କୁକୁଡ଼ା ଲୋଭରେ ଫସିଗଲା, ଚନ୍ଦକା ଗଲା କଲରାପତରିଆ

ଭୁବନେଶ୍ବର: ୪୮ ଘଣ୍ଟାର ଅପରେସନ ପରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରୁ କଲରାପତରିଆ ବାଘକୁ ଧରିବାରେ ସକ୍ଷମ ହୋଇଛି ବନ ବିଭାଗ। ବନ ବିଭାଗ କର୍ମଚାରୀମାନେ ଯେଉଁ କାର୍ଯ୍ୟ କରିପାରି ନଥିଲେ ଗୋଟିଏ କୁକୁଡ଼ା ତାହା କରି ଦେଖାଇଲା। ଯନ୍ତାରେ ବନ୍ଧା ଯାଇଥିବା କୁକୁଡ଼ା ଖାଇବା ଲୋଭରେ ଫସିଯାଇଥିଲା ବାଘ। ଆଉ ଶେଷରେ ବନ ବିଭାଗ ଅଧିକାରୀମାନେ ତାକୁ କାବୁ କରି ନେଇଥିଲେ। ରାତି ପ୍ରାୟ ୩ଟା ୧୦ରେ ବାଘ ଯନ୍ତାରେ ପଡ଼ିଥିବା ବନ ବିଭାଗ କର୍ମଚାରୀମାନେ ଜାଣିବାକୁ ପାଇଥିଲେ। ଏହାପରେ ବାଘକୁ କେଉଁଠି ଛାଡ଼ିବେ ତାହାକୁ ନେଇ ଅଧିକାରୀମାନେ ଦ୍ବନ୍ଦ୍ବରେ ପଡ଼ିଥିଲେ। ସହର ଭିତରୁ ଠାବ ହୋଇଥିବାରୁ ପ୍ରଥମେ ନନ୍ଦନକାନନରେ ରଖିବାକୁ ଚିନ୍ତା କରାଯାଇଥିଲା। ‌ବିଭାଗର ବରିଷ୍ଠ ଅଧିକାରୀମାନେ ବି ସହମତି ପ୍ରକାଶ କରିଥିଲେ। ତେବେ ବନ ବିଭାଗର ସର୍ବୋଚ୍ଚ ଅଧିକାରୀମାନେ ସହମତି ହୋଇପାରି ନଥିଲେ। ଯେଉଁଥିପାଇଁ ପ୍ରାୟ ଦୁଇ ଘଣ୍ଟା ଧରି ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ମାନସମନ୍ଥନ ଚାଲିଥିଲା। କଲରାପତରିଆ ବାଘକୁ ନନ୍ଦନକାନନରେ ରଖିଲେ ସମାଲୋଚନାର ଶିକାର ହେବାକୁ ପଡ଼ିବ ବୋଲି ଭାବି ଶେଷରେ ଚନ୍ଦକା ଜଙ୍ଗଲରେ ବାଘକୁ ଛଡ଼ାଯାଇଛି। ବା‌ଘ ଧରିବା ପାଇଁ ବିମାନବନ୍ଦର ଭିତର ଓ ବାହାରେ ୭ଟି ଯନ୍ତା ବସାଯାଇଥିଲା। ସେଗୁଡ଼ିକରେ ୬ଟି କୁକୁଡ଼ା ସହ ଦୁଇଟି ଛେଳି ଓ ଗୋଟିଏ ମେଣ୍ଢା ବନ୍ଧା ଯାଇଥିଲା। ବିମାନବନ୍ଦର ନିକଟରେ ବୁଲୁଥିବା ବେଳେ କୁକୁଡ଼ା ଖାଇବା ଲୋଭରେ ଯନ୍ତା ଭିତରକୁ ପଶିଯାଇଥିଲା ବାଘ। ଆଉ ‌ସଙ୍ଗେ ସଙ୍ଗେ ଯନ୍ତାର ଫାଟକ ପଡ଼ି ଯାଇଥିଲା। ଯନ୍ତାରେ ପଡ଼ିବା ପରେ ବାଘ ଗର୍ଜନ କରିଥିଲା। ଛାଟିପିଟି ହୋଇଥିଲା। ଶବ୍ଦ ଶୁଣିଥିଲେ ମଧ୍ୟ ବନ ବିଭାଗ ଅଧିକାରୀମାନେ ଯନ୍ତା ନିକଟକୁ ଯିବାକୁ ଭୟ କରିଥିଲେ। ପ୍ରାୟ ୩୦ ମିନିଟ୍‌ ପରେ ବନ ବିଭାଗ ଅଧିକାରୀମାନେ ବାଘ ନିକଟରେ ପହଞ୍ଚିଥିଲେ। ବାଘର ଉତ୍ପାତ ଦେଖି ବନ ଅଧିକାରୀମାନେ ବିଚଳିତ ହୋଇପଡ଼ିଥିଲେ। ତେଣୁ ଟ୍ରାଙ୍କୁଲାଇଜ୍‌ କରି ନେବାକୁ ଉଚିତ୍‌ ମଣିଥିଲେ।

