ଭିନ୍ନକ୍ଷମଙ୍କ ପାଇଁ ୩ ପ୍ରକଳ୍ପ ଲୋକାର୍ପିତ

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କ ସୁବିଧା ସହ ସେମାନଙ୍କୁ ସଶକ୍ତ କରିବା ପାଇଁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ପୂର୍ଣ୍ଣାଙ୍ଗ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ୩ ଦିନିଆ ଉତ୍ସବର ଶେଷ ଦିନରେ ଯୋଗଦେଇ ଭିନ୍ନକ୍ଷମଙ୍କୁ ରୋଜଗାରର ପନ୍ଥା ଯୋଗାଇ ଦେବା ଉଦ୍ଦେଶ୍ୟରେ ପୋଖରୀପୁଟସ୍ଥିତ ଭିନ୍ନକ୍ଷମ ତାଲିମ୍‌ ଓ ଉତ୍ପାଦନ କେନ୍ଦ୍ରର ଶୁଭାରମ୍ଭ କରିଥିଲେ।

ଶିକ୍ଷାଭିତ୍ତିକ ଦକ୍ଷତାର ବିକାଶ ପାଇଁ ପୋଖରୀପୁଟସ୍ଥିତ ରାଜ୍ୟ ସମ୍ବଳ କେନ୍ଦ୍ର ଓ ପାଠାଗାର ଲୋକାର୍ପଣ କରିଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ‘ଭିନ୍ନକ୍ଷମ ଛାତ୍ରୀ ନିବାସ’କୁ ଆଦିବାସୀ ପଡ଼ିଆରେ ହିଁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅଜିତ କୁମାର ବେହେରାଙ୍କୁ ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ ନିର୍ମିତ ଏକ ଭେଣ୍ଡିଙ୍ଗ୍‌ ଟ୍ରଲି ପ୍ରଦାନ କରିବା ସହ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୩ ଚକିଆ ସ୍କୁଟି ପ୍ରଦାନ କରିଥିଲେ। ସଭା ସ୍ଥଳରେ୧୯ ଜଣଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଭିନ୍ନକ୍ଷମ ସଶକ୍ତୀକରଣ ଦିଗରେ ଭଲ କାମ କରିଥିବାରୁ ସମ୍ବଲପୁର, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ଦେବଗଡ଼, ରାୟଗଡ଼ାର ଜିଲ୍ଲାପାଳଙ୍କୁ ସମ୍ବର୍ଧିତ କରାଯାଇଥିଲା। +୩ ପଢ଼ିଥିବା ଜଣେ ଦୃଷ୍ଟିବାଧିତ ଛାତ୍ରକୁ ଲାପ୍‌ଟପ୍‌ ବଣ୍ଟନ କରାଯାଇଥିବା ବେଳେ ଅନ୍ୟ ଜଣେ ଭିନ୍ନକ୍ଷମ ଛାତ୍ରଙ୍କୁ ସ୍ମାର୍ଟ ଫୋନ୍‌ ପ୍ରଦାନ କରାଯାଇଥିଲା। ଏଥିସହିତ ମାରାଥନ୍‌ରେ ବିଜୟୀ ହୋଇଥିବା ୭ଜଣ ଭିନ୍ନକ୍ଷମ, ଜଣେ ବରିଷ୍ଠନ ନାଗରିକ, ଜଣେ ଆଥ୍‌ଲେଟ୍‌ ଏବଂ ଜଣେ ଛାତ୍ରଙ୍କ ସମେତ ମୋଟ୍‌ ୧୨ ଜଣଙ୍କୁ ପୁରସ୍କୃତ କରାଯାଇଥିଲା।

ଭିନ୍ନକ୍ଷମଙ୍କ ନିଜସ୍ୱ ସୃଜନୀ ତଥା ଲେଖାକୁ ନେଇ ପ୍ରସ୍ତୁତ ହୋଇଥିବା ‘ଆମ କଥା’ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ୩୦ ଜଣ ଭିନ୍ନକ୍ଷମଙ୍କ ଉପରେ ସତ କାହାଣୀ ଓ ଫଟୋଚିତ୍ରକୁ ନେଇ ‘ଦି ଆଚିଭର୍ସ’ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଏଥିସହ ଭିନ୍ନକ୍ଷମ ବିଭାଗର ସୂଚନା ସମ୍ବଳିତ ପୁସ୍ତକ ‘କମ୍ପେଡିୟମ ଅଫ୍‌ ଇନ୍‌ଷ୍ଟ୍ରକ୍ସନ୍‌’ ପୁସ୍ତକ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର ଏବଂ ମେୟର ଅନନ୍ତ ନାରାୟଣ ଜେନା, ବିଭାଗୀୟ ସଚିବ ନିତେନ ଚନ୍ଦ୍ରା, ନିର୍ଦେଶକ ମାନସୀ ନିମ୍ଭଲ ପ୍ରମୁଖ ଉପସ୍ଥିତ ଥିଲେ। ଦେବ ପ୍ରସାଦ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଭିନ୍ନକ୍ଷମଙ୍କ ପାଇଁ ଇ-ଲାଇବ୍ରେରି

ପୋଖରୀପୁଟସ୍ଥିତ ଭିଆର୍‌ସିଏଚ୍‌ ପରିସରରେ ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଲାଇବ୍ରେରି ଉନ୍ମୋଚିତ ହୋଇଛି। ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଲାଇବ୍ରେରି ମଧ୍ୟରେ ୪ହଜାର ବହି ରହିବାର ସୁବିଧା ଥିବା ବେଳେ ବର୍ତମାନ ସୁଦ୍ଧା ୨୨ଶହ ବହି ମହଜୁଦ ରହିଛି। ଏଥିସହ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲାଇବ୍ରେରିର ସୁବିଧା ମଧ୍ୟ ରହିଛି। ଏଠାରେ ଏକକାଳୀନ ୮୦ଜଣ ବସି ପଢ଼ାପଢ଼ି କରିପାରିବେ ବୋଲି ଭିଆର୍‌ସିଏଚ୍‌ର ସହ ନିର୍ଦେଶକ ରାମ କୁମାର ଶର୍ମା କହିଛନ୍ତି।

ଆମ ଭତ୍ତା ୨ହଜାର କର

ମୁଖ୍ୟମନ୍ତ୍ରୀ ଆଜି ମୁଖ୍ୟ ଅତିଥି ଭାବେ ଶେଷ ଦିନରେ ଯୋଗ ଦେଇଥିଲେ ହେଁ କାହାର ଭାଷଣ ଶୁଣିବାକୁ ମିଳି ନଥିଲା। ଏନେଇ ଅନେକ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ଅସନ୍ତୋଷ ପ୍ରକାଶ କରି କହିଥିଲେ, ଆମେ ଭାବିଥିଲୁ ମୁଖ୍ୟମନ୍ତ୍ରୀ ଆମ ଭତ୍ତା ବାବଦରେ କିଛି ଘୋଷଣା କରିବେ। କିନ୍ତୁ ମୁଖ୍ୟମନ୍ତ୍ରୀ ଭାଷଣ ନଦେଇ ଚାଲିଯିବାରୁ କିଛି ଭିନ୍ନକ୍ଷମ ବ୍ୟକ୍ତିବିଶେଷ ଧାରଣାରେ ବସିଥିଲେ। ଭିନ୍ନକ୍ଷମ ଭତ୍ତା ୩୦୦ ଟଙ୍କା ପରିବର୍ତେ ୨ହଜାର ଟଙ୍କା କରିବାକୁ ଦାବି କରିଥିଲେ। ପ୍ଲାକାର୍ଡ ଧରି ପଡ଼ିଆ ମଧ୍ୟରେ ବସି ରହି ଭତ୍ତା ବୃଦ୍ଧି ପାଇଁ ସ୍ଳୋଗାନ ଦେଇଥିଲେ।

ସମ୍ବନ୍ଧିତ ଖବର