୭ କୁଇଣ୍ଟାଲ୍‌ ଗୁଆରେ ଲଣ୍ଡନ ହାଇକୋର୍ଟ

ପାର୍ବଣ ନେଇ ପୁଣି ଫେରିଛିି ଶରତ। ସାଙ୍ଗରେ ଆଣିଛି ଉତ୍ସାହ ଓ ଉଦ୍ଦୀପନାର ପରଶ। ମା’ଙ୍କ ଧରାବତରଣକୁ ସ୍ୱାଗତ ପାଇଁ କାଶତଣ୍ଡୀରେ ସଜେଇ ହୋଇଛି ପରିବେଶ। ଆଉ ମାତ୍ର କେଇଦିନର ଅପେକ୍ଷା। ପାର୍ବଣ ମନସ୍କ ଶ୍ରଦ୍ଧାଳୁ ଏକରକମ ଓଲଟ ଗଣତି ଆରମ୍ଭ କରିଦେଇଛନ୍ତି। ସବୁଥର ପରି ଏଥର ବି ତୋରଣରେ ଆଖିଖୋସା ଅନୁଭବ ଭେଟି ଦେବେ ରାଜଧାନୀର ପ୍ରମୁଖ ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ରାଜଧାନୀର ପୂଜା ମଣ୍ଡପର ସାଜସଜାକୁ ନେଇ ଆମର ସ୍ୱତନ୍ତ୍ର ସ୍ତମ୍ଭ ‘ମା ଆସୁଛନ୍ତି …

ତୋରଣରେ ଝଲସିବ ଲଣ୍ଡନ ହାଇକୋର୍ଟର ପ୍ରତିକୃତି। କାଠ କି ପ୍ଲାଏ ନୁହେଁ, ଗୁଆରେ ପ୍ରସ୍ତୁତ ହେବ ଏହି ସୁଦୃଶ୍ୟ ତୋରଣ। ଏଠି ବିଚାର ହେବ ନାହିଁ, କିନ୍ତୁ ଅନେକଙ୍କୁ ବିଚାର କରିବା ପାଇଁ ଏହା ନିଶ୍ଚୟ ପ୍ରଶ୍ନବାଚୀ ଛାଡ଼ିଦେବ। ତୋରଣକୁ ବସ୍ତୁତଃ ଆକର୍ଷଣ କରିବା ଉପରେ ଧ୍ୟାନ ଦେଉଥିବା ବମିଖାଲ ଦୁର୍ଗାପୂଜା କମିଟି ଏଥର ୮୦ ଫୁଟ ଉଚ୍ଚ ଏବଂ ୧୦୦ ଫୁଟ ଓସାର ବିଶିଷ୍ଟ ତୋରଣରେ ନିଆରା ଅନୁଭବ ଭେଟି ଦେବ। କେବଳ ତୋରଣ ନିର୍ମାଣ ପାଇଁ ୭ କୁଇଣ୍ଟାଲ୍‌ ଗୋଟା ଓ ଫାଳଗୁଆ ମଗା ଯାଇଛି। ପୂଜା ବଜେଟ୍‌ ୩୫ଲକ୍ଷ ରହିଥିବା ବେଳେ ପୂରା ତୋରଣ ପ୍ରସ୍ତୁତି ପାଇଁ ୧୮ଲକ୍ଷ ଟଙ୍କା ବ୍ୟୟ ହେବ। ଗୁଆ, ଗୁଆଗଛର ପାଟୁଆ ଏବଂ ରେକ୍ସିନ୍‌ରେ ଏହା ପ୍ରସ୍ତୁତ କରାଯିବ। ୨୭ଜଣ କାରିଗର ଏହାର ନିର୍ମାଣ ପାଇଁ ଦେଢ଼ ମାସର ସମୟ ନେଇଥିବା ବେଳେ ଏବେଠୁ ସହରବାସୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସୁକତା ବୃଦ୍ଧି ପାଇବାରେ ଲାଗିଛି।

ବମିଖାଲ ଦୁର୍ଗାପୂଜା କମିଟି ଚଳିତ ବର୍ଷ ୫୫ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଥର ପୂଜାକୁ ଜାକଜମକରେ କରିବା ପାଇଁ ଅଣ୍ଟା ଭିଡ଼ିଛି କମିଟି। ଜୟଦୁର୍ଗା ନଗରରୁ ଏସ୍‌ପ୍ଲାନେଡ୍‌ ମଲ୍‌ ପର୍ଯ୍ୟନ୍ତ ଆଲୁଅରେ ଝଲସିବ। ୧୦ଟି ବଡ଼ ଏଚ୍‌ଡି ଏଲ୍‌ଇଡି ଲାଇଟ୍‌ ତୋରଣ ସହ ୧୨୦ଟି ଷ୍ଟ୍ରକ୍ଚର ଦୁଇପାର୍ଶ୍ୱରେ ଖଞ୍ଜାଯିବ। ମହାଷ୍ଟମୀ ଦିନ ପ୍ରାୟ ୩ ହଜାର ମହିଳା ମା’ଙ୍କ ପାଖେ ଶାଢ଼ି ପୂଜା କରିବେ। ଏହି ଦିନ ପୂଜା ହେଉଥିବା ଶାଢ଼ି ପିନ୍ଧି ଯେଉଁ କାମରେ ଗଲେ ଶୁଭ ଫଳ ମିଳୁଥିବା ବିଶ୍ୱାସ ରହିଥିବାରୁ ମହାଷ୍ଟମୀ ଦିନ ବହୁ ସଂଖ୍ୟାରେ ମହିଳାଙ୍କ ସମାଗମ ହେବ। ମହିଳାମାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ ଓ ଶାଢ଼ି ପୂଜା କରିବା ପାଇଁ ସହଯୋଗ କରିବାକୁ ୭ଜଣ ମହିଳା ସ୍ୱେଚ୍ଛାସେବୀ ନିୟୋଜିତ ହେବେ।

ମା’ ପିନ୍ଧିବେ ରୁପା ମୁକୁଟ, ଭସାଣିରେ ଲାଇଟ୍‌ ରୋବଟ୍‌
ଚଳିତ ବର୍ଷ ପୂଜା କମିଟି ପକ୍ଷରୁ ମା’ଙ୍କ ପାଇଁ ନୂଆ କରି ରୁପା ମୁକୁଟ ପ୍ରସ୍ତୁତ କରାଯାଇଛି। ୩ ଲକ୍ଷ ୬୦ ହଜାର ଟଙ୍କାରେ ଏହି ମୁକୁଟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି। ଏଥର ଭସାଣି ବେଳେ ଆକର୍ଷଣ ସାଜିବ ଲାଇଟ୍‌ ରୋବଟ୍‌। ଏଥିସହ ବଲାଙ୍ଗୀର ଓ ନୂଆପଡ଼ାରୁ ୧୩୦ ପାରମ୍ପରିକ କଳାକାର ସାମିଲ୍‌ ହେବେ। ୪ ଦିନ ମେଲୋଡି ଓ ନୃତ୍ୟ କାର୍ଯ୍ୟକ୍ରମ ରହିଛି।
ପର୍ଶୁରାମ ଜେନା (ସଭାପତି)

ସୁରକ୍ଷା ପାଇଁ ଏଥର ଅଧିକ ପୁଲିସ
ଓଭରବ୍ରିଜ୍‌ ନିର୍ମାଣାଧୀନ ଥିବା ବେଳେ ଏସ୍‌ପ୍ଲାନେଡ୍‌ ପର୍ଯ୍ୟନ୍ତ ଗହଳି ଲାଗି ରହୁଥିବାରୁ ଏଥର ଅଧିକ ପୁଲିସ୍‌ ସୁରକ୍ଷା ପାଇଁ ନିୟୋଜିତ ହେବେ। ୪୦ ଜଣ ସ୍ୱେଚ୍ଛାସେବୀ ଶୃଙ୍ଖଳା ଉପରେ ଧ୍ୟାନ ରଖିବେ। ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ ଦିବ୍ୟାଙ୍ଗଙ୍କ ଦର୍ଶନ ସୁବିଧା ପାଇଁ ହ୍ଵିଲ୍‌ ଚେୟାରର ବନ୍ଦୋବସ୍ତ କରାଯିବ।
ସୁକାନ୍ତ କୁମାର ପ୍ରଧାନ (ସମ୍ପାଦକ)

ସମ୍ବନ୍ଧିତ ଖବର