ଶରୀରରେ ଲାଗିଥିଲା ଆଘାତ
ବାଘ ଧରାଯିବା ପରେ ଗାଡ଼ି ଯୋଗେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକତ୍ସା କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ରାତି ପ୍ରାୟ ସାଢେ ୪ଟାରେ ନନ୍ଦନକାନନର ଚିକିତ୍ସକମାନେ ତା’ର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ୨ରୁ ୩ ଜଣ ବିଶେଷଜ୍ଞ ମଧ୍ୟ ଉପସ୍ଥିତ ଥିଲେ। ପରୀକ୍ଷା‌ ପରେ ସ୍ବାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଥିଲା। ବିମାନବନ୍ଦର ପାଚେରିରେ ଡିଆଁ ଡେଇଁ କରିବା ଦ୍ବାରା ତାର ଲାଗି ଶରୀରରେ ଛୋଟ ଦାଗ ସୃଷ୍ଟି ହୋଇଥିଲା। କୌଣସି ବିପଦ ଆଶଙ୍କା ନଥିବାରୁ ବାଘକୁ ମୁକ୍ତ କରିବାକୁ ନିଷ୍ପତ୍ତି ହୋଇଥିଲା।

ଏନ୍‌ଟିସିଏ ନିୟମ ପାଳନ ହେଲା
ଚିକିତ୍ସା ପରେ ବାଘକୁ କେଉଁଠି ଛଡ଼ାଯିବ ତାହାକୁ ନେଇ ଦ୍ବନ୍ଦ୍ବ ଦେଖାଦେବାରୁ ପିସିସିଏଫ୍‌ଙ୍କ ମତାମତ ନିଆଯାଇଥିଲା। ବିଶେଷଜ୍ଞମାନେ ମତ ରଖିଥିଲେ ଯେ ବାଘ ନରହନ୍ତା ନୁହେଁ। କାହାକୁ ଆକ୍ରମଣ କରିନି କିମ୍ବା କାହା ଉପରକୁ ଝାମ୍ପ ମାରିନି। ଖାଦ୍ୟ ଅନ୍ବେଷଣ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ସେ ଜଙ୍ଗଲରୁ ଜନବସତି ଆଡ଼କୁ ମାଡ଼ି ଆସିଛି। ସେ ଜଙ୍ଗଲୀ ସ୍ବଭାବର ହୋଇଥିବାରୁ ଜଙ୍ଗଲରେ ଛାଡ଼ିବାକୁ ନେସନାଲ ଟାଇଗର କଂଜରଭେସନ୍‌ ଅଥରିଟି(ଏନ୍‌ଟିସିଏ)ର ନିୟମ ରହିଛି। ‌ସେହି ନିୟମ ଅନୁଯାୟୀ ବାଘକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିଲା। ଭୋର ପ୍ରାୟ ୬ଟାରେ ଚନ୍ଦକାର ଘଞ୍ଚ ଜଙ୍ଗଲରେ ଯନ୍ତା ଖୋଲିବା କ୍ଷଣି ବାଘ ଦୌଡ଼ି ପଳାଇଥିଲା।

ଜାଣିପାରୁନାହାନ୍ତି ବନ ଅଧିକାରୀ
ସହରକୁ ବାଘ ଆସିଲା। ତିନି ଦିନ ଧରି ବୁଲାବୁଲି କଲା। ତଥାପି ବନ ବିଭାଗ ଜାଣିପାରିଲାନି ଯେ ବାଘ କେଉଁଠୁ ଆସିଲା? ଚନ୍ଦକା ଜଙ୍ଗଲ ନା ‌ଖୋର୍ଧା ଡିଭିଜନ୍‌ରୁ ଆସିଥିଲା ତାହାକୁ ନେଇ ଅନ୍ଧାରରେ ରହିଗଲା ବନ ବିଭାଗ। ଚନ୍ଦକାରେ ବାଘ ଛଡ଼ାଯାଇଥିଲେ ମଧ୍ୟ ଅଧିକାରୀମାନେ କହିପାରୁନାହାନ୍ତି ଯେ ବାଘ କେଉଁଠୁ ଆସିଲା। ଆଜି ବି ଅଧିକାରୀମାନେ କହିଛନ୍ତି ଯେ ବିମାନବନ୍ଦରଠାରୁ ମାତ୍ର ୪ରୁ ୫ କିମି ଦୂରରେ ଚନ୍ଦକା ଜଙ୍ଗଲ ରହୁଛି। ତେଣୁ ଖାଦ୍ୟ ଅନ୍ବେଷଣରେ ସେଠାରୁ ଆସିଥାଇପାରେ। ୭ ବର୍ଷ ତଳେ ରାଜଧାନୀ ଉପକଣ୍ଠ ଗଣ୍ଡରପୁରରେ ଏମିତି ବାଘ ଦେଖାଯାଇଥିଲା। ଲୋକେ ତାକୁ ବାଡ଼େଇ ମାରି ଦେଇଥିଲେ। ଏଥର ସେଭଳି କିଛି ହୋଇ ନଥିଲା। ବାଘକୁ ଭଲରେ ଧରାଯାଇ ଛଡ଼ାଯାଇଛି। କିନ୍ତୁ କେଉଁଠୁ ଆସୁଛନ୍ତି ବାଘ ତା’ର ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର