ନନ୍ଦନକାନନ ଆସିଲା ହଳଦୀପଡ଼ାର କଲରାପତରିଆ

ଜଙ୍ଗଲରେ ମା’କୁ ଝୁରୁଛି ଛୁଆ

ବାରଙ୍ଗ: ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ନନ୍ଦନକାନନରେ ପହଞ୍ଚିଛି ନୂଆପଡ଼ା ଜିଲ୍ଲା ତୁମେରପାଣି ପଞ୍ଚାୟତ ହଳଦୀପଡ଼ା ସଂରକ୍ଷିତ ଜଙ୍ଗଲରୁ ଧରା ହୋଇଥିବା ମାଈ କଲରାପତରିଆ ବାଘ। ବାଘର ବୟସ ୯ ବର୍ଷ ବୋଲି ଅନୁମାନ କରାଯାଇଛି। ତାର ଏକ ଛୁଆ ଥିବା କୁହାଯାଉଛି। ଛୁଆଟି ଏବେ ହଳଦୀପଡ଼ା ଜଙ୍ଗଲରେ ମା’କୁ ଝୁରୁଥିବା କୁହାଯାଉଛି।

ସୂଚନା ଅନୁଯାୟୀ ଉକ୍ତ କଲରାପତରିଆକୁ ଆଜି ଏକ ଟାଟା ଏସିଇରେ ଲଦି ହଳଦୀପଡ଼ା ବନପାଳ ବିମ୍ବାଧର ସାହୁ ଓ ବନରକ୍ଷୀ ମନୋଜ କୁମାର ବାଗ୍‌ଙ୍କ ସମେତ ମୋଟ ୮ ଜଣ କର୍ମଚାରୀ ନନ୍ଦନକାନନରେ ପହଞ୍ଚିଥିଲେ। ପରେ ତାକୁ ନନ୍ଦନକାନନର ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରର କ୍ୱାରେନ୍‌ ଟାଇନ୍‌ରେ ରଖାଯାଇଥିଲା। ନନ୍ଦନକାନନ ନିର୍ଦ୍ଦେଶକ ଜୟନ୍ତ କୁମାର ଦାସଙ୍କ ଉପସ୍ଥିତିରେ ଜନ୍ତୁ ବିଭାଗ ଏସିଏଫ୍‌ ଅଞ୍ଜନ କୁମାର ମହାନ୍ତି, ପର୍ଯ୍ୟଟକ ବିଭାଗ ଏସିଏଫ୍‌ ଅମୂଲ୍ୟ କୁମାର ପରିଡ଼ା ଓ ବନରକ୍ଷୀ ସୁଶାନ୍ତ କୁମାର ବେହେରାଙ୍କ ସମେତ ନନ୍ଦନକାନନ ଓ ହଳଦୀପଡ଼ାରୁ ଆସିଥିବା କର୍ମଚାରୀ ଉପସ୍ଥିତିତର କ୍ୱାରେନ୍‌ଟାଇନ୍‌ରେ ଛଡ଼ା ଯାଇଥିଲା। ତା ଅଗ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବାରୁ ସେଠାରେ ତାର ଚିକିତ୍ସା କରାଯିବ। ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ମାସ ୧୬ ତାରିଖରେ ନୂଆପଡ଼ାରୁ ଏକ ମଣିଷ ଖାଉଥିବା ୮ ବର୍ଷର ଅଣ୍ଡିରା କଲରାପତରିଆ ବାଘକୁ ଧରି ନନ୍ଦନକାନନ ଅଣାଯାଇଥିଲା। ନନ୍ଦନକାନନରୁ ହଳଦୀପଡ଼ା ବନକର୍ମଚାରୀ ଯିବା ପରେ ସେଠାରେ ଅଧିକ ଅନୁସନ୍ଧାନ କରିବେ। ଯଦି ସତରେ ଛୁଆଟି ଥାଏ ତେବେ ସେମାନେ ଛୁଆର ସୁରକ୍ଷା ଦୃଷ୍ଟିରୁ ତାକୁ ମଧ୍ୟ ଧରି ନନ୍ଦନକାନନରେ ଛାଡ଼ିବେ ବୋଲି ସୂଚନା ଦେଇଛନ୍ତି। ନନ୍ଦନକାନରେ କଲରାପତରିଆଟି ପହଞ୍ଚିବା ପରେ ଏଠାରେ ଥିବା ବର୍ଷା, ସୁରଜ, ବିଜୁ,ମଞ୍ଜୁ,ମଙ୍ଗଳ, ଅନିତା ଓ ଆଗରୁ ଧରା ହୋଇ ଆସିଥିବା ପୁରୁଷ କଲରାପତରିଆ ବାଘଟିକୁ ମିଶାଇ ମୋଟ ସଂଖ୍ୟା ୮ ହୋଇଛି।

ମେଣ୍ଢାଶାଳରେ ଯାଉଁଳି ଘଡ଼ିଆଳ ଆତଙ୍କ

ଖଣ୍ଡଗିରିି: ଚନ୍ଦକା ଅଭୟାରଣ୍ୟସ୍ଥିତ ଡେରାସ କ୍ଷୁଦ୍ର ଜଳଭଣ୍ଡାରରୁ ଖସି ପଳାଇ ଆସିଥିବା ଦୁଇଟି କୁମ୍ଭୀରକୁ ନେଇ ମଙ୍ଗଳବାର ମେଣ୍ଢାଶାଳରେ ଆତଙ୍କ ଖେଳିଯାଇଛି। ମେଣ୍ଢାଶାଳ ହ୍ରଦ ପୋଖରୀରେ ଲୋକେ ଏହି କୁମ୍ଭୀର ଯୋଡ଼ିଙ୍କୁ ଦେଖିବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। କିନ୍ତୁ ବନ ବିଭାଗ ଆଜି ଅପରାହ୍ଣ ସାରା କୁମ୍ଭୀର ଯୋଡ଼ିଙ୍କୁ ଠାବ କରିବା ପାଇଁ ବହୁ ଉଦ୍ୟମ କରିଥିଲେ ବି ସଫଳ ହୋଇ ନଥିବା ସୂଚନା ମିଳିଛି। କୁମାରଖୁଣ୍ଟି ଓ ଅମ୍ବିଲୋ ଜଳାଶୟରେ ଗୋଟିଏ ଲେଖାଏଁ କୁମ୍ଭୀର ଥିବାରୁ ମେଣ୍ଢାଶାଳରେ ଦେଖା ଦେଇଥିବା କୁମ୍ଭୀର ଯୋଡ଼ିକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। କିଛି ଲୋକ ଏହାକୁ ଗୁଜବ ବୋଲି କହୁଛନ୍ତି। ତେବେ ଦୁଇ ବର୍ଷ ପୂର୍ବରୁ ଡେରାସ ବନ୍ଧ ତଳୁ ବନ ବିଭାଗ ଏକ କୁମ୍ଭୀର ଉଦ୍ଧାର କରିଥିଲା। ତେବେ ଏହା ଗୁଜବ ନୁହେଁ ସତ ହୋଇପାରେ ବୋଲି ଚର୍ଚା ହେଉଛି।

ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ଆଜି ମଧ୍ୟାହ୍ନରେ ମେଣ୍ଢାଶାଳ ହ୍ରଦ ପୋଖରୀରେ ଲୋକେ ଗୋଟିଏ କୁମ୍ଭୀରକୁ ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ କୁମ୍ଭୀର ଦେଖିବା ପାଇଁ ପୋଖରୀ ପାଖକୁ ଲୋକଙ୍କ ସୁଅ ଛୁଟିଥିଲା। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ଆସିଥିଲେ। ସନ୍ଧ୍ୟା ହେବା ପରେ ବି ବନ କର୍ମଚାରୀମାନେ ଟର୍ଚ୍ଚ ଲାଇଟ୍‌ରେ କୁମ୍ଭୀର ଠାବ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଗୋଟିଏ ସ୍ଥାନରେ ଟର୍ଚ୍ଚ ଲାଇଟ୍‌ରେ ଦୁଇଟି ବଡ଼ ଆଖି ଚକ୍‌ଚକ୍‌ କରିବା ଦେଖିଥିଲେ। କିନ୍ତୁ ତାହା କୁମ୍ଭୀର ଆଖି କି ଆଉ କେଉଁ ଜୀବର ଆଖି ଜଣାପଡ଼ି ନଥିଲା। ଶେଷରେ ବନ ବିଭାଗ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ ୧୯୯୨ ମସିହାରେ ଟିକରପଡ଼ାରୁ ୨୫ଟି କୁମ୍ଭୀର ଅଣାଯାଇ ଏହି ଅଭୟାରଣ୍ୟରେ ଛଡ଼ାଯାଇଥିଲା। ଘଡ଼ିଆଳ ପ୍ରଜାତିର ଏହି କୁମ୍ଭୀରମାନଙ୍କୁ ଡେରାସ ଡ୍ୟାମ୍‌, ଅମ୍ବିଲୋ ଜଳାଶୟ ଓ କୁମାରଖୁଣ୍ଟି ଜଳଭଣ୍ଡାରରେ ଛଡ଼ାଯାଇଥିଲା। କୁମାରଖୁଣ୍ଟିରେ ୧୨ଟି, ଡେରାସରେ ୧୦ଟି ଓ ଅମ୍ବିଲୋରେ ୩ଟି ଘଡ଼ିଆଳ ଛଡ଼ାଯାଇଥିଲା। କିନ୍ତୁ ପରେ ପ୍ରତିକୂଳ ପରିବେଶର ପ୍ରଭାବ ସାଙ୍ଗକୁ ଉପଯୁକ୍ତ ଖାଦ୍ୟାଭାବ କାରଣରୁ କୁମ୍ଭୀରମାନେ ମରିବାକୁ ଲାଗିଲେ। ବଂଶବୃଦ୍ଧି ବଦଳରେ ମାତ୍ର କେତୋଟି ବର୍ଷ ଭିତରେ କୁମ୍ଭୀରମାନଙ୍କ ସଂଖ୍ୟା କମିବାରେ ଲାଗିଲା। ବର୍ତ୍ତମାନର ହିସାବ ଅନୁସାରେ କୁମାରଖଣ୍ଟି ଓ ଅମ୍ବିଲୋରେ ଗୋଟିଏ ଲେଖାଏଁ କୁମ୍ଭୀର ଅଛନ୍ତି। ମେଣ୍ଢାଶାଳ ପୋଖରୀକୁ ଡେରାସରୁ କୁମ୍ଭୀର ଆସିବା ବାଟ ରହିଛି। ତେଣୁ ମେଣ୍ଢାଶାଳ ପୋଖରୀରେ କୁମ୍ଭୀର ଦେଖାଯାଇଛି ଅର୍ଥାତ୍‌ ଡେରାସରେ ବି କୁମ୍ଭୀର ଅଛନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର