ଖଣ୍ଡଗିରି: ଚନ୍ଦକା ଅଭୟାରଣ୍ୟରେ ସରିଲା ପକ୍ଷୀ ଗଣନା। ଗତବର୍ଷ ତୁଳନାରେ ଚଳିତ ବର୍ଷ ପକ୍ଷୀମେଳାରେ ଅତିଥି ପକ୍ଷୀଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଚଳିତ ବର୍ଷ ୧୦,୧୧୪ ଯାଯାବର ପକ୍ଷୀ ଏଠାରେ ଡେରା ପକାଇଥିବାବେଳେ ଗତବର୍ଷ ଏହି ସଂଖ୍ୟା ଥିଲା ୧୦,୨୪୭। ତେଣୁ ଚଳିତ ବର୍ଷ ୧୩୩ ପକ୍ଷୀ କମ୍ ଆସିଥିବା ଏହି ଗଣନାରୁ ଆକଳନ କରାଯାଇଛି। ତେବେ ମୋଟ୍ ୧୯ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଭିତରେ ନୂଆ ୫ ପ୍ରଜାତିର ବିଦେଶୀ ଅତିଥି ପକ୍ଷୀଙ୍କ ଆଗମନ ଚଳିତ ବର୍ଷ ଏକ ଉଲ୍ଲେଖନୀୟ ଘଟଣା ପାଲଟିଛି। ଫଳରେ ଚଳିତ ବର୍ଷ ଚନ୍ଦକା ଶୋଭା ବୃଦ୍ଧି ପାଇଛି। ରାଜଧାନୀ ଉପକଣ୍ଠରେ ପ୍ରାକୃତିକ ଜଙ୍ଗଲ ହ୍ରାସ ସହ ତାଳ ଦେଇ କଂକ୍ରିଟ୍ ଜଙ୍ଗଲ ବଢ଼ୁଥିବାବେଳେ ଏମିତି ନୂଆ ବିଦେଶାଗତ ପକ୍ଷୀଙ୍କ ଆଗମନ ପ୍ରାଣୀପ୍ରେମୀ ମହଲରେ ଖୁସି ଆଣି ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଚଳିତ ବର୍ଷ ୭୩ ପ୍ରକାରର ଯାଯାବର ପକ୍ଷୀ ଚନ୍ଦକା ଅଭୟାରଣ୍ୟ ଅଞ୍ଚଳକୁ ଆସିଛନ୍ତି। ସେଥିମଧ୍ୟରୁ ୧୯ ପ୍ରକାର ବିଦେଶୀ ପକ୍ଷୀ ଅଛନ୍ତି। ଏହି ବିଦେଶୀ ପକ୍ଷୀମାନେ ସାଧାରଣତଃ ସାଇବେରିଆ ଓ ଆଫଗାନସ୍ଥାନ ଭଳି ଅଞ୍ଚଳରୁ ଆସିଛନ୍ତି। ତେବେ ଏମାନଙ୍କ ଭିତରେ ୫ ପ୍ରଜାତିର ନୂଆ ପକ୍ଷୀଙ୍କୁ ଠାବ କରାଯାଇଛି। ସେମାନେ ହେଲେ ଲଙ୍ଗ୍ ବିଲ୍ଡ ପ୍ଲୋଭର୍, ବ୍ଲାକ୍ ବିଲ୍ଡ ଟର୍ଣ, ବାର୍ ହେଡେ୍ଡ ଗିଜ୍, ଗ୍ରେ ହେଡ୍ଡ ଲାପ୍ଓ୍ଵିଙ୍ଗ୍ ଓ ନର୍ଦଣ୍ଣ ସୋଲ୍ଭର୍। ଏଭଳି ପକ୍ଷୀ ସାଧାରଣତଃ ଶୀତଋତୁରେ କେବଳ ଚିଲିକାରେ ଦେଖିବାକୁ ମିଳନ୍ତି। ଚଳିତ ବର୍ଷ ଏହି ଦଳ ଚନ୍ଦକାକୁ ପସନ୍ଦ କରିଛନ୍ତି। ଏଥିସହିତ ପ୍ରତିବର୍ଷ ଭଳି ପୋଚାର୍ଡ, ହଂସ, ହଂସରାଳି, ଗେଣ୍ଡାଳିଆ, ପେଲିକାନ୍, ଫ୍ଲେମିଙ୍ଗୋ, କର୍ମୋମୋରାଣ୍ଟ, ପିଣ୍ଟେଲ୍ ଆଦି ଯାଯାବର ଜାତୀୟ ପକ୍ଷୀମାନେ ଚନ୍ଦକାରେ ଦେଖିବାକୁ ମିଳିଛନ୍ତି।
ଚନ୍ଦକା ଡିଏଫ୍ଓ କେଦାର କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଓ ଏସିଏଫ୍ ଶରତ କୁମାର ବେହେରାଙ୍କ ପରିଚାଳନରେ ସମ୍ପାଦିତ ହୋଇଥିବା ଏହି ଗଣନା କାର୍ଯ୍ୟରେ ବନ ବିଭାଗର ୨୦ ଜଣ କର୍ମଚାରୀଙ୍କ ସହ ମୋଟ୍ ୬୦ ଜଣ ସାମିଲ୍ ହୋଇଥିଲେ। ଏମାନେ ୧୧ଟି ଟିମ୍ରେ ବିଭକ୍ତ ହୋଇ ଗଣନା କାମ ସମ୍ପାଦନ କରିଥିଲେ। ବିଜୁ ପଟ୍ଟନାୟକ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଫରେଷ୍ଟ୍ରି କଲେଜର ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସହ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଭାଗ ଗବେଷଣାରତ ଛାତ୍ରଛାତ୍ରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ। ସେହିଭଳି କଟକ ଓ ଖୋର୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ୱବଧାରକମାନେ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନମାନେ ବି ସାମିଲ୍ ହୋଇଥିଲେ। ରାଜଧାନୀ ଉପକଣ୍ଠ ଏକାମ୍ର ପାର୍କ ହ୍ରଦ, ପୁରୀ କେନାଲ, ମୁଣ୍ଡଳୀରୁ ନରାଜ ବ୍ୟାରେଜ୍, ମାଢ଼ୁଆ, ଡମପଡ଼ା ପାଟପୁର ପାଟ, ଚୁଡ଼ଙ୍ଗଗଡ଼ ପାଟ, ବାରିମାଣ, କୁମାରଖୁଣ୍ଟି, ଜାରିଆ, ଅମ୍ବିଲ, ଡେରାସ, କଜଳାଗଣ୍ଡ, ଝୁମୁକା, ଆଦି ମୋଟ୍ ୨୨ଟି ସ୍ଥାନକୁ ଚିହ୍ନଟ କରି ପକ୍ଷୀଗଣନା କରାଯାଇଥିଲା।
କେମିତି ହୁଏ ଗଣନା
ଏସିଏଫ୍ ଶ୍ରୀ ବେହେରାଙ୍କ ସୂଚନାନୁସାରେ ପକ୍ଷୀଗଣନା ଦୁଇଟି ପଦ୍ଧତିରେ ହୋଇଥାଏ। କମ୍ ଦେଖାଯାଉଥିବା ସ୍ଥାନରେ ସିଧାସଳଖ ଗୋଟି ଗୋଟି କରି ଗଣନା କରାଯାଏ। କିନ୍ତୁ ଯେଉଁଠି ଦଳଗତଭାବେ ଅଧିକ ସଂଖ୍ୟାରେ ପକ୍ଷୀମାନେ ଥାଆନ୍ତି ସେଠାରେ ହାରାହାରୀ ଆକଳନ କରାଯାଏ। ଅର୍ଥାତ୍ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପକ୍ଷୀମାନଙ୍କର ଘନତାକୁ ନେଇ ହିସାବ କରାଯାଏ। ଏଥିପାଇଁ ବାଇନାକୁଲର ଓ ଅତ୍ୟାଧୁନିକ ଡିଏସ୍ଏଲ୍ଆର୍ କ୍ୟାମେରା ବ୍ୟବହାର କରାଯାଇଥାଏ।