୧ରୁ ଖଣ୍ଡଗିରି ମେଳା, ୫ରୁ ଯାତ୍ରା ମହାକୁମ୍ଭ: ଏଥର ମଇଦାନରେ ୧୨ ଯାତ୍ରା ଦଳ

ଭୁବନେଶ୍ବର: ମାଘ ସପ୍ତମୀରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା। ସାଧୁସନ୍ଥଙ୍କ ସମାଗମ ସହ ବସିବ ଅସ୍ଥାୟୀ ବଜାର। ତେବେ ମେଳାର ମଧ୍ୟକ୍ରମରୁ ଆକର୍ଷଣ ସାଜିବ ଖଣ୍ଡଗିରି ଯାତ୍ରା ସମର। ଫେବ୍ରୁଆରି ୧ରୁ ସାଧୁସନ୍ଥଙ୍କ ସମାଗମ ହେବା‌କୁ ଥିବା ବେଳେ ୫ରୁ ଆରମ୍ଭ ହେବ ଯାତ୍ରା। ଏଥର ଖଣ୍ଡଗିରି ଯାତ୍ରା ମଇଦାନକୁ ୧୨ଟି ଯାତ୍ରା ଦଳ ଓହ୍ଲାଉଥିବା ବେଳେ ୬ଟି ସ୍ଥାନରେ ଯାତ୍ରା ମଂଚସ୍ଥ ହେବ। ମାତ୍ର ଚଳିତ ବର୍ଷ ବରମୁଣ୍ଡା ବାରଭୂଜା କମିଟି ପକ୍ଷରୁ ଯାତ୍ରା ଦେଖିବାର ସୁଯୋଗ ମିଳିବ ନାହିଁ। ତେବେ ଏହି କମିଟି ପକ୍ଷରୁ ଆସୁଥିବା କୋଣାର୍କ ଓ ଶିବାନୀ ଗଣନାଟ୍ୟକୁ ଏଥର ଅନ୍ୟ ଯାତ୍ରା ପେଣ୍ଡାଲ୍‌ରେ ଦେଖିବାର ସୁଯୋଗ ମିଳିବ। ଖଣ୍ଡଗିରି ମହତାବ ଯାତ୍ରା ପେଣ୍ଡାଲ୍‌ ଓ ସନାତନ ସେବା ସମିତି ପଡ଼ିଆରେ ୩ଟି ପର୍ଯ୍ୟାୟରେ ଯାତ୍ରା ମଂଚସ୍ଥ ହେବ। ସେହିପରି ଇନ୍ଦିରା ସାଂସ୍କୃତିକ ସଂଘ ପକ୍ଷରୁ କଳିଙ୍ଗ ପେଣ୍ଡାଲ୍ ପଡ଼ିଆ ଏବଂ ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା ଫୁଟବଲ୍‌ ପଡ଼ିଆରେ ୨ଟି ପର୍ଯ୍ୟାୟରେ ନାଟକ ମଂଚସ୍ଥ ହେବ। ଖଣ୍ଡଗିରି ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା ମେଳଣ ପଡ଼ିଆ‌ ଏବଂ ଜୟଦୁର୍ଗା ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା ଫୁଟବଲ ପଡ଼ିଆରେ ଗୋଟିଏ ଲେଖାଏ ଯାତ୍ରା ଦଳ ଯାତ୍ରା ଭେଟିଦେବେ। ଖଣ୍ଡଗିରି ଯାତ୍ରା ପରିଷଦର ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟଙ୍କ ସୂଚନା ମୁତାବକ ଏଥର ୧୧ ଦିନ ଯାତ୍ରା ପରିବେଷଣ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି।

ମହତାବ ପେଣ୍ଡାଲ୍‌ରେ ‘ସାବତ ସ୍ବାମୀ’:
ମହତାବ ପେଣ୍ଡାଲ୍‌ରେ ପ୍ରଥମ ପର୍ଯ୍ୟାୟରେ ଯାତ୍ରା ମାୟାନଗରୀ ଫେବ୍ରୁଆରି ୬ରୁ ୯ ପର୍ଯ୍ୟନ୍ତ ‘କଥାଦିଅ ମତେ କରିବନି ପର’ ନାଟକ ଭେଟି ଦେବ। ଦ୍ବିତୀୟ ପର୍ଯ୍ୟାୟରେ ତୁଳସୀ ଗଣନାଟ୍ୟ ୧୦ରୁ ୧୩ ତାରିଖ ମଧ୍ୟରେ ‘ସାବିତ୍ରୀ କରୁଛି ସ୍ବାମୀ ନିଲାମ’ ଓ ‘କହିଦେଲେ କଥା ସରିଯିବ’ ନାଟକ ନେଇ ଆସୁଥିବା ବେଳେ ଶେଷ ପର୍ଯ୍ୟାୟରେ ଯାତ୍ରା ସ୍ବର୍ଣ୍ଣ ମହଲ ୧୪ରୁ ୧୬ ମଧ୍ୟରେ ‘ସିନ୍ଦୁର ହାଟରେ ନାହିଁ ସିନ୍ଦୁର’ ଓ ‘ସାବତ ସ୍ବାମୀ’ ନେଇ ମଇଦାନକୁ ଓହ୍ଲାଇବ ବୋଲି ମହତାବ ସାଂସ୍କୃତିକ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ଜେନା ସୂଚନା ଦେଇଛନ୍ତି।
ସନାତନ ପେଣ୍ଡାଲ୍‌ରେ ‘କାଳିଦାସଙ୍କ ନୂଆ କାହାଣୀ’:
ସନାତନ ପେଣ୍ଡାଲ୍‌ ଘାଟିକିଆରେ କୋଣାର୍କ ଗଣନାଟ୍ୟ ପ୍ରଥମ ପର୍ଯ୍ୟାୟରେ ୫ରୁ ୭ ତାରିଖ ମଧ୍ୟରେ ମଂଚସ୍ଥ କରିବ ନାଟକ ‘ଆଖି ଅବୁଝାକୁ ଲୁହ ଅବୁଝା’ ଓ ‘କଂସ’। ଦ୍ବିତୀୟ ପର୍ଯ୍ୟାୟରେ ଇନ୍ଦ୍ରଭୁବନ ୮ରୁ ୧୧ ତାରିଖ ମଧ୍ୟରେ ମଂଚସ୍ଥ କରିବ ‘ମାଣିକକୁ କିଏ ମାଇଲା ମାଡ଼’ ଓ ‘ଭାଇ ଭଉଣୀର ନୂଆ କାହାଣୀ’। ତୃତୀୟ ପର୍ଯ୍ୟାୟରେ ୧୨ରୁ ୧୬ ତାରିଖ ମଧ୍ୟରେ ଧଉଳି ଗଣନାଟ୍ୟ ମଂଚସ୍ଥ କରିବ ‘ସେଦିନର କଥା ମନେ ଅଛି ନା?’,‘କାଳିଦାସଙ୍କ ନୂଆ କାହାଣୀ’ ଓ ‘କର୍ଣ୍ଣ ଖୋଜୁଛି ନୂଆ ଠିକଣା’।
କଳିଙ୍ଗ ପେଣ୍ଡାଲ୍‌ ପଡ଼ିଆରେ ‘ରଙ୍ଗ ନାଗରୀ’:
ଇନ୍ଦିରା ସାଂସ୍କୃତିକ ମଣ୍ଡପ କଳିଙ୍ଗ ପେଣ୍ଡାଲ୍‌ରେ ୫ରୁ ୯ ତାରିଖ ମଧ୍ୟରେ କଳିଙ୍ଗ ଗଣନାଟ୍ୟ ‘ଶ୍ରାବଣ ମାସର ଶେଷ ରାତି’ ନାଟକ ନେଇ ଆସୁଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୧୦ରୁ ୧୫ ପର୍ଯ୍ୟନ୍ତ ଯୋଡ଼ି ହେବ ଶିବାନୀ ଗଣନାଟ୍ୟ। ଶିବାନୀ ଏଥର ତା’ର ଦୁଇ ହିଟ୍‌ ନାଟକ ‘ରଙ୍ଗ ଲଗେଇଛି ରଙ୍ଗନାଗରୀ’ ଓ ‘ବୋଉଲୋ ‌ମୁଁ ବୋହୂ ହେବିନି’ ନାଟକ ଭେଟିଦେବ।
