନ ୭ଟି ଶ୍ରେଣୀର ମୋଟ ଉପସ୍ଥାନ ୨୦ରୁ ୩୨ ଭିତରେ ରହୁଛି। ବୁଧବାର, ଶୁକ୍ରବାର ଏହି ସଂଖ୍ୟା ବହୁତ କମି ଯାଉଛି। ଗୋଟିଏ ଗୋଟିଏ ଦିନ କେହି ପିଲା ଆସୁ ନ ଥିବା ଦେଖିବାକୁ ମିଳୁଛି। ବିଦ୍ୟାଳୟର ଜଣେ ଶିକ୍ଷକଙ୍କ କହିବାନୁଯାୟୀ ଏହି ବିଦ୍ୟାଳୟରେ ବସ୍ତିବାସିନ୍ଦାଙ୍କ ପିଲାମାନେ ପାଠ ପଢ଼ୁଛନ୍ତି। ବିଦ୍ୟାଳୟ ପାଖରେ ମାଛ ମାର୍କେଟ ରହିଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ମାଛ ଓ ମାଂସ ବିକ୍ରି କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ପିଲାମାନେ ପଢ଼ିବା ବୟସରେ ବଜାରରେ ବସି ବେପାର କରୁଛନ୍ତି। ତେଣୁ ସେମାନେ ବିଦ୍ୟାଳୟ ଆସିବାକୁ ଅମଙ୍ଗ ହେଉଛନ୍ତି। ଗୋଟିଏ ଲେଖାଏଁ ଣ୍ରେଣୀରେ ଏବେ ପ୍ରାୟ ୭ରୁ ୧୦ ଜଣ ପିଲା ପାଠ ପଢ଼ୁଛନ୍ତି। ପିଲାଙ୍କ ଉପସ୍ଥାନ ଯେତେବେଳେ କମିଯାଉଛି, ପାଠପଢ଼ାରେ ବାଧା ଉପୁଜୁଛି।

ଅନ୍ୟପକ୍ଷରେ ବିଦ୍ୟାଳୟକୁ ଲାଗି ମାଛ ମାର୍କେଟ ଓ ଅନ୍ୟାନ୍ୟ ଦୋକାନ ରହୁଥିବାରୁ ଉତ୍କଟ ଦୁର୍ଗନ୍ଧ ହେଉଛି। ସ୍କୁଲକୁ ଆସିବା ରାସ୍ତାରେ ପିଲାମାନେ ପ୍ରତିଦିନ ମାଛ, କୁକୁଡ଼ା, ଛେଳି କଟାଯିବାର ଦୃଶ୍ୟ ଦେଖୁଛନ୍ତି। ପୂର୍ବରୁ ଏଠାରେ ପାଚେରି ଭାଙ୍ଗିଯାଇଥିଲା ବେଳେ ଏବେ ମରାମତି ହୋଇଛି। ତଥାପି ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇପାରିନି ଏହି କ୍ୟାମ୍ପସ। ଏନେଇ ପ୍ରଧାନ ଶିକ୍ଷକ କହିଛନ୍ତି ଯେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଥିବା ବେଳେ ସେମାନଙ୍କ ଖେଳିବା ପାଇଁ କୌଣସି ସୁବିଧା ନାହିଁ। କ୍ୟାମ୍ପସରେ ଦୋଳି ଓ ଖେଳ ସାମଗ୍ରୀର ସୁବିଧା ହୋଇପାରିଲେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇପାରିବ। ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ସସ୍ମିତା ମାଳୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପରୀକ୍ଷା ସମୟରେ ଏକ ଟିମ୍‌ ଏହି ବିଦ୍ୟାଳୟକୁ ଗସ୍ତ କରି ଯାଞ୍ଚ କରିଥିଲା। ୩ରୁ ୪ଜଣ ପିଲାଙ୍କୁ ଛାଡ଼ି ସମସ୍ତେ ପରୀକ୍ଷା ଦେଉଥିଲେ। ଅନ୍ୟ ସମୟରେ ପିଲା ଆସୁ ନ ଥିବା ନଜରକୁ ଆସିଛି। ପିଲାଙ୍କୁ ବିଦ୍ୟାଳୟକୁ ଆଣିବା ଲାଗି ଶନିବାର ‘ସ୍ମାଇଲ୍‌’ କାର୍ଯ୍ୟକ୍ରମ ହେଉଛି। ଆସନ୍ତା ଶିକ୍ଷାବର୍ଷରୁ ଏଥିପ୍ରତି ଆହୁରି କଡ଼ା ଦୃଷ୍ଟି ଦିଆଯିବ।

ସମ୍ବନ୍ଧିତ ଖବର