ଆଗକୁ ବିଏମ୍‌ସି ନିର୍ବାଚନ : ଏଥର ମହିଳା ହେବେ ମେୟର!

ଭୁବନେଶ୍ୱର: ବିଏମ୍‌ସି ନିର୍ବାଚନ ନେଇ ଏବେ ଓ୍ଵାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ କେଉଁ ଆସନ ସଂରକ୍ଷଣ ଏବଂ ଅଣସଂରକ୍ଷିତ ରହିବ ସେନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ ହେଉଛି। ହେଲେ ଗତ ତିନି ପାଳି ହେଲା ମେୟର ହେବାକୁ ଆଶା ରଖିଥିବା କର୍ପୋରେଟରମାନଙ୍କ ମୁଣ୍ଡ ଚକ୍କର କାଟିଲାଣି। ବିଭିନ୍ନ କାରଣରୁ ଯେଉଁ କେତେ ଜଣ ଆଶାୟୀ କର୍ପୋରେଟର ବିଗତ ବର୍ଷଗୁଡ଼ିକରେ ମେୟର ହୋଇପାରିନଥିଲେ ସେମାନଙ୍କ ଭାଗ୍ୟରେ ଏଥର ବି ଆପାତତଃ ମେୟର ପଦବି ନାହିଁ। କାରଣ ନଗର ଉନ୍ନୟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଥର ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ଏହା କେବଳ ମହିଳା ହେବ କି (ଏସ୍‌ସି) ମହିଳା, (ଏସ୍‌ଟି) ମହିଳା, (ଓବିସି) ମହିଳା ହେବ ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ। ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ହେବ ବୋଲି ଆଭାସ ପାଇବା ପରେ କେତେକ ଟାଣୁଆ କର୍ପୋରେଟର ଏଥର ନିର୍ବାଚନ ମଇଦାନରୁ ଦୂରେଇ ରହିବାକୁ ଆପାତତଃ ନିଷ୍ପତ୍ତି ନେଇସାରିଲେଣି। ଯେଉଁଥିପାଇଁ ସେମାନଙ୍କ ଓ୍ଵାର୍ଡରେ କେଉଁ ଅଞ୍ଚଳ ମିଶୁଛି କି ବାଦ୍‌ ପଡ଼ୁଛି, କେଉଁ ପଦବି ପାଇଁ ସଂରକ୍ଷିତ ରହୁଛି ସେନେଇ ମୁଣ୍ଡ ଖେଳାଉନାହାନ୍ତି। ଏହାବାଦ୍‌ ଯେଉଁ କର୍ପୋରେଟରମାନେ ଗତ ନିର୍ବାଚନ ସମୟରେ ଓ୍ଵାର୍ଡ ସଂରକ୍ଷଣ ପାଇଁ ପତ୍ନୀମାନଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିଥିଲେ ସେମାନେ ଏଥର ବି ସେମାନଙ୍କ ଓ୍ଵାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ ଚାହୁଁଛନ୍ତି। ଏଥର ନିଜେ ମେୟର ହେବାର ସମ୍ଭାବନା ନଥିବାରୁ ପତ୍ନୀଙ୍କୁ କାଳେ ସୁଯୋଗ ମିଳିବ ସେହି ଆଶାରେ ଗୋଟି ଚଳାଉଛନ୍ତି। ଯଦି ମେୟର ପଦବି ଏସ୍‌ସି/ଏସ୍‌ଟି/ଓବିସି ମହିଳାଙ୍କ ପାଇଁ ବି ସଂରକ୍ଷିତ ରହେ ତେବେ ବିଶେଷ କିଛି ପ୍ରଭାବ ପଡ଼ିବନି। ଅନ୍ତତଃ ନିଜ ଓ୍ଵାର୍ଡ ନିଜ କବ୍‌ଜାରେ ରହିବ ବୋଲି ଏହି ଗୋଷ୍ଠୀର କର୍ପୋରେଟରମାନେ ଆଶା ବାନ୍ଧିଛନ୍ତି। ବିଏମ୍‌ସିରେ ନିର୍ବାଚନ ହେବା ଦିନରୁ ତିନି ଥର ଯାକ କେବଳ ପୁରୁଷ କର୍ପୋରେଟରମାନେ ମେୟର ହୋଇଛନ୍ତି। ୨୦୦୪ରେ ମେୟର ପଦବି ଅଣସଂରକ୍ଷିତ ଥିବାବେଳେ ମିହିର ମହାନ୍ତିି ମେୟର ହୋଇଥିଲେ। ଏହାପରେ ମେୟର ପଦବି ଓବିସି ଏବଂ ୨୦୧୪ରେ ଅଣସଂରକ୍ଷିତ ଥିଲା। ଦୁଇ ଥର ଯାକ ଅନନ୍ତ ନାରାୟଣ ଜେନା ମେୟର ପଦବି ବାଜି ମାରି ନେଇଛନ୍ତି। ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ମହିଳା କର୍ପୋରେଟରମାନେ ମେୟର ପଦବି ହାତେଇଥିବାବେଳେ ବିଏମ୍‌ସିରେ ଏହା ହୋଇନାହିଁ। ୨୦୧୪ରେ ସିଏମ୍‌ସିରେ ମେୟର ପଦବି (ଏସ୍‌ସି) ମହିଳା ଥିବାବେଳେ ବ୍ରହ୍ମପୁରରେ (ଓବିସି) ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ତେଣୁ ଏଥର ବିଏମ୍‌ସିର ମେୟର ପଦବି କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ କି ସଂରକ୍ଷିତ ମହିଳା ହେବ ତାହା ସ୍ଥିର ହୋଇନି। କିନ୍ତୁ କର୍ପୋରେଟର ମହଲରେ ଚର୍ଚ୍ଚା ହେଉଛି ଯେ ଏଥର ମେୟର ପଦବି (ଏସ୍‌ସି) ମହିଳା ହେବ। ଯାହାକୁ ନେଇ କେତେକ କର୍ପୋରେଟର ଗୋଟି ଚଳାଇବା ଆରମ୍ଭ କଲେଣି।

ସଂରକ୍ଷଣ ହୋଇଯିବ ମେୟର ପଦବି
ଆଶଙ୍କାରେ ଆଶାୟୀ କର୍ପୋରେଟର
ପତ୍ନୀଙ୍କୁ ଛିଡ଼ା କରିବାକୁ କସରତ ଆରମ୍ଭ

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ବର୍ଷ ହେଲା ୪ରୁ ୫ଜଣ କର୍ପୋରେଟର ମୁଖ୍ୟତଃ ମେୟର ପଦବି ପାଇଁ ଦାବିଦାର ରହୁଛନ୍ତି। ଏଥିରୁ ଜଣେ ସଂଖ୍ୟା ଲଘୁ ବର୍ଗର ହୋଇଥିବାବେଳେ ତାଙ୍କ ଅଭିଜ୍ଞତା ଓ ବ୍ୟକ୍ତିତ୍ୱ ପାଇଁ ସେ ଦାବିଦାର ଥାନ୍ତି। ଆଉ ଦୁଇ ଜଣ କର୍ପୋରେଟର ନିଜ ଓ୍ଵାର୍ଡରେ ଅପରାଜେୟ ଥିବାବେଳେ ସେଥିରୁ ଜଣେ ବିଜେଡିର ଯୁବ ନେତାଙ୍କ ଲବି ଓ ବିଏମ୍‌ସିରେ ନିଜର ଦବ୍‌ଦବା ପାଇଁ ପ୍ରମୁଖ ଦାବିଦାର ରୁହନ୍ତି। ଏପରିକି ଏହି କର୍ପୋରେଟର ଜଣଙ୍କ ଯଦି ନିର୍ବାଚନ ନ ଲଢ଼ି ବି ଯାହାକୁ ସମର୍ଥନ କରିବେ ସେ ଏକତରଫା ବିଜୟୀ ହେବେ ବୋଲି ଓ୍ଵାର୍ଡ ବାସିନ୍ଦା କୁହନ୍ତି। ତାଙ୍କର ଓ୍ଵାର୍ଡରେ ପ୍ରାୟ ୫ହଜାର ପକେଟ୍‌ ଭୋଟ୍‌ ଥିବାରୁ ସେ ଏଥର ଜଣେ ଏସ୍‌ସି ମହିଳାଙ୍କୁ ପ୍ରାର୍ଥୀ କରି ମେୟର ପଦବି ପାଇଁ ଲବି କରିବା ସମ୍ଭାବନା ସୃଷ୍ଟି ହେଲାଣିି। ଏହାବାଦ୍‌ ଗତ ବର୍ଷଗୁଡ଼ିକରେ ମେୟର ପାଇଁ ଆଶାୟୀ ଥିବା ଆଉ ଜଣେ କର୍ପୋରେଟର ତାଙ୍କ ଓ୍ଵାର୍ଡ ମହିଳାଙ୍କ ପାଇଁ ସଂରକ୍ଷଣ ହୋଇଯିବାରୁ ଗତ ଥର ପତ୍ନୀଙ୍କୁ ପ୍ରାର୍ଥୀ କରାଇଥିଲେ। ଆଉ ଏକତରଫା ବିଜୟ ବି ହାସଲ କରିଥିଲେ। କିନ୍ତୁ ଏଥର ମେୟର ପଦବି ମହିଳାଙ୍କ ପାଇଁ ସଂରକ୍ଷିତ ହେବାର ସମ୍ଭାବନା ଥିବାରୁ ସେ ନିଜ ପତ୍ନୀଙ୍କୁ କଳେବଳେ ପ୍ରାର୍ଥୀ କରିବାକୁ ଲାଗି ପଡ଼ିଛନ୍ତି। ମେୟର ପଦବି ନହେଉ ପଛେ ପତ୍ନୀ କର୍ପୋରେଟର ହୋଇ ରୁହନ୍ତୁ ଓ ଓ୍ଵାର୍ଡ ତାଙ୍କ କବ୍‌ଜାରେ ରହୁ ବୋଲି ଉଦ୍ୟମ ଚଳାଇଛନ୍ତି। କିନ୍ତୁ ଏସବୁ ବାଦ୍‌ ବର୍ତ୍ତମାନର ମେୟର ଅନନ୍ତ ନାରାୟଣ ଜେନାଙ୍କ ଗୋଟି ଚାଳନାକୁ ସମସ୍ତଙ୍କ ଅପେକ୍ଷା। କାରଣ ବର୍ତ୍ତମାନ ବିଜେଡିର ଯେତିକି କର୍ପୋରେଟର ଅଛନ୍ତି ସେଥିରୁ ପ୍ରାୟ ଅଧା କର୍ପୋରେଟର ଅନନ୍ତଙ୍କ ସହମତିରେ ଟିକେଟ ପାଇଥିଲେ। ଅନନ୍ତଙ୍କର ବି ନିଜ ଓ୍ଵାର୍ଡରେ ସବୁଠୁ ଅଧିକ ଦବ୍‌ଦବା। ସେ ବିଏମ୍‌ସିର ସବୁଠୁ ଅଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା କର୍ପୋରେଟର। ଅନନ୍ତ ନିଜେ ଏଥର କର୍ପୋରେଟର ପଦବି ପାଇଁ ଆଶାୟୀ ନାହାନ୍ତି। ତେଣୁ ସେ ତାଙ୍କ ଓ୍ଵାର୍ଡରେ ଜଣେ ମହିଳାଙ୍କୁ ବା ଅନୁସୂଚିତ ମହିଳାଙ୍କୁ ପ୍ରାର୍ଥୀ କରିପାରନ୍ତି କିମ୍ବା ନିଜର କେତେକ ଖାସ୍‌ ଅନୁଗତ କର୍ପୋରେଟରଙ୍କ ମାଧ୍ୟମରେ ଅନ୍ୟ ଓ୍ଵାର୍ଡରେ (ଏସ୍‌ସି) ମହିଳାଙ୍କୁ ପ୍ରାର୍ଥୀ କରି ମେୟର ପଦବି ପାଇଁ ଲବି କରିବାର ଆଶଙ୍କାକୁ ବି ଏଡ଼ାଇ ହେଉନି। ଲଗାତର ଦୁଇଥର ମେୟର ପଦବି ହାତେଇଥିବା ଅନନ୍ତ ଏତେ ସହଜରେ ବିଏମ୍‌ସିକୁ ହାତଛଡ଼ା କରିବାକୁ ଚାହୁଁନଥିବା ଆଲୋଚନା ହେଉଛି। ସେହିପରି ବିଏମ୍‌ସିରେ କେତେକ ମହିଳା ଗତ ଦୁଇଥର ହେଲା ନିର୍ବାଚିତ ହୋଇ ଆସିଥିବାରୁ ସେମାନେ ବି ମେୟର ହେବାକୁ ଗୋଡ଼ ଟେକି ବସିଛନ୍ତି। କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରହିଲେ ସେମାନେ ମେୟର ମୁକୁଟ ପିନ୍ଧିବାର ସମ୍ଭାବନା ଥିବାରୁ ମେୟର ପଦବି କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ ଲବି ଆରମ୍ଭ କଲେଣି।
ଏସବୁ ଅଙ୍କକଷା ଭିତରେ ଏବେ ମେୟର ପଦବିକୁ ନଜରରେ ରଖି ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଚୟନ କରୁଥିବା ଆଲୋଚନା ହେଉଛି। ମେୟର ପଦବି ସଂରକ୍ଷଣ ହେବ କି ନାହିଁ ସେନେଇ ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଏହା ବିଏମ୍‌ସି ନିର୍ବାଚନ ଶେଷ ହେବା ପରେ ଘୋଷଣା ହେବ। ସରକାର ନିଷ୍ପତ୍ତି ନେବେ। ନିୟମ ଦୃଷ୍ଟିରୁ ଦେଖିଲେ ଏଥର ବିଏମ୍‌ସି ଭାଗରେ ମହିଳା ମେୟର ପଡ଼ୁଛି। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ସରକାରଙ୍କର।

ସମ୍ବନ୍ଧିତ ଖବର