କେସିଏ ପଡ଼ିଆ(୧)ରେ ‘ଭଦ୍ରକିଆ‌ ଟୋକା’:
ମା’ ମଙ୍ଗଳା ସାଂସ୍କୃତିକ ପରିଷଦ ଜାଗମରା କେସିଏ ପଡ଼ିଆ (୧)ରେ ଫେବ୍ରୁଆରି ୬ରୁ ୯ ମଧ୍ୟରେ ସ୍ବପ୍ନମହଲ ନାଟକ ମଂଚସ୍ଥ କରିବ। ଏଥର ଚର୍ଚ୍ଚାରେ ଥିବା ‘ସିଆଇଡି ଦୟା’ ଓ ‘ବାପା ବୋଉ ତମେ ଭୁଲ୍‌ କଲ’ ନାଟକ ନେଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷା କଥା ‘ଆପଣମାନେ ଖୁସି ତ?’ ନାଟକ ମଧ୍ୟ ମଂଚସ୍ଥ କରିବ ବୋଲି ସୂଚନା ମିଳିଛି। ଏଥିସହ ୧୦ରୁ ୧୬ ତାରିଖ ମଧ୍ୟରେ ରଙ୍ଗମହଲ ‘ବଡ଼ଦାଣ୍ଡର ଭିକାରୀ’ ଓ ‘ମୁଁ ଭଦ୍ରକିଆ ଟୋକା’ ନାଟକ ନେଇ ମଂଚ ପ୍ରବେଶ କରିବ।
ଜାଗମରା ମେଳଣ ପଡ଼ିଆରେ ‘ଲକ୍ଷେ ଶିବ ପୂଜି ପାଇଛି ତତେ’:
ଖଣ୍ଡଗିରି ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା ଗ୍ରାମ ମେଳଣ ପଡ଼ିଆରେ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଅପେରା ନାଟକ ମଂଚସ୍ଥ କରିବ। କଳିଙ୍ଗରୁ ରାଜଧାନୀ ଅପେରାକୁ ଆସିଥିବା ଲୋକପ୍ରିୟ ତାରକା ପ୍ରତାପ, ଜିତା, ନରି ପଣ୍ଡା, ଦୁର୍ଗାଭୂୟାଁକୁ ନେଇ ସମୃଦ୍ଧ ରାଜଧାନୀ ଅପେରା ଏଥର ତା’ର ହିଟ୍‌ ନାଟକ ‘ଲକ୍ଷେ ଶିବ ପୂଜି ପାଇଛି ତତେ’ ନାଟକ ଭେଟି ଦେବ ବୋଲି ପରିଷଦର ସମ୍ପାଦକ ମହେନ୍ଦ୍ର ଗୁରୁ ସୂଚନା ଦେଇଛନ୍ତି।
କେସିଏ ପଡ଼ିଆ(୨)ରେ ‘ମାୟାବିନୀ ମୌସୁମୀ’:
ଜୟଦୁର୍ଗା ସାଂସ୍କୃତିକ ପରିଷଦ ପକ୍ଷରୁ ଜାଗମରା କେସିଏ ଗ୍ରାଉଣ୍ଡରେ ନାଟକ ମଂଚସ୍ଥ କରିବ ଅପେରା ସୂର୍ଯ୍ୟ ମନ୍ଦିର। ଆସନ୍ତା ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଏଠାରେ ନାଟକ ମଂଚସ୍ଥ ହେବାକୁ ଯାଉଥିବା ବେଳେ ‘ମାୟାବିନୀ ମୌସୁମୀ’ ନାଟକ ନେଇ ଖଣ୍ଡଗିରି ମଇଦାନକୁ ପ୍ରବେଶ କରିବ ବୋଲି ପରିଷଦର ସଭାପତି ବିଜୟ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର