ଏବେ ବି ଦଳରେ ଭର୍ତି ବିନ୍ଦୁସାଗର

ଆଗକୁ ଚନ୍ଦନ ଯାତ୍ରା

ପୁରୁଣା ଭୁବନେଶ୍ୱର: ଆଗକୁ ଆସୁଛି ପବିତ୍ର ଚନ୍ଦନ ଯାତ୍ରା। ହେଲେ ବିନ୍ଦୁସାଗରରର ଅବସ୍ଥା ବେହାଲ୍‌। ଚାରିପଟୁ କିଛି ଦଳ ସଫା ହୋଇଥିଲେ ବି ବିଦୁସାଗର ଏବେବି ଦଳ ଭର୍ତି ହୋଇ ରହିଛି। ମହାପ୍ରଭୁ ଚାପ ଖେଳିବାକୁ ବିନ୍ଦୁସାଗରକୁ ଆସିବେ ହେଲେ ଏହାର ପରିବେଶ ଯେପରି ହୋଇଛି ତାହା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କଲାଣି। ଐତିହ୍ୟ ପୁଷ୍କରିଣୀ ବିନ୍ଦୁସାଗର ଏବେ ସରକାରଙ୍କ ଅବହେଳାରୁ ପଚା ପାଣିର ପୁଷ୍କରିଣୀ ପାଲଟିଲାଣି। ପୁନରୁଦ୍ଧାର, ନିୟମିତ ସଫେଇ ଓ ସଂରକ୍ଷଣ ଅଭାବରୁ ଏହାର ଜଳ ପ୍ରଦୂଷିତ ହୋଇ ପଡ଼ିଛି। ୪ବର୍ଷ ହେଲା ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ବି ବିନ୍ଦୁସାଗର ଅବହେଳିତ। ଗୋଟିଏ ପରେ ଗୋଟିଏ ଯୋଜନା କରାଯାଇ ଏହାର ସଫେଇ ହେଉଛି। ହେଲେ ସବୁ ଟଙ୍କା ପାଣିରେ ପଡ଼ୁଛି। ଏହାର ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ, ଓସିସି, ବିଏମ୍‌ସି, ଏଏସ୍‌ଆଇ ବିଭିନ୍ନ ସମୟରେ ପଦକ୍ଷେପ ନେଇଥିଲେ ବି ସ୍ଥିତିରେ ସୁଧାର ଆସୁନି। ପ୍ରଶାସନ ବିନ୍ଦୁସାଗରକୁ ଏକ ଅଭିଶପ୍ତ ପୁଷ୍କରିଣୀ କରିଦେଲାଣି।

୧କୋଟି ୭୬ଲକ୍ଷ ଟଙ୍କା ଖର୍ଚ୍ଚ ହେଲା, ଫଳ ଶୂନ
୨୦୧୩ ମସିହାରେ ବିନ୍ଦୁସାଗର ଜଳର ସ୍ୱଚ୍ଛତା ନେଇ ନଗର ଉନ୍ନୟନ ବିଭାଗର ଚେତା ପଶିଥିଲା। ଏହାର ପାଣିକୁ ପରିଷ୍କାର କରିବା ଉଦ୍ଦେଶ୍ୟରେ ୧କୋଟି ୭୬ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ପ୍ରଥମେ ଡ୍ରେନେଜ ଡିଭିଜନ ଏହାର ଦାୟିତ୍ଵ ନେଇଥିଲା। ପରେ ଡ୍ରେନେଜ ଡିଭିଜନଠାରୁ ଓଡ଼ିଶା ନିର୍ମାଣ ନିଗମ ଏହି କାର୍ଯ୍ୟଭାର ଗ୍ରହଣ କରି ୨୦୧୪ ସୁଦ୍ଧା କାମ ସାରିଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ବିନ୍ଦୁସାଗରରେ ପୁଣି ପୂର୍ବପରି ଦଳ ଭର୍ତ୍ତି ହେବାରେ ଲାଗିଛି। ତେବେ ଆଗକୁ ଚନ୍ଦନ ଯାତ୍ରା ଥିବାରୁ ଠାକୁରଙ୍କ ଚାପ ଖେଳ ଓ ଅନ୍ୟାନ୍ୟ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ଅକ୍ଷୟ ତୃତୀୟା ତିଥିଠାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମା’ ପାର୍ବତୀଙ୍କ ସହ ଚନ୍ଦନ ଯାତ୍ରା କରିବେ। ୨୨ଦିନ ଧରି ହେବାକୁ ଥିବା ଏହି ଯାତ୍ରାରେ ଜଗତି ଚାରିପଟେ ଚାପ ଡଙ୍ଗା ବୁଲିବ। ବିଭିନ୍ନ ଘାଟ କୂଳରେ ଠାକୁର ଭୋଗ ଖାଇବେ। ହେଲେ ଘାଟ କୂଳ ସମେତ ବିନ୍ଦୁସାଗର ଭିତରେ ଦଳ ରହିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି।
ଅପରପକ୍ଷେ ବିଏମ୍‌ସି ବିନ୍ଦୁସାଗରର ପୁନରୁଦ୍ଧାର ସହ ନିୟମିତ ଏହାର ପାଣି ପରିବର୍ତନ କରିବା, ଯେପରି ଦଳ ନହେବ ସେନେଇ ପଦକ୍ଷେପ ନେବା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ଦୀର୍ଘ ତିନି ବର୍ଷ ହେଲା ଯୋଜନା କରୁଛି। ଏପରିକି ଓ୍ଵାପକୋସ୍‌ ନାମ ଏକ ସଂସ୍ଥା ଦ୍ୱାରା ଏହାର ଡିପିଆର୍‌ ପ୍ରସ୍ତୁତ ହେଉଛି ବୋଲି କହୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇପାରୁନି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ପୁରୁଣା ଭୁବନେଶ୍ୱରକୁ ଐତିହ୍ୟ ଜୋନ୍‌ ଘୋଷଣା କରାଯାଇଥିଲେ ହେଁ ଏହି ଐତିହ୍ୟ ପୋଖରୀର ପୁନରୁଦ୍ଧାର ବିଷୟରେ ଗୋଟିଏ ବି ଯୋଜନା ନାହିଁ। ବିଡିଏ, ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତି ସପ୍ତାହରେ ଐତିହ୍ୟ ପଦଯାତ୍ରା ହେଉଛି। ଦେଶ ବିଦେଶର ପର୍ଯ୍ୟଟକଙ୍କୁ ବିନ୍ଦୁସାଗର କୂଳରେ ବୁଲାଯାଉଛି। କିନ୍ତୁ ଦଳ ଭର୍ତି ବିନ୍ଦୁସାଗରର ରକ୍ଷଣାବେକ୍ଷଣ କଥା କାହା ମୁଣ୍ଡକୁ ଜୁଟୁନି। ଅବହେଳିତ ହୋଇପଡ଼ିଥିବା ବିନ୍ଦୁସାଗରର ସୌନ୍ଦର୍ଯ୍ୟକରଣ ନହେଲେ ଏବଂ ଦଳ ନିଷ୍କାସନ ନହେଲେ ଜନଆନ୍ଦୋଳନ ହେବ ବୋଲି ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ମ୍ୟୁଜିକାଲ ଫାଉଣ୍ଟେନ୍‌ କାମ ଅଧାରୁ ଠପ୍‌
ଗତ ୨୦୧୬ ମସିହା ଅକ୍ଟୋବର ୨୯ରୁ ବିନ୍ଦୁସାଗରରେ ମ୍ୟୁଜିକାଲ ଫାଉଣ୍ଟେନ୍‌ କାମ ଆରମ୍ଭ ହୋଇଥିଲା। ମାତ୍ର କାମ ଆରମ୍ଭ ହେବାର ସପ୍ତାହ ପରେ ବନ୍ଦ ହୋଇଯାଇଥିଲା। ପୋଖରୀରୁ ଦଳ ସମ୍ପୂର୍ଣ୍ଣ ଭାବେ କଢ଼ାଯାଇ ନଥିବାରୁ ମ୍ୟୁଜିକାଲ ଫାଉଣ୍ଟେନ୍‌ କାମ ଆଗେଇପାରୁନି ବୋଲି କୁହାଯାଇଛିି। ବିଏମ୍‌ସି ପକ୍ଷରୁ ୨୫ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଲକାତାର ଏକ ଠିକା ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯାଇଥିଲା। ସଂସ୍ଥାର ଇଂଜିନିୟର ମୋହିତ ରାୟଙ୍କ ତତ୍ତ୍ଵାବଧାନରେ ୧୯ଟି ବିଭାଗରେ ଫୋର୍ଟ ଲଗାଯିବା କାମ ୨ବର୍ଷ ହେଲା ଚାଲିଛି। ହେଲେ କେବେ ସରିବ ନା ବିଏମ୍‌ସି ପକ୍ଷରୁ କୁହାଯାଉଛି ନା ଘରୋଇ ସଂସ୍ଥା କର୍ତୃପକ୍ଷ କହୁଛନ୍ତି।

ପାଣିରୁ ବାହାରିଲା ଚାପ ଡଙ୍ଗା
ଏପ୍ରିଲ ୧୮ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ପଡ଼ୁଥିବାରୁ ସେହିଦିନଠାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥି ପାଇଁ ବିନ୍ଦୁସାଗର ପାଣିରୁ ଚାପ ଡଙ୍ଗା ବାହାର କରାଯାଇଛି। ଡଙ୍ଗାକୁ ରଙ୍ଗ କରାଯାଇ ଚାପ ପାଇଁ ପ୍ରସ୍ତୁତ କରାଯିବ ବୋଲି ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେବେ ପ୍ରଶାସନ ସହଯୋଗ କଲେ ଚାପ ଡଙ୍ଗା ଖୁବ୍‌ ଶୀଘ୍ର ପ୍ରସ୍ତୁତ ହୋଇପାରିବ ବୋଲି ମହାରଣା ସେବାୟତମାନେ କହିଛନ୍ତି।

ସମ୍ବନ୍ଧିତ ଖବର